ଭୁବନେଶ୍ୱର : ୨୨ଟି ଜାତିକୁ ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗ ବା ଏସଇବିସିରେ ଅନ୍ତର୍ଭୁକ୍ତ କରାଯିବ । ଅନୁଦାନପ୍ରାପ୍ତ ବେସରକାରୀ କଲେଜ କର୍ମଚାରୀଙ୍କ ଦରମା ବି ବୃଦ୍ଧି ପାଇଛି । ସୁବର୍ଣ୍ଣରେଖାରେ ସେତୁ ଓ ଯାଜପୁର, ନୟାଗଡ଼ ଏବଂ ମାଲକାନାଗିରିରେ ଜଳ ପ୍ରକଳ୍ପ କରାଯିବ । ଏଥିପାଇଁ ସର୍ବନିମ୍ନ ଟେଣ୍ଡରକୁ ବି ମଂଜୁରୀ ଦିଆଯାଇଛି । ରାଜ୍ୟ କ୍ୟାବିନେଟରେ ଏହିପରି ୧୨ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ବୈଠକରେ ବିଭିନ୍ନ ବିଭାଗର ୧୨ଟି ପ୍ରସ୍ତାବ ଉପରେ ଆଲୋଚନା କରାଯିବା ସହ କ୍ୟାବିନେଟର ମୋହର ଲାଗିଥିଲା । ପଛୁଆ ବର୍ଗଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ନିମନ୍ତେ ରାଜ୍ୟ ସରକାରଙ୍କୁ କ୍ଷମତା ପ୍ରଦାନ କରାଯାଇଛି । ଓଡ଼ିଶାର ୨୨ଟି ଜାତି ଓ ସମ୍ପ୍ରଦାୟକୁ କେନ୍ଦ୍ର ସରକାର ଓବିସି ତାଲିକା ଭୁକ୍ତ କରିଛନ୍ତି । କିନ୍ତୁ ସେହି ଜାତିଗୁଡ଼ିକୁ ଏଯାଏଁ ଏସଇବିସିର ଅନ୍ତର୍ଭୁକ୍ତ କରାଯାଇନାହିଁ । ଓବିସି ତାଲିକାଭୁକ୍ତ ଜାତିଗୁଡ଼ିକୁ ଏସଇବିସିରେ ଅନ୍ତର୍ଭୁକ୍ତ କରିବା ପାଇଁ ଓଡ଼ିଶା ରାଜ୍ୟ ପଛୁଆ ବର୍ଗ ଆୟୋଗ ଅଧିନିୟମରେ ସଂଶୋଧନ କରାଯିବ । ଏସଂକ୍ରାନ୍ତୀୟ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି ।
ଗୋବରଘାଟଠାରେ ସୁବର୍ଣ୍ଣରେଖା ନଦୀ ଉପରେ ଏକ ଉଚ୍ଚସ୍ତରୀୟ ସେତୁ ନିର୍ମାଣ କରିବାକୁ ସରକାର ନିଷ୍ପତି ନେଇଛନ୍ତି । ଫଳରେ ଜଳେଶ୍ୱର ଓ ମୟୂରଭଞ୍ଜ ମଧ୍ୟରେ ଯାତାୟତ ସୁବିଧା ହୋଇପାରିବ । ଏହି ସେତୁ ନିର୍ମାଣ ପାଇଁ ବିରଜା କନଷ୍ଟ୍ରକସନ ଦାଖଲ କରିଥିବା ସର୍ବନିମ୍ନ ୧୦୧ କୋଟି ୬୬ ଲକ୍ଷ ୩୪ ହଜାର ଟଙ୍କାର ଟେଣ୍ଡରକୁ କ୍ୟାବିନେଟ ମଂଜୁର କରିଛନ୍ତି ।
ବାଗଚି ଶ୍ରୀଶଙ୍କର କର୍କଟ ଚିକିତ୍ସା କେନ୍ଦ୍ର ଏବଂ ଅନୁସନ୍ଧାନ ପ୍ରତିଷ୍ଠାନକୁ ରାଜ୍ୟ ସରକାର ଆଉ ୨ ଏକର ଜମି ମାଗଣାରେ ଯୋଗାଇଦେବେ । ସେହି ଜମିରେ ରୋଗୀଙ୍କ ରହଣୀ ପାଇଁ ବିଶ୍ରାମ ଗୃହ ନିର୍ମାଣ କରାଯିବ । ଖୋର୍ଦ୍ଧା ଜିଲ୍ଲା ଜଟଣୀ ତହସିଲ ଅନ୍ତର୍ଗତ ଚାନ୍ଦିହାତ ମୌଜାରେ ଏହି ୨ ଏକର ଜମି ପ୍ରଦାନ କରାଯିବ । ଏସଂକ୍ରାନ୍ତୀୟ ପ୍ରସ୍ତାବ ଉପରେ କ୍ୟାବିନେଟର ମୋହର ଲାଗିଛି ।
