ଦୋହା: ଦୀର୍ଘ ଏକ ମାସ ଧରି କାତାରରେ ଚାଲିଥିବା ଫୁଟବଲର ମହାକୁମ୍ଭ ଫିଫା ବିଶ୍ବକପ ୨୨ତମ ସଂସ୍କରଣର ଗ୍ରାଣ୍ଡ ଫାଇନାଲ ମ୍ୟାଚ ରବିବାର ଖେଳାଯିବ। କିଲିଆନେ ଏମ୍ବାପେ, ଗିରୁଡ୍ ଓ ଆଣ୍ଟୋନି ଗ୍ରୀଜମ୍ୟାନକୁ ନେଇ ଗଠିତ ଫ୍ରାନ୍ସ କ୍ରମାଗତ ଦ୍ବିତୀୟ ଥର ପାଇଁ ଟ୍ରଫି ଜିତିବା ଲକ୍ଷ୍ୟ ରଖି ଖେଳିବେ। ଅନ୍ୟପକ୍ଷରେ ଲିଓନେଲ ମେସି ନିଜର ବିଶ୍ବକପ ସ୍ବପ୍ନ ପୂରଣ କରିବା ନେଇ ପ୍ରାଣମୂର୍ଚ୍ଛା ଉଦ୍ୟମ କରିବେ। ଏଥିପାଇଁ ୮୦ ହଜାର ଦର୍ଶକ କ୍ଷମତା ବିଶିଷ୍ଟ ଲୁସାଇଲର ଆଇକନିକ୍ ଷ୍ଟାଡ଼ିୟମ ପ୍ରସ୍ତୁତ। ସାରା ବିଶ୍ବର ଫୁଟବଲ ପ୍ରେମୀଙ୍କ ନଜର ଏହି ହାଇଭୋଲଟେଜ ଫାଇନାଲ ଉପରେ ରହିଛି।
ଫ୍ରାନ୍ସ ନା ଆର୍ଜେଣ୍ଟିନା କିଏ ୩ଥର ପାଇଁ ବିଶ୍ବକପ ଜିତିବ ତାହାକୁ ନେଇ ଚାରିଆଡେ ଉତ୍କଣ୍ଠା ପ୍ରକାଶ ପାଇଛି। ଚାରି ସପ୍ତାହ ତଳେ ଯେତେବେଳ କାତାରରେ ବିଶ୍ବକପ ଆରମ୍ଭ ହୋଇଥିଲା ଆର୍ଜେଣ୍ଟିନା ଓ ଫ୍ରାନ୍ସ ଫାଇନାଲରେ ପ୍ରବେଶ କରିବା ନେଇ ଏକାଧିକ ଫୁଟବଲପ୍ରେମୀ ଆଶା କରିଥିଲେ। ଜର୍ମାନୀ ପ୍ରଥମ ରାଉଣ୍ଡରୁ କ୍ବାର୍ଟରରୁ ବ୍ରାଜିଲ ବିଦାୟ ନେବା ପରେ ଆର୍ଜେଣ୍ଟିନା ଓ ଫ୍ରାନ୍ସ ହିଁ ଫାଇନାଲ ଖେଳିବାର ଦାବିଦାର ଥିଲେ । ଯାହା ଏବେ ସତରେ ପରିଣତ ହୋଇଛି। ଫିଫା ମାନ୍ୟତାର ୪ର୍ଥ ସ୍ଥାନରେ ଥିବା ଫ୍ରାନ୍ସ ଓ ୩ୟ ସ୍ଥାନରେ ଥିବା ଆର୍ଜେଣ୍ଟିନା ମଧ୍ୟରେ ଖେଳାଯିବାକୁ ଥିବା ଫାଇନାଲ ମ୍ୟାଚକୁ ଫୁଟବଲ ପଣ୍ଡିତମାନେ ସୁପର ଫାଇନାଲର ଆଖ୍ୟା ଦେଇଛନ୍ତି। ଯଦି ଫ୍ରାନ୍ସ ଚମ୍ପିଆନ ହୁଏ ତେବେ ଇଟାଲୀ ଓ ବ୍ରାଜିଲ ପରେ କ୍ରମାଗତ ଦ୍ବିତୀୟ ଥର ପାଇଁ ଚମ୍ପିଆନ ସହ ୩ୟ ଟ୍ରଫି ହାସଲ କରିବ। ଅନ୍ୟପକ୍ଷରେ ଯଦି ଆର୍ଜେଣ୍ଟିନା ଚମ୍ପିଆନ ହୁଏ ତେବେ ୩୬ ବର୍ଷ ପରେ ୩ୟ ଟ୍ରଫି ହାସଲ କରିବ।
ଫ୍ରାନ୍ସ ୨୦୧୮ରେ ଚମ୍ପିଆନ ହୋଇଥିବାବେଳେ ଟ୍ରଫି ବଜାୟ ରଖିଲେ ୟୁରୋପୀୟ ପ୍ରାଧାନ୍ୟ ବଳବତ୍ତର ରହିବ। ଅନ୍ୟପକ୍ଷରେ ଆର୍ଜେଣ୍ଟିନା ଚମ୍ପିଆନ ହେଲେ ୟୁରୋପ ହାତରୁ ଲାଟିନ ଆମେରିକା ହାତକୁ ଟ୍ରଫି ଯିବ। ଆର୍ଜେଣ୍ଟିନା ପୂର୍ବରୁ ୧୯୭୮ ଓ ୧୯୮୬ରେ ଚମ୍ପିଆନ ହୋଇଥିବାବେଳେ ଫ୍ରାନ୍ସ ୧୯୯୮ ଓ ୨୦୧୮ରେ ଚମ୍ପିଆନ ହୋଇଥିଲା। ଫ୍ରାନ୍ସ ମୁଖ୍ୟ ପ୍ରଶିକ୍ଷକ ଡିଡିଏର ଡେସଚ୍ୟାମ୍ପ୍ସଙ୍କ ପାଇଁ ଏହି ଫାଇନାଲ ମ୍ୟାଚ ସ୍ମରଣୀୟ ରହିବ।ଯଦି ଫ୍ରାନ୍ସ ଚମ୍ପିଆନ ହୁଏ ତେବେ ୫୩ ବର୍ଷୀୟ ଡେସଚ୍ୟାମ୍ପ୍ସ ଖେଳାଳି ଓ ପ୍ରଶିକ୍ଷକ ଭାବେ ଦ୍ବିତୀୟ ଥର ପାଇଁ ଟ୍ରଫି ଜିତିବାରେ ସଫଳ ହେବେ।
Powered by Froala Editor
