ଖୁଡ଼ିକୁ ହତ୍ୟା କରି ୧୦ ଖଣ୍ଡ କଲା ନୃଶଂସ ପୁତୁରା

ଖୁଡ଼ିକୁ ହତ୍ୟା କରି ୧୦ ଖଣ୍ଡ କଲା ନୃଶଂସ ପୁତୁରା

ରାଜ୍ୟ ଖବର

ଜୟପୁର: ଶ୍ରଦ୍ଧା ୱାକର ହତ୍ୟାକାଣ୍ଡ ପରି ରାଜସ୍ଥାନରେ ଏକ ହତ୍ୟାକାଣ୍ଡ ଏବେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ପୁତୁରା ଖୁଡ଼ିକୁ ହତ୍ୟା କରିଛି ଏବଂ ମାର୍ବଲ୍‌ କଟରରେ ଖୁଡ଼ିର ଶବକୁ କାଟି ୧୦ ଖଣ୍ଡ କରିବାପରେ ଏହାକୁ ଜଙ୍ଗଲର ବିଭିନ୍ନ ସ୍ଥାନରେ ପକାଇଛି। ପୁଲିସ ଅଭିଯୁକ୍ତକୁ ଗିରଫ କରିଛି। ଅଭିଯୁକ୍ତର ନାମ ଅନୁଜ ଶର୍ମା ଓରଫ ଅଚିନ୍ତ୍ୟ ଗୋବିନ୍ଦଦାସ। ଜୟପୁରର ବିଦ୍ୟାଧରନଗର ଅଞ୍ଚଳର ଲାଲ୍‌ପୁରିଆ ଆପାର୍ଟମେଣ୍ଟର ସେକ୍ଟର-୨ରେ ଏହି ଘଟଣା ଘଟିଛି। ଅନୁଜ ତା’ ବିଧବା ଖୁଡ଼ି ସରୋଜ ଶର୍ମା (୬୪ଙ୍କୁ ଏକ ହାତୁଡ଼ିରେ ପିଟି ମାରିଥିଲା ଏବଂ ଏହାପରେ ସେ ମାର୍ବଲ୍‌ କଟର ମେସିନ୍‌ରେ ଖୁଡ଼ିର ଶରୀରକୁ ୧୦ ଖଣ୍ଡ କରି ଜଙ୍ଗଲରେ ଫୋପାଡ଼ି ଦେଇଥିଲା। ଏହାପରେ ଅନୁଜ ନିଜେ ଯାଇ ଥାନାରେ ପହଞ୍ଚିଥିଲା ଏବଂ ଖୁଡ଼ି ନିଖୋଜ ଥିବାନେଇ ଏତଲା ରୁଜୁ କରିଥିଲା। ତେବେ ଅନୁଜ ନିଜ କିଚେନରେ ରକ୍ତଦାଗ ଧୋଉଥିବା ବେଳେ ଧରା ପଡ଼ିଥିଲା।

ମୃତକଙ୍କ ଝିଅ ପୁଜା ଅନୁଜ ବିରୋଧରେ ପୁଲିସରେ ଏତଲା ରୁଜୁ କରିବାପରେ ପୁଲିସ ଅନୁଜକୁ ହାଜତକୁ ନେଇ ଜେରା କରିଛି। ପୁଲିସ ସୂଚନା ଅନୁଯାୟୀ ସରୋଜଙ୍କ ସ୍ବାମୀଙ୍କ ମୃତ୍ୟୁପରେ ଅନୁଜ ତାଙ୍କ ଯତ୍ନ ନେଉଥିଲା। ଅନୁଜ ଚଳିବାପାଇଁ ସରୋଜ ସମସ୍ତ ଟଙ୍କା ଦେଉଥିଲେ। ସରୋଜଙ୍କ ପୁଅ ବିଦେଶରେ ରୁହନ୍ତି। ତେବେ ଅନୁଜଙ୍କ ବିଭିନ୍ନ ନିଷ୍ପତ୍ତିରେ ଖୁଡ଼ି ବାରମ୍ବାର ହସ୍ତକ୍ଷେପ କରିବାରୁ ସେ ଏଥିରେ ରାଗିଯାଇ ଖୁଡ଼ିଙ୍କୁ ହତ୍ୟ‌ା କରିଛି। ଅନୁଜ ବିଟେକ୍‌ ଶେଷ କରିବାପରେ ଏକ ଧାର୍ମିକ ସେବା ସଂଗଠନରେ ଯୋଗ ଦେଇଥିଲା। ଡିସେମ୍ବର ୧୧ରେ ସେ ଦିଲ୍ଲୀ ‌ଯିବାର ଥିଲା। କିନ୍ତୁ ତା’ ଖୁଡ଼ି ଏଥିପାଇଁ ଅନୁମତି ନ‌ଦେବାରୁ ଅନୁଜ ଏଭଳି ବର୍ବର କାଣ୍ଡ ଭିଆଇଛି।



Powered by Froala Editor