ଯାଜପୁର ଜିଲ୍ଲାରେ ଦୁଇଟି ବୃହତ ପାନୀୟ ଜଳ ପ୍ରକଳ୍ପ ପାଇଁ ଆହ୍ୱାନ କରାଯାଇଥିବା ଟେଣ୍ଡରକୁ ମଞ୍ଜୁର କରାଯାଇଛି । ମୁମ୍ବାଇର କେପିଟିଏଲ/ଜେଏମସି କମ୍ପାନୀ ୨୫୪ କୋଟି ୬ ଲକ୍ଷ ୨୦ ହଜାର ଟଙ୍କାର ସର୍ବନିମ୍ନ ନିବିଦାକୁ ଅନୁମୋଦନ ମିଳିଛି । ୨୪ ମାସ ମଧ୍ୟରେ ପ୍ରକଳ୍ପ କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ବରି ଓ କୋରେଇ ବ୍ଳକରେ ଏହି ପ୍ରକଳ୍ପ କରାଯିବ । ସେହିପରି ନୟାଗଡ଼ରେ ମଧ୍ୟ ୩ଟି ପାନୀୟ ଜଳ ପ୍ରକଳ୍ପ କରାଯିବ । ଗଣିଆ, ଦଶପଲ୍ଲା ଓ ନୂଆଗାଁ ବ୍ଲକରେ ୩ଟି ପ୍ରକଳ୍ପ ହେବ । ମୁମ୍ବାଇର କେପିଟିଏଲ/ଜେଏମସି କମ୍ପାନୀର ୩୯୩ କୋଟି ୯୩ ଲକ୍ଷ ୧୮ ହଜାର ଟଙ୍କାର ସର୍ବନିମ୍ନ ନିବିଦାକୁ ଅନୁମୋଦନ କରାଯାଇଛି । ଏହାଛଡ଼ା ମାଲକାନାଗିରି ଜିଲ୍ଲାର ଖଇରପୁଟ ବ୍ଲକ, ମାଲକାନାଗିରି, ମାଥିଲି ଓ କାଲିମେଳା ବ୍ଲକରେ ୪ଟି ପ୍ରକଳ୍ପ କରାଯିବ । ମୁମ୍ବାଇର ଏସପିଏମଏଲ ଓ କେଇସି ଇଂଟରନାସନାଲର ୬୯୩ କୋଟି ୨୬ ଲକ୍ଷ ୯୦ ହଜାର ଟଙ୍କାର ସର୍ବନିମ୍ନ ନିବିଦାକୁ କ୍ୟାବିନେଟ ମଂଜୁରୀ ପ୍ରଦାନ କରିଛନ୍ତି ।
ଅନୁଦାନପ୍ରାପ୍ତ ବେସରକାରୀ ମହାବିଦ୍ୟାଳୟ ଓ ପୂର୍ବତନ କନିଷ୍ଠ ମହାବିଦ୍ୟାଳୟର ଯୋଗ୍ୟ କର୍ମଚାରୀଙ୍କୁ ଓଡ଼ିଶା ସଂଶୋଧିତ ବେତନ ହାର ନିୟମ ଅନୁସାରେ ବର୍ଦ୍ଧିତ ଅନୁଦାନ ଦିଆଯିବ । ୨୦୨୨ ଜାନୁଆରୀ ପହିଲାରୁ ସେମାନଙ୍କୁ ଏହି ଅନୁଦାନ ମିଳିବ । ଏହାଦ୍ୱାରା ୧୫୭୭୧ ଜଣ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ଉପକୃତ ହେବେ । ଏଥିପାଇଁ ସରକାରଙ୍କୁ ୨୯୦ କୋଟି ଟଙ୍କାର ଆର୍ଥିକ ବୋଝ ବହନ କରିବାକୁ ପଡ଼ିବ । ଏସଂକ୍ରାନ୍ତୀୟ ପ୍ରସ୍ତାବ ଉପରେ କ୍ୟାବିନେଟର ମୋହର ଲାଗିଛି । ଏହି ପ୍ରସ୍ତାବକୁ କାର୍ଯ୍ୟକାରୀ କରିବା ପାଇଁ ନୂତନ ଅନୁଦାନ ନୀତି ଆସିବ ।
Powered by Froala Editor
