ଭୁବନେଶ୍ୱର : ଆସନ୍ତା ୨ ବର୍ଷ ମଧ୍ୟରେ ରାଜ୍ୟର ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଇସିୟୁ ସେବା ଉପଲବ୍ଧ ହେବ । ଆସନ୍ତାବର୍ଷ ମାର୍ଚ୍ଚ ମାସ ସୁଦ୍ଧା ୧୯ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହି ସୁବିଧା ଉପଲବ୍ଧ ହେବାକୁ ଯାଉଥିବା ବେଳେ ୨୦୨୧ ସୁଦ୍ଧା ସବୁ ଜିଲ୍ଲାକୁ ଏହା ସମ୍ପ୍ରସାରିତ ହେବ । କର୍କଟ, ମଧୁମେହ, କାର୍ଡିଓ ଭାସ୍କୁଲାର ଓ ହୃଦଘାତର ନିରାକରଣ ଓ ନିୟନ୍ତ୍ରଣ ପାଇଁ ଜାତୀୟ ଯୋଜନା ଏନପିସିଡିସିଏସ ଟାସ୍କଫୋର୍ସ କାର୍ଯ୍ୟକାରୀ ହେଉଛି । ଏହାର ପ୍ରଥମ ରାଜ୍ୟସ୍ତରୀୟ ବୈଠକ ଆଜି ଅନୁଷ୍ଠିତ ହୋଇଥିଲା । ଟାସ୍କଫୋର୍ସର ଅଧ୍ୟକ୍ଷ ତଥା ସ୍ୱାସ୍ଥ୍ୟ ସଚିବ ଡା.ପ୍ରମୋଦ କୁମାର ମେହେର୍ଦାଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବା ସହିତ ଏହି ଯୋଜନା ସଂକ୍ରାନ୍ତରେ ବିସ୍ତୃତ ଆଲୋଚନା ହୋଇଥିଲା । ଏବେ ଜୀବନଶୈଳୀରେ ପରିବର୍ତ୍ତନ ଯୋଗୁଁ ଅନେକ ଲୋକ କର୍କଟ, ମଧୁମେହ ଓ ହୃଦଘାତ ଭଳି ଅଣସଂକ୍ରମିତ ରୋଗରେ ଆକ୍ରମିତ ହେଉଛନ୍ତି । ଏ ସବୁ ରୋଗର ନିୟନ୍ତ୍ରଣ, ନିରାକରଣ ଓ ଚିକିତ୍ସା ପାଇଁ ବୈଠକରେ କେତେକ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ଜାତୀୟ ଯୋଜନାରେ କେବଳ କନ୍ଧମାଳ ଜିଲ୍ଲାରେ ଶବ୍ଦ ନିରୋଧୀ କୋଠରି ରହିଛି । ଆସନ୍ତା ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହା ୩୦ ଜିଲ୍ଲାକୁ ସମ୍ପ୍ରସାରିତ ହେବ । ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏହା ୩୦ ଜିଲ୍ଲାକୁ ସମ୍ପ୍ରସାରିତ ହେବ । ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ଏସସିବି ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲରେ ଇଏନଟି ବିଭାଗରେ ଦୁଇଟି ଟେମ୍ପୋରାଲ ବୋନ୍ ପରୀକ୍ଷାଗାର ପ୍ରତିଷ୍ଠା ହେବ । ମେଡିକାଲ ଅଫିସର ଓ ଷ୍ଟାଫ ନର୍ସମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରାଯାଇ ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଡେ-କେୟାର କେମୋଥେରାପି ସେବା ଯୋଗାଇ ଦିଆଯିବ । ଏବେ ୨୬ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହା ଉପଲବ୍ଧ ହେଉଛି । ଚଳିତ ଆର୍ଥିକ ବର୍ଷରେ ବୟସ୍କ ଲୋକଙ୍କ ଚିକିତ୍ସା ଲାଗି ଥିବା ୧୦ ଶଯ୍ୟା ବିଶିଷ୍ଟ ଜେରିଆଟିକ୍ ୱାର୍ଡ ୧୩ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସମ୍ପ୍ରସାରିତ ହେବ । ଏବେ ୮ଟି ଜିଲ୍ଲାରେ ଏହି ସୁବିଧା ଉପଲବ୍ଧ ହେଉଛି । ସେହିପରି ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା କ୍ୟାପିଟାଲ ହସ୍ପିଟାଲ ଓ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କର୍କଠରୋଗୀଙ୍କ ଉପଶମ ସେବା ଉପଲବ୍ଧ ହେବ । ପରବର୍ତ୍ତୀ ସମୟରେ ଏହା ସମସ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟ କରିବେ । ଏଥିପାଇଁ କର୍ମଚାରୀମାନଙ୍କୁ କଟକ ସ୍ଥିତ ଆଚାର୍ଯ୍ୟ ହରିହର କର୍କଟ ଗବେଷଣା କେନ୍ଦ୍ରରେ ତାଲିମ ଦିଆଯିବ । ଏବେ ୧୩ଟି ଜିଲ୍ଲାରେ ତମାଖୁ ମୁକ୍ତି କେନ୍ଦ୍ର କାର୍ଯ୍ୟ କରୁଥିବା ବେଳେ ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ୩୦ଟି ଜିଲ୍ଲାକୁ ଏହାକୁ ସମ୍ପ୍ରସାରିତ କରାଯିବ । ଏହି ଟାସ୍କଫୋର୍ସ ବୈଠକରେ ଜାତୀୟ ଗ୍ରାମ୍ୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ, ରାଜ୍ୟ ଔଷଧ ନିଗମର ପରିଚାଳନା ନିର୍ଦ୍ଦେଶିକା ଯାମିନୀ ଷଡଙ୍ଗୀ, ଯୁଗ୍ମ ସଚିବ ଗୁହା ପୁନମ ତାପସ କୁମାର, ସ୍ୱତନ୍ତ୍ର ସଚିବ ଡା.ବି.କେ ବ୍ରହ୍ମା, ଡା.ହରପ୍ରସାଦ ପଟ୍ଟନାୟକ, ଡିଏମଇଟି ସୋନାମାଲ ବାଗ, ଏନଆର୍ସିସିର ନିର୍ଦ୍ଦେଶକ ଡା. ଲଲାଟେନ୍ଦୁ ଷଡଙ୍ଗୀ, ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ଡା.ଦିଲ୍ଲୀପ ଷଡଙ୍ଗୀ, ପରିବାର କଲ୍ୟାଣ ନିର୍ଦ୍ଦେଶକଙ୍କ ସମେତ ପ୍ରଫେସର ଡା.ବି.ଏନ୍. ମହାପାତ୍ର, ପ୍ରଫେସର ଡା.ଚିତ୍ତରଞ୍ଜନ କର, ସହଯୋଗୀ ପ୍ରଫେସର ଡା.ଏନ.କେ.ମହାନ୍ତି, ଡା. ମୀନାକ୍ଷି ମହାନ୍ତି ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।
