ମୋ ବିରୋଧରେ ପ୍ରଚାର କଲେ ମୁଁ ବି ଛାଡିବିନି : ସିଦ୍ଧରମୈୟା

ମୋ ବିରୋଧରେ ପ୍ରଚାର କଲେ ମୁଁ ବି ଛାଡିବିନି : ସିଦ୍ଧରମୈୟା

ଜାତୀୟ ଖବର

ବେଙ୍ଗାଲୁରୁ: କର୍ଣ୍ଣାଟକରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ କୋଲାର ଆସନରୁ ଲଢିବାକୁ ନିଷ୍ପତ୍ତି ନେଇଥିବା ବରିଷ୍ଠ କଂଗ୍ରେସ ନେତା ସିଦ୍ଧରମୈୟା ଶନିବାର ଦିନ ଦୃଢୋକ୍ତି ପ୍ରକାଶ କରିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ତାଙ୍କ ବିରୋଧରେ ପ୍ରଚାର କଲେ ମଧ୍ୟ ସେ ନିଶ୍ଚିତ ଭାବେ ଜିତିବେ।ପୂର୍ବତନ ମୁଖ୍ୟମନ୍ତ୍ରୀ ତାଙ୍କ ନିର୍ବାଚନ ମଣ୍ଡଳୀକୁ ଉତ୍ତର କର୍ଣ୍ଣାଟକର ବାଗାଲକୋଟ ଜିଲ୍ଲାର ବାଦାମିରୁ କୋଲାରକୁ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ନିର୍ବାଚନ ପ୍ରଚାରରେ ବିଜେପିର ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିମ୍ବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଆସି ମୋ ବିରୋଧରେ ପ୍ରଚାର କରନ୍ତୁ, ଏହା କୌଣସି ପ୍ରଭାବ ପକାଇ ପାରିବ ନାହିଁ; ମୁଁ ନିଶ୍ଚିତ ଭାବରେ କୋଲାରରୁ ଜିତିବି ବୋଲି ସିଦ୍ଧରମୈୟା ସାମ୍ବାଦିକମାନଙ୍କୁ କହିଛନ୍ତି।

କଂଗ୍ରେସର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଭେଟେରାନ ନେତା ସିଦ୍ଧରମୈୟା ଆହୁରି ମଧ୍ୟ କହିଛନ୍ତି ଯେ ୨୦୧୮ ବିଧାନସଭା ନିର୍ବାଚନରେ ସେ ଯେଉଁଠାରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ସେଠାରୁ ସେ ହାରିବେ ବୋଲି କୁହାଯାଉଥିଲା ଏବଂ ଅମିତ ଶାହା ଏବଂ ଅନ୍ୟ ବରିଷ୍ଠ ବିଜେପି ନେତାଙ୍କ ତାଙ୍କ ବିରୋଦରେ ପ୍ରଚାର ସତ୍ତ୍ୱେ ସେ ଜିତିଥିଲେ।ଜେଡି(ଏସ୍‌) ପ୍ରାର୍ଥୀ ଜି ଟି ଦେବେଗୌଡାଙ୍କ ବିପକ୍ଷରେ ୩୬,୦୦୦ରୁ ଅଧିକ ଭୋଟ୍‌ ବ୍ୟବଧାନରେ ସେ ଚାମୁଣ୍ଡେଶ୍ୱରୀ ଆସନରୁ ପରାଜିତ ହୋଇଥିବା ବେଳେ ବାଦାମି ଆସନରୁ ବିଜେପିର ବି ଶ୍ରୀରାମୁଲୁଙ୍କୁ ହରାଇ ଜିତିଥିଲେ।

ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ସ୍ପଷ୍ଟ କରିଛନ୍ତି ଯେ ସେ ଏଥର ବାଦାମିରୁ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। କାରଣ, ଏହି ନିର୍ବାଚନ ମଣ୍ଡଳୀ ବହୁତ ଦୂରରେ ଏବଂ ବୟସ ତାଙ୍କୁ ସେଠାରୁ ନିର୍ବାଚନ ଲଢିବାରୁ ଦୂରେଇ ରଖିବାର ଏକ ମୁଖ୍ୟ କାରଣ। ସେ କହିଛନ୍ତି, ବାଦାମିର ଲୋକମାନେ ମୋତେ ସେଠାରେ ଚାହାଁନ୍ତି କିନ୍ତୁ ବୟସ ସମ୍ବନ୍ଧୀୟ ସମସ୍ୟା ଏବଂ ଦୂରତା ହେତୁ ମୁଁ କୋଲାରରୁ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଛି।

Powered by Froala Editor