ପଦମପୁର ଉପନିର୍ବାଚନ : ଦିନ ଗୋଟାଏ ସୁଦ୍ଧା ୪୬.୯୬ ପ୍ରତିଶତ ମତଦାନ

ପଦମପୁର ଉପନିର୍ବାଚନ : ଦିନ ଗୋଟାଏ ସୁଦ୍ଧା ୪୬.୯୬ ପ୍ରତିଶତ ମତଦାନ

ରାଜ୍ୟ ଖବର

ଭୁବନେଶ୍ବର: ସୁରୁଖୁରରେ ଚାଲିଛି ପଦମପୁର ଉପନିର୍ବାଚନ ପାଇଁ ମତଦାନ । ଦିନ ଗୋଟାଏ ସୁଦ୍ଧା ହୋଇଛି ୪୬.୯୬ ପ୍ରତିଶତ ମତଦାନ ।ତେବେ  ସକାଳ ୯ଟା ସୁଦ୍ଧା ୮.୫ ପ୍ରତିଶତ ମତଦାନ ହୋଇଥିଲା । ଏହାଛଡ଼ା ଦିନ ୧୧ ସୁଦ୍ଧା ୨୯.୭୩ ପ୍ରତିଶତ ମତଦାନ ହୋଇଥିବା ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ସୂଚନା ଦେଇଥିଲେ । 


ଶୀତଦିନ ଓ ମାଓବାଦୀ ପ୍ରବଣ ଅଞ୍ଚଳ ହୋଇଥିବାରୁ ଅପରାହ୍ନ ୪ଟା ପର୍ୟ୍ୟନ୍ତ ହେବ ମତଦାନ । ୩୧୯ଟି ବୁଥରେ ୨ ଲକ୍ଷ ୫୭ ହଜାର ୪୭୪ ଭୋଟର ମତାଧିକାର ସାବ୍ୟସ୍ତ କରୁଛନ୍ତି । ଦୃଷ୍ଟିବାଧିତଙ୍କ ପାଇଁ କରାଯାଇଛି ସ୍ବତନ୍ତ୍ର ବ୍ରେଲି ବାଲଟ ବ୍ୟବସ୍ଥା । ଦିବ୍ୟାଙ୍ଗଙ୍କୁ ଭୋଟ୍ ଦେବାକୁ ସେମାନଙ୍କ ଘରୁ ଆଣି ଛାଡ଼ିବା ପାଇଁ ସ୍ବତନ୍ତ୍ର ଗାଡ଼ି ବ୍ୟବସ୍ଥା କରାଯାଇଛି ।

ପ୍ରତ୍ୟେକ ବୁଥ ପାଇଁ ୪ ଜଣ ଲେଖାଏଁ ପୋଲିଂ ଅଧିକାରୀଙ୍କୁ ମିଶାଇ ନିର୍ବାଚନମଣ୍ଡଳୀରେ ମୋଟ୍ ୧୨୭୬ ଜଣ ପୋଲିଂ କର୍ମଚାରୀ ନିୟୋଜିତ ଅଛନ୍ତି । ଇଭିଏମ୍ ତ୍ରୁଟି ଦୂର ପାଇଁ ଆବଶ୍ୟକ ଇଭିଏମ୍ ଓ ଟେକ୍ନିସିଆନ୍ ଉପସ୍ଥିତ ଅଛନ୍ତି । ବରିଷ୍ଠ ନାଗରିକ, ଦିବ୍ୟାଙ୍ଗଙ୍କ ପାଇଁ ୧୫ଟି ମଡେଲ ବୁଥରେ ରାମ୍ପ, ଅସ୍ଥାୟୀ ସେଡ୍, ପିଇବା ପାଣି ବ୍ୟବସ୍ଥା କରାଯାଇଛି । ୬ଟି ପିଙ୍କ୍ ବୁଥରେ କେବଳ ମହିଳା ପୋଲିଂ କର୍ମଚାରୀ ରହିଛନ୍ତି । ନିର୍ବାଚନମଣ୍ଡଳୀରେ ୭୯ଟି ଅତି ସମ୍ବେଦନଶୀଳ ବୁଥ ଚିହ୍ନଟ ହେଇଥିବା ବେଳେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସେହିପରି ୧୨୦ଟି ସମ୍ବେଦନଶୀଳ ବୁଥରେ ହୋଇଛି ଓ୍ବେବକାଷ୍ଟିଂ ଓ ୬୬ଟି ବୁଥରେ ସିସିଟିଭି କ୍ୟାମେରା ବ୍ୟବସ୍ଥା । ୯୧ ଜଣ କେନ୍ଦ୍ରୀୟ ମାଇକ୍ରୋ ଅବଜର୍ଭର୍ ନିୟୋଜିତ ହୋଇଛନ୍ତି ।



Powered by Froala Editor