ନୂଆବର୍ଷରେ ଜଗାଦର୍ଶନ ପାଇଁ ପୁରୀରେ ପ୍ରବଳ ଭିଡ

ନୂଆବର୍ଷରେ ଜଗାଦର୍ଶନ ପାଇଁ ପୁରୀରେ ପ୍ରବଳ ଭିଡ

ରାଜ୍ୟ ଖବର

ପୁରୀ : ନୂଆବର୍ଷରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ଲାଭ ପାଇଁ ପୁରୀରେ ଲକ୍ଷାଧିକ ଭକ୍ତ ଓ ପର୍ୟ୍ୟଟକଙ୍କ ସମାଗମ ହେଲାଣି। ଏହିଦିନ ମହାପ୍ରଭୁଙ୍କ ଦର୍ଶନ ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହେବ। କୌଣସି ଭକ୍ତ ମହାପ୍ରଭୁଙ୍କ ଦର୍ଶନରୁ ଯେପରି ବଞ୍ଚିତ ନହୁଅନ୍ତି, ସେଥିପାଇଁ ଆଜି ରାତି ୧ଟାରୁ ଦ୍ୱାରଫିଟା ନୀତି ଆରମ୍ଭ ହେବ।

ଏଥିପାଇଁ ମହାପ୍ରଭୁଙ୍କର ଆଜି ସଅଳ ପହୁଡ଼ କରାଯିବ । ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ, ସୁରକ୍ଷା ଓ ଭକ୍ତଙ୍କ ସୁବିଧା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ବଡ଼ଦାଣ୍ଡ ମଝିରେ ମାର୍କେଟ ଛକଠାରୁ ୨୦ଫୁଟର ଅସ୍ଥାୟୀ ବ୍ୟାରିକେଡ୍ କରାଯାଇଛି। ଖରାରୁ ରକ୍ଷା ପାଇଁ ବ୍ୟାରିକେଡ୍ ଉପରେ ସାମିଆନା ବନ୍ଧାଯାଇଛି । ଏଥିସହିତ, ଆଜି ମଧ୍ୟରାତ୍ରରୁ ବଡ଼ଦାଣ୍ଡକୁ ଭାରିଯାନ ପ୍ରବେଶ ନିଷିଦ୍ଧ କରାଯାଇଛି ।

ଶ୍ରୀମନ୍ଦିର ନୀତି କାନ୍ତି ଉପରେ ଭକ୍ତଙ୍କୁ ସୂଚନା ଦେବା ପାଇଁ ବଡ଼ଦାଣ୍ଡରେ ଏଲ୍ଇଡି ସ୍କ୍ରିନର ବ୍ୟବସ୍ଥା କରାଯାଉଛି। ୩୧ ଡିସେମ୍ବର ଏବଂ ଜାନୁଆରୀ ୧ରେ ଲକ୍ଷାଧିକ ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ପୁରୀରେ ୬୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବେ। ଶୃଙ୍ଖଳିତ ଟ୍ରାଫିକ ଓ ପାର୍କିଂ ପାଇଁ ମଧ୍ୟ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ସରିଥିବା କହିଛନ୍ତି ଏସପି।



Powered by Froala Editor