ଭୁବନେଶ୍ବର : ନିର୍ବାଚନ ଜିତିବା ପାଇଁ କଂଗ୍ରେସ ସହ ଡିଲ୍ ହୋଇଥିବା ନେଇ ଅଭିଯୋଗ ଥମିବାର ନାଁ ଧରୁନି। ବିଜେପି ଓ କଂଗ୍ରେସ ମଧ୍ୟରେ ଏନେଇ ଦୁଇ ଦିନ ହେଲା ବୟାନବାଜି ଚାଲିଥିବା ବେଳେ ସୋମବାର ଦିନ ବିଜେଡି ବିଧାୟକ ସୁଶାନ୍ତ ସିଂହ କହିଛନ୍ତି ଯେ ପଦ୍ମପୁର ଜିତିବା ପାଇଁ ବିଜେପି ଓ କଂଗ୍ରେସ ମଧ୍ୟରେ ଦିଲ୍ଲୀରେ ଡିଲ୍ ହୋଇଥିଲା। ଆମେ ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଯୋଗୁ ବିଜୟୀ ହୋଇଛୁ। ବିଜେପି ଡିଲ୍ କରେ। ୨୦୧୪ ନିର୍ବାଚନରେ ସତ୍ୟ ସାହୁ ଛିଡ଼ା ହୋଇନଥିଲେ। ସେତେବେଳେ ସେମାନେ ମଧ୍ୟ ଡିଲ୍ କରିଥିଲେ। ନିର୍ବାଚନରେ ହାରିବା ପରେ ଭିନ୍ନ ଭିନ୍ନ କଥା କହୁଛନ୍ତି। ଏଥର ପଦ୍ମପୁର ଉପନିର୍ବାଚନ ଜିତିବା ପାଇଁ ପୂର୍ବତନ ସାଂସଦ ସଞ୍ଜୟ ଭୋଇଙ୍କ ସହିତ ଦିଲ୍ଲୀରେ ଡିଲ୍ କରି ଆଣିଥିଲେ।
ତାଙ୍କ ମାଧ୍ୟମରେ କଂଗ୍ରେସ ଭୋଟ୍କୁ ଡାଇଭର୍ଟ କରିଥିଲେ। ଜିତିବା ପାଇଁ ଅଧିକ ଆତ୍ମବିଶ୍ବାସ ଥିଲା। ତେଣୁ ନିର୍ବାଚନରେ ପରାଜୟକୁ ଗ୍ରହଣ କରିପାରୁନାହାନ୍ତି। କେବଳ ଏତିକି ନୁହେଁ, ଧାମନଗରରେ ରାଜୁ ଦାସଙ୍କ ସହ ବିଜେପି ଡିଲ୍ କରିଥିଲା। ସେଠାରେ ଅନେକ କଂଗ୍ରେସ ଭୋଟ୍ ବିଜେପିକୁ ଯାଇଥିଲା। ବିଜେପି ଅବାନ୍ତର ଅଭିଯୋଗ କରୁଛି। ୨୦ବର୍ଷର ଶାସନ ଭିତରେ ବିଜେଡି କେବେ ଏତେ ତଳସ୍ତରକୁ ଯାଇ ରାଜନୀତି କରିନାହିଁ।
Powered by Froala Editor
