ହକି ପୁରୁଷ ବିଶ୍ୱକପ୍ ୨୦୨୩ :	୨-୦ ଗୋଲରେ ସ୍ପେନ୍‌କୁ ପରାସ୍ତ କଲା ଭାରତ

ହକି ପୁରୁଷ ବିଶ୍ୱକପ୍ ୨୦୨୩ : ୨-୦ ଗୋଲରେ ସ୍ପେନ୍‌କୁ ପରାସ୍ତ କଲା ଭାରତ

ଖେଳ ଖବର

ରାଉରକେଲା : ଏଫଆଇଏଚ୍ ଓଡ଼ିଶା ହକି ପୁରୁଷ ବିଶ୍ୱକପ୍ ୨୦୨୩ରେ ପ୍ରଥମ ଦିନରେ ଚାରିଟି ମ୍ୟାଚ୍ ଖେଳା ଯାଇଥିବା ବେଳେ ଶେଷ ମ୍ୟାଚ୍‌ଟି ଭାରତ ଓ ସ୍ପେନ ମଧ୍ୟରେ ହୋଇଥିଲା। ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳା ଯାଇଥିବା ବେଳେ ଏଥିରେ ଭାରତ ବିଜୟୀ ହୋଇଛି। ଭାରତୀୟ ଦଳ ୨-୦ ଗୋଲରେ ସ୍ପେନ୍‌କୁ ପରାସ୍ତ କରିଛି। ଏହା ସହିତ ଦଳ ବିଜୟରୁ ତା’ର ବିଶ୍ୱକପ୍ ଅଭିଯାନ ଆରମ୍ଭ କରିଛି।


ପ୍ରଥମ କ୍ୱାର୍ଟର ଆରମ୍ଭରୁ ଭାରତ ଧୀମା ଖେଳିଥିଲା। କିନ୍ତୁ ସମୟ ବିତିବା ସହିତ ଦଳ ଖେଳର ବେଗ ବଢ଼ାଇଥିଲା। ଏହି କ୍ୱାର୍ଟରର ଅଧା ସମୟ ବିତିବା ପର୍ୟ୍ୟନ୍ତ ଭାରତ କିମ୍ବା ସ୍ପେନ୍ କାହାକୁ ପେନାଲ୍‌ଟି କର୍ଣ୍ଣର ମିଳି ନଥିଲା। ପରେ ଭାରତକୁ ପେନାଲ୍‌ଟି କର୍ଣ୍ଣର ମିଳିଥିଲା। ପ୍ରଥମ ପେନାଲ୍‌ଟି କର୍ଣ୍ଣରକୁ ଭାରତ ଗୋଲ୍‌ରେ ପରିଣତ କରିବାରେ ବିଫଳ ହୋଇଥିଲା। କିନ୍ତୁ ତା’ ପରେ ମିଳିଥିବା ପେନାଲ୍‌ଟି କର୍ଣ୍ଣରକୁ ଦଳ ଗୋଲରେ ପରିଣତ କରିଥିଲା। ଆଉ ଏହି ଗୋଲ୍‌ଟି କରିଥିଲେ ଦଳର ଉପ-ଅଧିନାୟକ ତଥା ଓଡ଼ିଶାର ଅମିତ ରୋହିଦାସ। ପ୍ରଥମ କ୍ୱାର୍ଟର ଶେଷ ସୁଦ୍ଧା ଭାରତ ୧-୦ ଗୋଲରେ ଆଗୁଆ ରହିଥିଲା।

