ମେଡିକାଲ ନାମଲେଖାକୁ ନେଇ ବଡ ଖବର

ମେଡିକାଲ ନାମଲେଖାକୁ ନେଇ ବଡ ଖବର

ରାଜ୍ୟ ଖବର

ଭୁବନେଶ୍ବର : ରାଜ୍ୟରେ ଥିବା ମେଡିକାଲ କଲେଜଗୁଡ଼ିକର ଏମ୍‌ବିବିଏସ୍‌ ଓ ବିଡିଏସ୍‌ ପାଠ୍ୟକ୍ରମରେ ଦୁଇ ରାଉଣ୍ଡ ନାମଲେଖା ଶେଷ ହୋଇଛି। ତା’ ପରେ ବି ୧୩୫ଟି ସିଟ୍‌ ଖାଲି ରହିଛି।ଏମ୍‌ବିବିଏସ୍‌ ଓ ବିଡିଏସ୍‌ ପାଠ୍ୟକ୍ରମରେ ଖାଲିଥିବା ସିଟ୍‌ ପୂରଣ ଲାଗି ଆସନ୍ତା ୧୩ ତାରିଖରେ ସ୍ପଟ୍‌ କାଉନସେଲିଂ ଅନୁଷ୍ଠିତ ହେବ।

 ୮ଟି ସରକାରୀ ମେଡିକାଲ କଲେଜର ସମସ୍ତ ସିଟ୍‌ ପୂରଣ ହୋଇ ସାରିଥିବା ବେଳେ ନୂଆ କରି ପ୍ରତିଷ୍ଠା ହୋଇଥିବା ସୁନ୍ଦରଗଡ଼ ଓ କେନ୍ଦୁଝର ସରକାରୀ ମେଡିକାଲ କଲେଜରେ ମାତ୍ର ୪ଟି ଏମ୍‌ବିବିଏସ୍‌ ସିଟ୍‌ ବଳକା ରହିଛି। କେନ୍ଦୁଝର ମେଡିକାଲ କଲେଜରେ ଦୁଇଟି ସିଟ୍‌ ଅନୁସୂଚିତ ଜାତି(ଏସ୍‌ସି) ବର୍ଗ ଛାତ୍ରଛାତ୍ରୀଙ୍କ ଲାଗି ବଳକା ଥିବା ବେଳେ ଗୋଟିଏ ସାଧାରଣ ବର୍ଗର ଏକ୍ସ-ସର୍ଭିସ୍‌ମ୍ୟାନ୍‌ଙ୍କ ପାଇଁ ରହିଛି। ସୁନ୍ଦରଗଡ଼ ମେଡିକାଲ କଲେଜରେ ଗୋଟିଏ ମାତ୍ର ଏମ୍‌ବିବିଏସ୍‌ ସିଟ୍‌ ଏସ୍‌ସି ବର୍ଗଙ୍କ ପାଇଁ ବଳକା ଅଛି।
କଟକସ୍ଥିତ ଏସ୍‌ସିବି ମେଡିକାଲ କଲେଜର ସମସ୍ତ ଏମ୍‌ବିବିଏସ୍‌ ସିଟ୍‌ ପୂରଣ ହୋଇଥିଲେ ମଧ୍ୟ ବିଡିଏସ୍‌ରେ ୧୩ଟି ସିଟ୍‌ ରହିଛି। ସେଥିରୁ ୮ଟି ସାଧାରଣ ବର୍ଗ, ୩ଟି ଇଡବ୍ଲୁଏସ୍‌ ଓ ୨ଟି ସାଧାରଣ ବର୍ଗର ଗ୍ରିନ୍‌କାର୍ଡଧାରୀଙ୍କ ଲାଗି ସଂରକ୍ଷିତ ରହିଛି। ରାଉରକେଲା ଓ ଭୁବନେଶ୍ବରରେ ଥିବା ହାଇଟେକ୍‌ ମେଡିକାଲ ଜଲେଜରେ ସିଟ୍‌ ବଳିଛି। ହାଇଟେକ୍‌ ଭୁବନେଶ୍ବରରେ ଏମ୍‌ବିବିଏସ୍‌ରେ ୧୯, ବିଡିଏସ୍‌ରେ ୮୩ଟି ସିଟ୍‌ ବଳକା ଥିବା ବେଳେ ହାଇଟେକ୍‌ ରାଉରକେଲାରେ ୧୬ଟି ଖାଲି ରହିଛି। ଓଜେଇଇର ଦୁଇ ରାଉଣ୍ଡ କାଉନସେଲିଂରେ ଏସ୍‌ସିବି କଲେଜର ଏମ୍‌ବିବିଏସ୍‌ ପାଠ୍ୟକ୍ରମର ୨୧୨, ଏମ୍‌କେସିଜି, ବ୍ରହ୍ମପୁରର ୨୧୨, ବୁର୍ଲା ଭୀମସାରର ୧୭୦, ଏସ୍‌ଏଲ୍‌ଏନ୍‌, କୋରାପୁଟର ୧୦୬, ପିଆରଏମ୍‌, ବାରିପଦାର ୧୦୬, ବିବି, ବଲାଙ୍ଗୀର, ଏଫ୍‌ଏମ୍‌, ବାଲେଶ୍ୱର ଓ ଏସ୍‌ଜେ, ପୁରୀର ୮୫ଟି ଲେଖାଏଁ ସିଟ୍‌ ପୂରଣ ହୋଇଯାଇଛି।

Powered by Froala Editor