ସିବିଆଇକୁ ଯିବାକୁ ମନା କଲେ କବିତା

ସିବିଆଇକୁ ଯିବାକୁ ମନା କଲେ କବିତା

ଜାତୀୟ ଖବର

ନୂଆଦିଲ୍ଲୀ: ମୁଁ ବ୍ୟସ୍ତ ଅଛି। ପଚରାଉଚରା ପାଇଁ ଯାଇପାରିବି ନାହିଁ। ସିବିଆଇ ସମନ ମିଳିବା ପରେ ଏଭଳି କହିଲେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର)ଙ୍କ ଝିଅ କେ କବିତା। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ତଦନ୍ତ କରୁଥିବା ସିବିଆଇ ଡିସେମ୍ବର ୨ରେ କେ କବିତାଙ୍କୁ ଜେରା ପାଇଁ ସମନ କରିଥିଲା। କବିତାଙ୍କର ମଦ ବ୍ୟବାସାୟୀ ସଂଗଠନ ସହ ସିଧାସଳଖ ସଂପୃକ୍ତି ଥିବା ‌ଅଭିଯୋଗ ହୋଇଥିବା ବେଳେ ସେ ୧୦୦ କୋଟି ଟଙ୍କା ଲାଞ୍ଚ କାରବାରରେ ସାମିଲ ଥିବା ନେଇ କେତେକ ପ୍ରମାଣ ମିଳିଛି। ଏ ନେଇ ଅଧିକ ତଥ୍ୟ ସାମ୍ନାକୁ ଆସିବା ପରେ ସିବିଆଇ ତାଙ୍କୁ ଜେରା କରିବାକୁ ସମନ କରିଥିଲା। ଡିସେମ୍ବର ୬ରେ କବିତାଙ୍କୁ ଜେରା ପାଇଁ ହାଜର ହେବାକୁ କୁହାଯାଇଥିଲା। ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପୂର୍ବରୁ ଅଦାଲତରେ ଇଡି ଦାଖଲ କରିଥିବା ରିପୋର୍ଟରେ ମଧ୍ୟ କବିତାଙ୍କ ନାମ ଉଲ୍ଲେଖ ଥିଲା।

ତେବେ ସମନ ମିଳିବା ପରେ କେ କବିତା ଡିସେମ୍ବର ୬ରେ ହାଜର ହୋଇପାରିବେ ନାହିଁ ବୋଲି କହିଛନ୍ତି। ସୋମବାର ସେ ସିବିଆଇକୁ ଚିଠି ଲେଖି କହିଛନ୍ତି ଯେ, ଡିସେମ୍ବର ୧୧-୧୫ ତାରିଖ ମଧ୍ୟରେ କେବଳ ୧୩ତାରିଖକୁ ଛାଡ଼ି କୌଣସି ଦିନ ପଚରାଉଚରା ପାଇଁ ଆସିପାରିବି। ଡିସେମ୍ବର ୬ରେ ଯିବା ସମ୍ଭବ ନୁହେଁ। କାରଣ ପୂର୍ବରୁ ଧାର୍ଯ୍ୟ କାର୍ଯ୍ୟକ୍ରମରେ ମୁଁ ବ୍ୟସ୍ତ ରହିବି। ମୁଁ ଏତଲା ଦେଖିଛି, ହେଲେ ସେଥିରେ ମୋର ନାଁ କେଉଁଠାରେ ବି ନାହିଁ।

ଉଲ୍ଲେଖଯୋଗ୍ୟ, ଦିଲ୍ଲୀ ଅବକାରୀ ଦୁର୍ନୀତି ନେଇ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ତରଫରୁ କୋର୍ଟରେ ଦାଏର କରାଯାଇଥିବା ମାମଲାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର୍‌ଙ୍କ ଝିଅ କେ କବିତାଙ୍କର ନାଁ ରହିଛି। ବିବାଦୀୟ ଅବକାରୀ ନୀତିକୁ ଦିଲ୍ଲୀ ସରକାର ପ୍ରତ୍ୟାହାର କରି ନେଇଥିଲେ ମଧ୍ୟ ଏହାକୁ ନେଇ ଯେଉଁ ଦୁର୍ନୀତି ଘଟିଛି ତାହା ଉପରେ ବର୍ତ୍ତମାନ ତଦନ୍ତ ଅବ୍ୟାହତ ରହିଛି। ଏଥିସହ ଜଡ଼ିତ ମନିଲଣ୍ଡରିଂ ମାମଲାରେ ଅନେକ ଅଭିଯୁକ୍ତଙ୍କ ସହ କବିତାଙ୍କ ନାଁ ମଧ୍ୟ ରହିଛି। ଇଡି ତଦନ୍ତରୁ ଜାଣିପାରିଛି ଯେ, କେ କବିତା ହେଉଛନ୍ତି ‘ସାଉଥ୍ ଗ୍ୟାଙ୍ଗ୍’ର ଜଣେ ସଦସ୍ୟ ଯେଉଁମାନେ ମଦ ନୀତି ପ୍ରବର୍ତ୍ତନ ସମୟରେ ଆମ୍‌ ଆଦ୍‌ମୀ ପାର୍ଟି ସରକାରକୁ ପ୍ରାୟ ୧୦୦ କୋଟି ଟଙ୍କା ଦେଇଛନ୍ତି।

Powered by Froala Editor