୧୦ହଜାର ଭୋଟ ବ୍ୟବଧାନରେ ଜିତିବବିଜେପି:ପୃଥ୍ୱୀରାଜ ହରିଚନ୍ଦନ

୧୦ହଜାର ଭୋଟ ବ୍ୟବଧାନରେ ଜିତିବବିଜେପି:ପୃଥ୍ୱୀରାଜ ହରିଚନ୍ଦନ

ରାଜ୍ୟ ଖବର

  

ପଦ୍ମପୁର: ପଦ୍ମପୁର ଉପନିର୍ବାଚନରେ ମତଦାନ ହାର ପୂର୍ବର ସମସ୍ତ ରେକର୍ଡକୁ ଭଙ୍ଗ କରିଛି । ଚଳିତ ଉପନିର୍ବାଚନରେ ମୋଟ ୮୧.୨୯ ପ୍ରତିଶତ ମତଦାନ ହୋଇଛି । ଆଉ ଏପଟେ ନିଜ ନିଜର ପ୍ରାର୍ଥୀ ଜିତିବେ ବୋଲି ବିଜେଡି ଓ ବିଜେପି ମଧ୍ୟ ଦମ୍ଭୋକ୍ତି ବାଢ଼ିବାରେ ଲାଗିଛନ୍ତି।

 ନିର୍ବାଚନମଣ୍ଡଳୀର ମୋଟ ଭୋଟରଙ୍କ ସଂଖ୍ୟା ୨ଲକ୍ଷ ୫୭ହଜାର ୪୭୪ ହୋଇଥିବାବେଳେ ସେଥିରୁ ୨ଲକ୍ଷ ୯ହଜାର ୩୦୯ଜଣ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି । ଆଉ ଏତେ ସଂଖ୍ୟକ ମତଦାନ ହୋଇଥିବାରୁ ଜିତିବାକୁ ନେଇ ଉଭୟ ବିଜେଡି ଓ ବିଜେପି ନିଜ ନିଜ ସପକ୍ଷରେ ଯୁକ୍ତି ବାଢ଼ିବାରେ ଲାଗିଛନ୍ତି।
 ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ପଦ୍ମପୁରରେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତ ୧୦ହଜାର ଭୋଟ ବ୍ୟବଧାନରେ ଜିତିବେ । ବିଜେପି ସପକ୍ଷରେ ଭୋଟ୍ ଯାଇଛି ବୋଲି ଦଳ ଆଶାବାଦୀ ଅଛି । ଯେଉଁଠି ସରକାର ବିରୋଧୀ ଭୋଟ୍ ଅଧିକ ଥାଏ, ସେଠାରେ ଭୋଟିଂ ଅଧିକ ହୋଇଥାଏ । ପଦ୍ମପୁରରେ ମାଟିର ପୁଅ ପ୍ରଦୀପ ପୁରୋହିତଙ୍କୁ ସାଧାରଣ ଲୋକେ ଭୋଟ୍ ଦେବେ ବୋଲି ପ୍ରଚାରବେଳେ ଜଣାପଡ଼ି ଯାଉଥିଲା । ଧାମନଗରରେ ମଧ୍ୟ ବିଜେଡି ଜିତିବ ବୋଲି କହୁଥିଲା, କିନ୍ତୁ କ’ଣ ହେଲା ତାହା ସମସ୍ତେ ଦେଖିଲେ । ତେଣୁ ପଦ୍ମପୁରରେ ବିଜେଡି ନିଜର ପ୍ରାର୍ଥୀଙ୍କ ସକ୍ଷପରେ ପ୍ରବଳ ଟଙ୍କା ଖର୍ଚ୍ଚ କରିଥିଲେ ମଧ୍ୟ ପଦ୍ମପୁରର ଭୋଟର ଅତ୍ୟନ୍ତ ସଚେତନ ଥିଲେ । ୨୨ବର୍ଷ ଧରି ବିଜେଡି ସରକାର ସେହି ଅଂଚଳରେ କ’ଣ କରିଛି ତାହା ସେମାନେ ଅନୁଭବ କରିଥିଲେ । ତେଣୁ ଯିଏ ପଇସା ଦେଉଛି ଖାଅ, ହେଲେ ଭୋଟ୍ ବିଜେପିକୁ ଦିଅ ବୋଲି ଲୋକଙ୍କ ମଧ୍ୟରେ ଏଭଳି ପରିସ୍ଥିତି ଦେଖିବାକୁ ମିଳିଥିବା ଶ୍ରୀ ହରିଚନ୍ଦନ ଦାବି କରିଛନ୍ତି।

ବିଜେଡି ଉପସଭାପତି ତଥା ବରିଷ୍ଠ ନେତା ଦେବୀପ୍ରସାଦ ମିଶ୍ର କହିଛନ୍ତି ଯେ, ପଦ୍ମପୁର ଉପନିର୍ବାଚନରେ ବିଜେଡିର ନିଶ୍ଚୟ ବିଜୟ ହେବ । ୨୦୧୯ରେ ବିଜେଡିର ଜିତିବା ବ୍ୟବଧାନ ୫ହଜାରରୁ ଅଧିକ ଥିଲା । ଚଳିତ ଉପନିର୍ବାଚନରେ ଏହି ଜିତିବା ବ୍ୟବଧାନ ବହୁଗୁଣିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନ ପ୍ରଚାର ପରେ ଦଳର ବିଜୟ ବ୍ୟବଧାନ ବହୁଗୁଣରେ ବୃଦ୍ଧି ପାଇଛି । ପଦ୍ମପୁରରେ ଦଳର ପ୍ରଦର୍ଶନ ବେଶ୍ ଭଲ ରହିବ । ଯାହାର ପ୍ରଭାବ ୨୦୨୪ ସାଧାରଣ ନିର୍ବାଚନରେ କ’ଣ ରହିବ ତାହା ରାଜନୀତିକ ସମୀକ୍ଷକ ଓ ମିଡିଆ ଆକଳନ କରିବ । କିନ୍ତୁ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହା ବହୁ ଭୋଟ୍ ବ୍ୟବଧାନରେ ନିଶ୍ଚିତ ଜିତିବେ ବୋଲି ଶ୍ରୀ ମିଶ୍ର ଦମ୍ଭୋକ୍ତି ବାଢ଼ିଛନ୍ତି।

Powered by Froala Editor