ଭୁବନେଶ୍ୱର: ସୋମବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ ହାଜର ହେବେ ହନିଟ୍ରାପ ମାମଲାର ମୁଖ୍ୟ କାର୍ପଟଦାର ଅର୍ଚ୍ଚନା ନାଗ । ଏଥିପାଇଁ ଇଡି ଅଫିସର ସୁରକ୍ଷା ବ୍ୟବସ୍ଥାକୁ ବି ବଢ଼ାଇ ଦିଆଯାଇଛି । ସୁରକ୍ଷା ପାଇଁ ପ୍ରାୟ ଦୁଇ ପ୍ଲାଟୁନ ଫୋର୍ସ ମୁତୟନ ରହିବେ ବୋଲି ସୂଚନା ମିଳିଛି ।
ଅର୍ଚ୍ଚନା ନାଗ ହନିଟ୍ରାପ ମାମଲାରେ ଇଡି ତଦନ୍ତକୁ ଜୋରଦାର କରିଛି । ତାଲିକା ଅନୁସାରେ ମାମଲାରେ ସଂପୃକ୍ତ ବଡ଼ ବଡ଼ିଆଙ୍କୁ ଜେରା କରାଯାଉଥିଲାବେଳେ ସୋମବାର ଖୋଦ ଅର୍ଚ୍ଚନାଙ୍କ ପାଳି ପଡ଼ିଛି । ଆର୍ଥିକ କାରବାରର ଖିଅ ଖୋଜୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ମାରାଥନ ଜେରା କରିବ । କାହା କାହାକୁ ବ୍ଲାକମେଲ କରିଛନ୍ତି । କାହାଠାରୁ କେତେ ଟଙ୍କା ହଡପ କରିଛନ୍ତି । ଏତେ କମ ସମୟ ମଧ୍ୟରେ ଏତେ ସମ୍ପତ୍ତିର ଅଧିକାରୀ କେମିତି ହେଲେ, ଏନେଇ ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିବ ବୋଲି ଜଣାପଡ଼ିଛି ।
ଅର୍ଚ୍ଚନା ହନିଟ୍ରାପ ମାମଲା ଇଡି ହାତକୁ ଗଲା ପରେ ଏହାର ଅର୍ଥିକ କାରବାର ଦିଗରେ ତଦନ୍ତ ଚାଲିଛି । ଅର୍ଚ୍ଚନା ସହ ସଂପର୍କ ରଖିଥିବା ପ୍ରଭାବଶାଳୀ ଲୋକଙ୍କ ତାଲିକା ପ୍ରସ୍ତୁତ କରିଛି ଇଡି । ତାଲିକା ଅନୁସାରେ ସିନେ ପ୍ରଯୋଜକ ଅକ୍ଷୟ ପରିଜା, ବିଲଡର ଅମୀୟ ଦାସ, ଅର୍ଚ୍ଚନାଙ୍କ ଏକଦା ସହଯୋଗୀ ଥିବା ଶ୍ରଦ୍ଧାଞ୍ଜଳି, ସହଯୋଗୀ ଖଗେଶ୍ୱରଙ୍କୁ ଜେରା କରିସାରିଛି ଇଡି ।
Powered by Froala Editor
