ଦୀର୍ଘ ସମୟ ଧରି ବସି ରହୁଛନ୍ତିକି? ଭୋଗିବେ ଏହି ସମସ୍ୟା

ଦୀର୍ଘ ସମୟ ଧରି ବସି ରହୁଛନ୍ତିକି? ଭୋଗିବେ ଏହି ସମସ୍ୟା

ବିଶେଷ ଖବର

ଦିନସାରା ବସି ରହିବାର ବିପଦ ବିଷୟରେ ଆପଣ ଶୁଣିଥିବେ । କିନ୍ତୁ ଚାକିରିରେ ଏହି ସମସ୍ୟାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ । ଏହି କ୍ରମରେ ଦୀର୍ଘ ସମୟ ବସି ରହିବାର ପ୍ରଭାବ ଉପରେ ଏକ ସଦ୍ୟ ଅଧ୍ୟୟନ ଆଲୋକପାତ କରିଛି । ଅଧ୍ୟୟନ ଅନୁସାରେ, ପ୍ରତି ଅଧ ଘଣ୍ଟାରେ ୫ ମିନିଟ୍‌ ଲେଖାଏଁ ଚାଲିବା ଦ୍ୱାରା ଦିନ ତମାମ ଦୀର୍ଘ ସମୟ ଧରି ବସି ରହିବା ଯୋଗୁ ସାମ୍ନାକୁ ଆସୁଥିବା କେତେକ ସମସ୍ୟାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ପାରିବ। ଆମେରିକାନ୍‌ କଲେଜ୍‌ ଅଫ୍‌ ସ୍ପୋର୍ଟ୍‌ସ ମେଡିସିନ୍‌ ପତ୍ରିକାରେ ଅଧ୍ୟୟନର ତଥ୍ୟ ପ୍ରକାଶ ପାଇଛି।

ଅଧ୍ୟୟନର ମୁଖ୍ୟ ଲେଖକ ତଥା କୋଲମ୍ବିୟା ୟୁନିଭର୍ସିଟି ମେଡିକାଲ ସେଣ୍ଟର୍‌ର ବିହେଭିଓରାଲ ମେଡିସିନ୍‌ର ସହଯୋଗୀ ପ୍ରଫେସର କିଥ୍‌ ଡିଆଜ୍‌ କହିଛନ୍ତି, ବୈଜ୍ଞାନିକମାନେ ଜାଣନ୍ତି ଯେ ବସି ରହିବା ଦ୍ୱାରା ମଧୁମେହ, ହୃଦ୍‌ରୋଗ ଓ ନିର୍ଦ୍ଦିଷ୍ଟ ପ୍ରକାର କର୍କଟ ଭଳି ଦୀର୍ଘକାଳୀନ ରୋଗର ଆଶଙ୍କା ବଢ଼ିଥାଏ । କିନ୍ତୁ କେତେ ସମୟ ବସିବା ଉଚିତ୍‌ ଏବଂ କେତେ ସମୟ ଚଲାବୁଲା କରିବା ଉଚିତ୍‌, ଏପର୍ୟ୍ୟନ୍ତ ତା’ର ସ୍ପଷ୍ଟ ମାର୍ଗଦର୍ଶିକା ଜାରି ହୋଇନାହିଁ ।

ଡିଆଜ୍‌ଙ୍କ କହିବା ଅନୁସାରେ, ଦୀର୍ଘ ଦଶନ୍ଧି ଧରି ଆମେ ଜାଣିଛୁ ଯେ ବସି ରହିବା ଦ୍ୱାରା ଅଧିକାଂଶ ଘାତକ ରୋଗର ଆଶଙ୍କା ସହିତ ସମୟ ପୂର୍ବରୁ ମୃତ୍ୟୁ ଆଶଙ୍କା ବଢ଼ିଥାଏ । ତେଣୁ ବସି ରହିବାର ବିପଦକୁ ଏଡ଼ାଇବା ପାଇଁ ଲୋକଙ୍କୁ ନିର୍ଦ୍ଦିଷ୍ଟ ମାର୍ଗଦର୍ଶନ ପ୍ରଦାନ କରିବା ଉଚିତ୍‌ । ସେ କହିଛନ୍ତି, ଅଧିକାଂଶ ଲୋକେ ଚାଲୁଥିବା ସାଧାରଣ ଚାଲିଠୁ ଏହି ଚାଲି ଆହୁରି ଧୀମା ହୋଇପାରେ । ଅର୍ଥାତ୍‌ ଘଣ୍ଟା ପ୍ରତି ୧.୯ ମାଇଲ ଭଳି ହାଲୁକା ଚାଲିବା ଉଚିତ୍‌ । ଏହାର ଲକ୍ଷ୍ୟ ହେଉଛି କିଛି ଗତିବିଧି ଜରିଆରେ ବସିବାର ଧାରାକୁ ଭଙ୍ଗ କରିବା ।

