ଭୁବନେଶ୍ୱର; ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଏବଂ ଛତିଶଗଡରେ ଘାସିଦାସ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପରେ ଏଣିକି କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ସନ୍ଥକବି ଭୀମଭୋଇ ଚେୟାର ପ୍ରତିଷ୍ଠା ହେବ ବୋଲି ଶନିବାର ଭୁବନେଶ୍ୱର ଠାରେ “ବିଶ୍ୱପ୍ରସିଦ୍ଧ ମହିମା ଧର୍ମ ଗବେଷଣା ପରିଷଦ ଚାରିଟେବୁଲ ଟ୍ରଷ୍ଟ” ଦ୍ୱାରା ଆୟୋଜିତ ‘ସନ୍ଥ ସମାବେଶ’ରେ ଯୋଗ ଦେଇ ସୂଚନା ଦେଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ମାଘ ସପ୍ତମୀ ମହାମେଳା ଅବସରରେ ଆୟୋଜିତ ଏହି କାର୍ୟ୍ୟକ୍ରମରେ ଶ୍ରୀ ପ୍ରଧାନ ସନ୍ଥକବି ଭୀମ ଭୋଇ ମଣ୍ଡପ ଓ ପାଠାଗାରର ଶୁଭ ଉଦଘାଟନ କରିଥିଲେ । ମହିମା ଧର୍ମରେ ଦର୍ଶନ ଅଛି ଏବଂ ଗବେଷଣାର ଆବଶ୍ୟକତା ରହିଛି । ମହିମା ଧର୍ମ ଓ ବିଚାର ଉପରେ ଅଧିକ ଗବେଷଣା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଦିଲ୍ଲୀ ବିଶ୍ୱବିଦ୍ୟାଳୟ ତଥା ଛତିଶଗଡ଼ ବିଳାସପୁର ସ୍ଥିତ ଗୁରୁ ଘାସିଦାସ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଚେୟାର ପ୍ରତିଷ୍ଠା କରିଛନ୍ତି । ଏହାର ଗବେଷଣା କାମ ମଧ୍ୟ ଆରମ୍ଭ ହୋଇସାରିଛି । ଆଗକୁ ୟୁଜିସିର ଅନୁମତି କ୍ରମେ ଓଡ଼ିଶାରେ କୋରାପୁଟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ମଧ୍ୟ ଏକ ଚେୟାର ପ୍ରତିଷ୍ଠା ହେବ ।
ଏହି ଅବସରରେ ଶ୍ରୀ ପ୍ରଧାନ ରାଜ୍ୟର କୋଣ ଅନୁକୋଣରୁ ଆସିଥିବା ପରମ ପୂଜ୍ୟ ମହିମା ସାଧୁ ସନ୍ଥ ମାନଙ୍କୁ ଭେଟି ଆଶୀର୍ବାଦ ନେଇଥିଲେ । ସେ କହିଥିଲେ ଏଭଳି ମହାନ ସନ୍ଥମାନଙ୍କର ଦର୍ଶନ ମିଳେ, ସାନ୍ନିଧ୍ୟ ମିଳେ । ଏକବିଂଶ ଶତାବ୍ଦୀରେ ମହିମା ଧର୍ମକୁ ଶିଖରକୁ ନେବା ପାଇଁ ଆହ୍ୱାନ କରିବା ସହ ପବିତ୍ର ମାଘ ମେଳା ମାଧ୍ୟମରେ ମହିମା ସମାଜର ମୂଲ୍ୟବାନ ବାର୍ତ୍ତା ଆହୁରି ଅଧିକ ବ୍ୟାପକ ହେବା ନେଇ ଶ୍ରୀ ପ୍ରଧାନ କାମନା କରିଛନ୍ତି ।
Powered by Froala Editor
