ଶିବସୁନ୍ଦର ଜାତୀୟ ବରିଷ୍ଠ ମନୋନୟନକାରୀ

ଶିବସୁନ୍ଦର ଜାତୀୟ ବରିଷ୍ଠ ମନୋନୟନକାରୀ

ଜାତୀୟ ଖବର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ କ‌େଣ୍ଟ୍ରାଲ୍‌ ବୋର୍ଡ (ବିସିସିଆଇ)  ନୂତନ ଜାତୀୟ ବରିଷ୍ଠ ପୁରୁଷ କ୍ରିକେଟ୍‌ ମନୋନୟନ କମିଟି ଘୋଷଣା କରିଛି। ନଭେମ୍ବର ୧୮ରେ ବିସିସିଆଇ ଦ୍ବାରା ବିତାଡ଼ିତ କମିଟିର ଅଧ୍ୟକ୍ଷ ଥିବା ପୂର୍ବତନ ଭାରତୀୟ ଫାଷ୍ଟବୋଲର ଚେତନ ଶର୍ମା ନବଗଠିତ ମନୋନୟନ କମିଟିର ଅଧ୍ୟକ୍ଷ ଭାବେ ପୁଣିଥରେ ନିଯୁକ୍ତ ହୋଇଛନ୍ତି।

 କମିଟିରେ ପୂର୍ବତନ ଟେଷ୍ଟ ଓପ୍‌ନର ଓଡ଼ିଶାର ଶିବସୁନ୍ଦର ଦାସ ସ୍ଥାନ ପାଇଛନ୍ତି। ଅନ୍ୟ ୩ ସଦସ୍ୟ ହେଲେ ଏସ୍. ଶରତ, ସଲିଲ ଆଙ୍କୋଲା ଓ ସୁବ୍ରତ ବାନାର୍ଜୀ। ନ୍ୟୁଜିଲାଣ୍ଡ ବିପକ୍ଷ ଦିନିକିଆ ଓ ଟ୍ବେଣ୍ଟି୨୦ ଶୃଙ୍ଖଳା ପାଇଁ ଭାରତୀୟ ଦଳ ମନୋନୟନ କରିବା ନୂତନ ମନୋନୟନ କମିଟିର ପ୍ରଥମ ଦାୟିତ୍ବ ହେବ।
୩ୟ ଓଡ଼ିଆ ଭାବେ ୪୫ ବର୍ଷ ବୟସ୍କ ଶିବସୁନ୍ଦର ଦାସ ଜାତୀୟ ବରିଷ୍ଠ କ୍ରିକେଟ୍‌ ମନୋନୟନ କମିଟିର ସଦସ୍ୟ ହୋଇଛନ୍ତି। ଭାରତୀୟ ଜୁନିୟର କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ରଞ୍ଜୀବ ବିଶ୍ବାଳ ପ୍ରଥମ ଓଡ଼ିଆ ଭାବେ ଜାତୀୟ ମନୋନୟନକାରୀ ହୋଇଥିଲେ। ପରେ ରାଜ୍ୟର ପ୍ରଥମ ଆନ୍ତର୍ଜାତିକ କ୍ରିକେଟର ଦେବାଶିଷ ମହାନ୍ତି ପ୍ରଥମେ ଜୁନିୟର ଏବଂ ପରେ ସିନିୟର ମନୋନୟନ କମିଟିର ସଦସ୍ୟ ହୋଇଥିଲେ। ଚେତନ ଶର୍ମା ନେତୃତ୍ବାଧୀନ ବିଦାୟୀ ମନୋନୟନ କମିଟିରେ ଦେବାଶିଷ ରହିଥିଲେ। ଦେବାଶିଷଙ୍କ ସ୍ଥାନରେ ଶିବସୁନ୍ଦର ଦାସ ମନୋନୟନକାରୀ ହୋଇଛନ୍ତି।

Powered by Froala Editor