ଅଧ୍ୟୟନ ପାଇଁ ବସିବା ଓ ଚାଲିବା ଅବଧିର ଭିନ୍ନ ଭିନ୍ନ ସମଷ୍ଟି ନିମନ୍ତେ ଅନେକ ସ୍ୱାସ୍ଥ୍ୟ ମାନଦଣ୍ଡକୁ ମପାଯାଇଥିଲା । ତେବେ ବସିବା କାହିଁକି ଏତେ ଖରାପ ବୋଲି ବୈଜ୍ଞାନିକମାନେ ଏପର୍ୟ୍ୟନ୍ତ ସଠିକ୍‌ ଜାଣିପାରୁ ନାହାନ୍ତି । କିନ୍ତୁ ରକ୍ତ ଶର୍କରା ଓ କୋଲେଷ୍ଟରଲ୍‌ ସ୍ତର ଆଦିକୁ ନିୟନ୍ତ୍ରିତ କରିବାରେ ମାଂସପେଶୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରେ । ତାହା ହେଉଛି କାମ କରିବାର ଥିଓରି । ଯେତେବେଳେ ଆପଣ ଦୀର୍ଘ ସମୟ ଧରି ବସି ରହନ୍ତି, ଆପଣଙ୍କ ମାଂସପେଶୀ ପରସ୍ପର ସହ ସମ୍ପର୍କ କରିବା ଏବଂ ଉତ୍ତମ ରୂପେ ପରିଚାଳିତ ହେବାର ସୁଯୋଗ ପାଆନ୍ତି ନାହିଁ ବୋଲି ଡିଆଜ୍‌ କହିଛନ୍ତି ।

ଅତି କମ୍‌ ସମୟର ଗତିବିଧି, ଏପରିକି ପ୍ରତି ୧ ଘଣ୍ଟାରେ ୧ ମିନିଟ୍‌ ପାଇଁ ଚାଲିଲେ ମଧ୍ୟ ରକ୍ତ ଚାପରେ ସନ୍ତୋଷଜନକ ହ୍ରାସ ପ୍ରତିଯୋଗୀଙ୍କଠାରେ ଦେଖିବାକୁ ମିଳିଥିଲା ବୋଲି ଡିଆଜ୍‌ ସ୍ପଷ୍ଟ କରିଛନ୍ତି । ଅଧ୍ୟୟନର ସମସ୍ତ ପ୍ରତିଯୋଗୀ ସୁସ୍ଥ ବୟସ୍କ ଥିଲେ । ଏହାର ଅର୍ଥ ପୁରୁଣା ରୋଗରେ ପୀଡ଼ିତ ଲୋକେ ଏହି ମାର୍ଗ ଆପଣେଇ ଅପେକ୍ଷାକୃତ ଭଲ ଫଳ ପାଇପାରିବେ ବୋଲି ଅଧ୍ୟୟନ ଦର୍ଶାଇଛି ।

କାର୍ୟ୍ୟାଳୟରେ ବାରମ୍ବାର ସିଟ୍‌ରୁ ଉଠିବାର ଅନୁମତି ନ ଥିଲେ, ଲୋକେ ସେହି ସ୍ଥାନରେ ରହି ବାରମ୍ବାର ସିଟ୍‌ରୁ ଉଠି ପୁଣି ବସି ପାରିବେ । ଶରୀରକୁ ବାରମ୍ବାର ଗତିଶୀଳ କରିପାରିବେ ବୋଲି ବୈଜ୍ଞାନିକମାନେ ପ୍ରସ୍ତାବ ଦେଇଛନ୍ତି । ଶରୀର ସଙ୍କୋଚନ ଓ ପ୍ରସାରଣ ସହିତ ସବୁ ଦିଗରେ ହାତକୁ ବୁଲାଇବା ଉଚିତ୍‌ ବୋଲି ଡିଆଜ୍‌ କହିଛନ୍ତି ।



Powered by Froala Editor