ବାଙ୍ଗାଲୋର: ସୁପ୍ରିମକୋର୍ଟରେ ମହାରାଷ୍ଟ୍ର ସହ ସୀମା ବିବାଦକୁ ନେଇ ଜଡିତ ଏକ ମାମଲା ଲଢ଼ିବା ପାଇଁ କର୍ଣ୍ଣାଟକ ସରକାର ବରିଷ୍ଠ ଓକିଲ ମୁକୁଲ ରୋହତଗୀ ଓ ତାଙ୍କର ଆଇନଜୀବୀ ଟିମ ପାଇଁ ଦିନକୁ ପ୍ରାୟ ୬୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବେ | ସୀମା ବିବାଦ ଉପରେ ମହାରାଷ୍ଟ୍ର ସରକାରଙ୍କ ଦ୍ୱାରା ଦାଖଲ ହୋଇଥିବା ମୂଳ ମକଦ୍ଦମା (ନମ୍ବର ୪/୨୦୦୪)ରେ ସୁପ୍ରିମକୋର୍ଟରେ କର୍ଣ୍ଣାଟକକୁ ପ୍ରତିନିଧିତ୍ୱ କରିବାକୁ ଆଇନ ଦଳ ପାଇଁ ସର୍ତ୍ତ ଏବଂ ବୃତ୍ତିଗତ ଶୁଳ୍କ ନିର୍ଦ୍ଧାରଣ କରାଯାଇଛି | ଏହା ମୁତାବକ ବରିଷ୍ଠ ଆଡଭୋକେଟ୍ ମୁକୁଲ ରୋହତଗୀଙ୍କୁ ସର୍ବୋଚ୍ଚ କୋର୍ଟରେ ହାଜର ହେବା ପାଇଁ ପ୍ରତିଦିନ ୨୨ ଲକ୍ଷ ଟଙ୍କା ଏବଂ ଅନ୍ୟାନ୍ୟ ବୈଠକ ପାଇଁ ପ୍ରତିଦିନ ୫.୫ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ଅନ୍ୟ ଜଣେ ଓକିଲ ଶ୍ୟାମ ଦେୱାନଙ୍କୁ କୋର୍ଟରେ ହାଜର ହେବା ପାଇଁ ଦୈନିକ ୬ ଲକ୍ଷ ଟଙ୍କା ଓ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ଦୈନିକ ୧.୫ ଲକ୍ଷ ଟଙ୍କା ଦିଆଯିବ | ସେହିପରି ବାହାରକୁ ଗଲେ ସେଥିପାଇଁ ଦୈନିକ ୧୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ହୋଟେଲ ସୁବିଧା ସହ ବିଜନେସ ଶ୍ରେଣୀର ବିମାନ ଯାତ୍ରା ଖର୍ଚ୍ଚ ସରକାର ବହନ କରିବେ।
ସୂଚନା ଥାଉ କି ଯେ ଗତ ବର୍ଷ ଶେଷ ଆଡକୁ ମହାରାଷ୍ଟ୍ର-କର୍ଣ୍ଣାଟକର ସୀମାରେ ଯାନବାହାନକୁ ଟାର୍ଗେଟ କରାଯାଇଥିଲା | ଉଭୟ ପକ୍ଷର ଲୋକ ଦୁଇ ରାଜ୍ୟର ଗାଡିକୁ ଅଟକାଇଦେଇଥିଲେ | ଏହାପରେ ଉଭୟ ରାଜ୍ୟର ନେତା ପରସ୍ପରକୁ ସମାଲୋଚନା କରିଥିଲେ | ଉଲ୍ଲେଖ ଥାଉ କି ଭାଷା ପ୍ରସଙ୍ଗ ଆଧାରରେ ରାଜ୍ୟଗୁଡ଼ିକର ପୁନର୍ଗଠନ ପରେ ସୀମା ପ୍ରସଙ୍ଗ ୧୯୫୭ ମସିହାରୁ ଆରମ୍ଭ ହୋଇଥିଲା। ଏହି ସୀମା ବିବାଦ କର୍ଣ୍ଣାଟକ ଜିଲ୍ଲାର ବେଲଗାବି, ଉତ୍ତର କନ୍ନଡା, ବିଦର ଓ ଗୁଲବର୍ଗ ଜିଲ୍ଲାର ୮୧୪ ଟି ଗ୍ରାମ ସହିତ ଜଡିତ ଅଛି | ଏହି ଗ୍ରାମଗୁଡିକରେ ମରାଠୀ ଭାଷାଭାଷୀ ପରିବାର ବାସ କରନ୍ତି | ୧୯୫୬ ର ରାଜ୍ୟ ପୁନର୍ଗଠନ ଅଧିନିୟମ ଅନୁଯାୟୀ ଯେତେବେଳେ ରାଜ୍ୟଗୁଡିକର ସୀମା ସ୍ଥିର ହେଲା, ସେତେବେଳେ ଏହି ଗ୍ରାମଗୁଡ଼ିକ ତତ୍କାଳୀନ ମହୀଶୂର (ବର୍ତ୍ତମାନର କର୍ଣ୍ଣାଟକ) ରାଜ୍ୟର ଅଂଶ ହୋଇଗଲା | ମହାରାଷ୍ଟ୍ର ଏହି ଗ୍ରାମଗୁଡିକ ନିଜର ବୋଲି ଦାବି କରେ |
Powered by Froala Editor