ଦ୍ୱିତୀୟ କ୍ୱାର୍ଟରରେ ଭାରତୀୟ ଟିମ୍‌ରେ ସାମାନ୍ୟ ପରିବର୍ତ୍ତନ ହୋଇଥିଲା। ଶ୍ରୀଜେଶଙ୍କ ସ୍ଥାନରେ କୃଷ୍ଣ ପାଠକ ଗୋଲ୍‌କିପର ଦାୟିତ୍ୱ ନେଇଥିଲେ। ଏହି କ୍ୱାର୍ଟରରେ ମଧ୍ୟ ଭାରତ ତା’ର ଆକ୍ରମଣ ଜାରି ରଖିଥିଲା। ସ୍ପେନ୍ କାଉଣ୍ଟର ଆଟାକ୍ କରିଥିଲା। କିନ୍ତୁ ଭାରତକୁ ଚେକ୍ ଦେବାରେ ବିଫଳ ହୋଇଥିଲା। ଏହି କ୍ୱାର୍ଟରରେ ସ୍ପେନ୍ ତା’ର ପ୍ରଥମ ପେନ୍‌ଲାଟି କର୍ଣ୍ଣର ପାଇଥିଲା। ତେବେ ଏହାକୁ ଗୋଲ୍‌ରେ ପରିଣତ କରିପାରି ନଥିଲା। ଭାରତୀୟ ଗୋଲ୍ କିପର କୃଷ୍ଣ ପାଠକ ଗୋଲ ହେବାକୁ ଦେଇ ନଥିଲେ। ଅନ୍ୟପକ୍ଷରେ ଭାରତ ଆଉ ଗୋଟିଏ ଗୋଲ୍ ଦେବାରେ ସଫଳ ହୋଇଥିଲା। ଏହି ଗୋଲ୍‌ଟି ହାର୍ଦ୍ଦିକ ସିଂହ ଦେଇଥିଲେ।
ଭାରତ ୨-୦ ଗୋଲରେ ଆଗୁଆ ରହି ତୃତୀୟ କ୍ୱାର୍ଟରରେ ପହଞ୍ଚିଥିଲା। ଏହି କ୍ୱାର୍ଟରରେ କେହି କାହା ଉପରେ ଗୋଲ୍ ଦେଇ ପାରି ନଥିଲେ। ଭାରତ କିଛି ସୁଯୋଗ ପାଇଥିଲେ ବି ସେଗୁଡ଼ିକୁ ଗୋଲ୍‌ରେ ପରିଣତ କରିପାରି ନଥିଲା। ତୃତୀୟ କ୍ୱାର୍ଟର ମଧ୍ୟ ୨-୦ରେ ଶେଷ ହୋଇଥିଲା।

ଚତୁର୍ଥ କ୍ୱାର୍ଟରରେ ସ୍ପେନ୍ ଖେଳକୁ ପ୍ରତ୍ୟାବର୍ତ୍ତନ କରିବାକୁ ପ୍ରୟାସ କରିଥିଲା। ଏହି କ୍ୱାର୍ଟରେ ଅଭିଷେକଙ୍କୁ ହଳଦିଆ କାର୍ଡ ମିଳିଥିଲା। ଫଳରେ ୧୦ ମିନିଟ୍ ପାଇଁ ୧୦ ଜଣ ଖେଳାଳିରେ ଦଳ ଖେଳିଥିଲା। ଏହି କ୍ୱାର୍ଟରରେ କିଛି ସମୟ ପାଇଁ ଭାରତକୁ ଚାପରେ ରଖି ସ୍ପେନ୍ ଏକ ପେନାଲ୍‌ଟି କର୍ଣ୍ଣର ପାଇଥିଲା। ତେବେ ଏହାକୁ ଗୋଲରେ ପରିଣତ କରି ପାରି ନଥିଲା। ପୁଣି ଗୋଲକିପରି କୃଷ୍ଣ ପାଠକ ଏଥିରେ ବାଧକ ସାଜିଥିଲେ। ଆଉ ଶେଷରେ ଭାରତ ବିଜୟୀ ହୋଇଥିଲା। ଅମିତ ରୋହିଦାସଙ୍କ ମ୍ୟାନ୍ ଅଫ୍‌ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା।



Powered by Froala Editor