ଭୁବନେଶ୍ୱର: ହିନ୍ଦୁ ଧର୍ମରେ ସମସ୍ତ ରୀତିନୀତି, ପୂଜାପର୍ବରେ ନଡ଼ିଆ ଖୋଜା ପଡେ଼ । ପ୍ରତ୍ୟେକ ଶୁଭକାମ ବିବାହ ବ୍ରତ, ଘର ପ୍ରତିଷ୍ଠା ବା ଗୃହ ପ୍ରବେଶ, ବ୍ୟବସାୟ ଆରମ୍ଭ, ଯାହା ବି ହେଉ ନଡ଼ିଆ ଭାଙ୍ଗିବା ସହିତ ଏହା ଆରମ୍ଭ ହୁଏ । ତେବେ ଦେବ କାମରେ ନଡ଼ିଆକୁ ଏତେ ପ୍ରାଧାନ୍ୟ ଦେବା ପଛରେ ରହିଛି ବିଶେଷ କାରଣ । ଏ ସମ୍ପର୍କରେ ଆସନ୍ତୁ ଜାଣିବା-
- ନଡ଼ିଆ ଗଛ ଅତି ଉଚ୍ଚା ହୋଇଥିବାବେଳେ ନଡ଼ିଆ ଫଳ ବି ସେହି ଉଚ୍ଚରେ ହିଁ ଫଳେ । ପୁଣି ନଡ଼ିଆର ବାହାର ଅଂଶ ଅତିରିକ୍ତ । ଏଣୁ କୌଣସି ଜୀବଜନ୍ତୁ, କୀଟପତଙ୍ଗ, ପକ୍ଷୀ ଏଥିରେ ମୁହଁ ମାରିପାରନ୍ତି ନାହିଁ । ଏଣୁ ନଡ଼ିଆ ଫଳ ଅନାୟାସରେ ଦେବ ଯୋଗ୍ୟ ହୋଇପାରିଥାଏ ।
- ନଡ଼ିଆ ପାଣିକୁ ଅତି ପବିତ୍ର ମନେ କରାଯାଏ । ଏହାକୁ ପିଟି ଭାଙ୍ଗିବା ସହ ନଡ଼ିଆ ପାଣି ଚାରିପଟକୁ ଛିଞ୍ଚାଡ଼ି ହୋଇପଡେ଼ । ଯଦ୍ୱାରା ଦୁଷ୍ଟଶକ୍ତି ସେହି ସ୍ଥଳରୁ ଦୂରେଇ ଯାଇଥାନ୍ତି ବୋଲି ବିଶ୍ୱାସ ରହିଛି । ଯେଉଁଥିପାଇଁ କୌଣସି କାର୍ଯ୍ୟ ଆରମ୍ଭରେ ନଡ଼ିଆ ଭାଙ୍ଗିବାର ପରମ୍ପରା ରହିଛି ।
ନଡ଼ିଆକୁ ମହିଳା ଭାଙ୍ଗନ୍ତି ନାହିଁ କାହିଁକି ?
ମହିଳାମାନଙ୍କୁ ନଡ଼ିଆ ଭାଙ୍ଗିବାକୁ ବାରଣ କରାଯାଏ । ଏହା ପଛରେ ରହିଛି ଶାସ୍ତ୍ର ସମ୍ମତ କାରଣ । ନଡ଼ିଆ ଫଳକୁ ସୃଷ୍ଟିର ବୀଜ ଭାବେ ଗ୍ରହଣ କରାଯାଇଛି । ମାତୃଜାତି ମଧ୍ୟ ସୃଷ୍ଟିକାରକ । ଏଣୁ ମହିଳାମାନେ ଏହି ପବିତ୍ର ବୀଜକୁ ନଷ୍ଟ କରିବାଟା ଅନୁଚିତ ବୋଲି ମନେ କରାଯାଏ ।
ନଡ଼ିଆର ପୌରାଣିକ ମହତ୍ତ୍ୱ: ପୌରାଣିକ ମତ ଅନୁଯାୟୀ ଭଗବାନ ବିଷ୍ଣୁ ପୃଥିବୀ ପୃଷ୍ଠକୁ ପ୍ରଥମେ ଆସିବା ସମୟରେ ସ୍ୱର୍ଗରୁ ସାଙ୍ଗରେ ଲକ୍ଷ୍ମୀ, ନଡ଼ିଆ ଗଛ ଏବଂ କାମଧେନୁ ଗାଈକୁ ସାଙ୍ଗରେ ନେଇ ଆସିଥିଲେ । ଏଣୁ ପ୍ରତ୍ୟେକ ହିନ୍ଦୁଙ୍କ ପାଇଁ ଏହି ତିନୋଟି ଅତି ମହତ୍ତ୍ୱ ରଖେ । ନଡ଼ିଆରେ ମଧ୍ୟ ବ୍ରହ୍ମା, ବିଷ୍ଣୁ ତଥା ଶିବ ଅବସ୍ଥାନ କରନ୍ତି ବୋଲି କୁହାଯାଏ । ନଡ଼ିଆର ତିନୋଟି ଆଖି ଦେବ ଦେବ ମହାଦେବଙ୍କ ତ୍ରିନେତ୍ରର ପ୍ରତୀକ । ନଡ଼ିଆକୁ ଶ୍ରୀଫଳ କୁହାଯାଏ । ଏହା ମା’ ଲକ୍ଷ୍ମୀଙ୍କର ପ୍ରିୟ ଫଳ । ଦେବତାମାନଙ୍କୁ ନଡ଼ିଆ ଅର୍ପଣ କଲେ ଘରେ ଧନର ସମସ୍ୟା ରହେ ନାହିଁ ବୋଲି ବିଶ୍ୱାସ ରହିଛି ।
Powered by Froala Editor
