୯ଟା ସୁଦ୍ଧା ଉଡିବ ଜାତୀୟ ପତାକା

୯ଟା ସୁଦ୍ଧା ଉଡିବ ଜାତୀୟ ପତାକା

ରାଜ୍ୟ ଖବର



ଭୁବନେଶ୍ୱର : ସାଧାରଣତନ୍ତ୍ର ଦିବସରେ ପୂର୍ବାହ୍ନ ସାଢେ ୯ଟା ସୁଦ୍ଧା ଦେଶର ସମସ୍ତ ଶିକ୍ଷାନୁଷ୍ଠାନରେ ଜାତୀୟପତାକା ଉଡିବ । କୋଭିଡ୍‌ ସ୍ଥିତିକୁ ଦେଖି ଭର୍ଚୁଆଲ ନହେଲେ ଫିଜିକାଲ ମୋଡରେ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ ପତାକା ଉତ୍ତୋଳନ କରିବେ । ସମସ୍ତ ସ୍କୁଲ ଶିକ୍ଷକ, କର୍ମଚାରୀ ଓ ଛାତ୍ରଛାତ୍ରୀ ଉତ୍ସବରେ ଭାଗ ନେଇପାରିବେ । ଦେଶ ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରୁଥିବାରୁ ପ୍ରତି ସ୍କୁଲ ପିଲା କ୍ରାଫ୍ଟ ପ୍ରକଳ୍ପ ପସ୍ତୁତ କରିବେ ଏବଂ ତାହାକୁ ସୀମାରେ ନିୟୋଜିତ ଯବାନଙ୍କ ନିକଟକୁ ପଠାଇପାରିବେ। ତାହା କିଭଳି ଯବାନଙ୍କ ନକଟରେ ପହଞ୍ଚିବ, ସେଥିପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ କେନ୍ଦ୍ରୀୟ ବ୍ୟବସ୍ଥା କରାଯାଇଛି । ଯଦି ସ୍କୁଲ ବନ୍ଦ ରହିଥାଏ, ତେବେ ପିଲାମାନେ ସେମାନଙ୍କ ଘରେ ରହି  ପ୍ରକଳ୍ପକୁ ପଠାଇପାରିବେ ।

‘ୱଷ୍ଟ ଟୁ ବେଷ୍ଟ’, ‘ୱେଷ୍ଟ ଟୁ ୱେଲ୍‌ଥ’ ଥିମରେ ପ୍ରକଳ୍ପଗୁଡିକ ପ୍ରସ୍ତୁତ ହେବା ଆବଶ୍ୟକ । ସମସ୍ତ କ୍ରାଫ୍ଟ ପ୍ରୋଜେକ୍ଟ/ ମଡେଲଗୁଡିକ ଆରଡିସି ୱେବସାଇଟରେ ସ୍କୁଲ ନାମ ଓ ଅନ୍ୟାନ୍ୟ ତଥ୍ୟ ସହ ପ୍ରକାଶ ପାଇବ । ଶ୍ରେଷ୍ଠ ପ୍ରକଳ୍ପକୁ ଜାତୀୟ ସ୍ତରରେ ସମ୍ମାନିତ କରାଯିବ । ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଅବସରରେ ‘ବୀରଗାଥା’ ଓ  ‘ବନ୍ଦେ ମାତରଂ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବାରୁ କେନ୍ଦ୍ର ଓ ରାଜ୍ୟ ସରକାର  ଏ ଦିଗରେ ପଦକ୍ଷେପ ନେବେ । ୨୫ ତାରିଖ ସୁଦ୍ଧା ଶିକ୍ଷାନୁଷ୍ଠାନସ୍ତରରେ ବକ୍ତୃତା, ନାଟକ, ରଚନା, ଲେଖନୀ, କ୍ଲାସ ପ୍ରୋଜେକ୍ଟ ପରି ପ୍ରତିଯୋଗିତା ଆୟୋଜନ କରି ୨୬ତାରିଖରେ ପୁରସ୍କାର ପ୍ରଦାନ କରିବାକୁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।  

 



Powered by Froala Editor