ଭୁବନେଶ୍ବର: ପଞ୍ଚଭୂତରେ ଲୀନ ହୋଇଛି ନବ କିଶୋର ଦାସଙ୍କ ମର ଶରୀର। ଅଗଣିତ ସମର୍ଥକ ତାଙ୍କ ଅନ୍ତିମ ଦର୍ଶନ କରିଛନ୍ତି। ଝାରସୁଗୁଡ଼ା ଖେରୁଆଲ୍ ଶ୍ମଶାନରେ ଜଳିଛି ନବଙ୍କ ଚିତା। ମୁଖାଗ୍ନି ଦେଇଛନ୍ତି ପୁଅ ବିଶାଳ ଦାସ। ଗାର୍ଡ଼ ଅଫ୍ ଅନର ପରେ ମୁଖାଗ୍ନି ଦେଇଥିଲେ ତାଙ୍କ ପୁଅ।
ସମ୍ୱଲପୁରରେ ଜନ୍ମଗ୍ରହଣ କରିଥିବା ନବ କିଶୋର ଦାସ ଝାରଗୁଡ଼ାକୁ କର୍ମଭୂମୀ ଭାବେ ବାଛିଥିଲେ। ଆଉ ସେଠାରୁ ପ୍ରତିଦ୍ୱନ୍ଦିତା କରି ଓଡ଼ିଶା ରାଜନୀତିରେ ଚର୍ଚ୍ଚିତ ଚେହେରା ବନିଥିଲେ। ପଶ୍ଚିମ ଓଡ଼ିଶାର ଜଣେ ଟାଣୁଆ ନେତା ଥିଲେ ନବ କିଶୋର ଦାସ। ରବିବାର ବ୍ରଜରାଜନଗରେ ଘଟିଥିବା ଗୁଳିକାଣ୍ଡରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଭୁବନେଶ୍ୱରରେ ଏକ ଘରୋଇ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ନବ ଦାସଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସମଗ୍ର ଓଡ଼ିଶାରେ ଶୋକର ଛାୟା ଖେଳି ଯାଇଥିଲା। ରାତିରେ ମୃତଦେହକୁ ବିଧାନସଭାକୁ ନିଆଯାଇଥିଲା। ସେଠାରେ ଗାର୍ଡ଼ ଅଫ୍ ଅନର ଦିଆଯାଇଥିଲା। ବାଚସ୍ପତିଙ୍କ ସମେତ ବିଧାୟକ ଓ ବିଧାୟକ ଶେଷଦର୍ଶନ କରିଥିଲେ।
ଆଜି ଶେଷ ଦର୍ଶନ ପାଇଁ ନବଙ୍କ ମରଶରୀରକୁ ଭୁବନେଶ୍ୱରସ୍ଥିତ ତାଙ୍କ ସରକାରୀ ବାସଭବନରେ ରଖାଯାଇଥିଲା। ଆଜି ସକାଳେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶେଷ ଦର୍ଶନ କରିଥିଲେ। ତା’ପରେ ମୃତଦେହକୁ ବିଜେଡି କାର୍ୟ୍ୟାଳୟକୁ ନିଆଯାଇଥିଲା। ସେଠାରେ ବିଜେଡିର ପ୍ରମୁଖ ନେତାମାନେ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।
ଏହାପରେ ଏକ ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ଏୟାରପୋର୍ଟରୁ ନବ ଦାସଙ୍କ ମର ଶରୀରକୁ ଝାରସୁଗୁଡ଼ା ନିଆଯାଇଥିଲା। ସେଠାରୁ ଏକ ଆମ୍ବୁଲାନ୍ସରେ ମୃତଦେହକୁ ସରବାହାଲସ୍ଥିତ ବାସଭବନକୁ ନିଆଯାଇଥିଲା। ସେଠାରେ ଝାରସୁଗୁଡ଼ାବାସୀ ନିଜ ପ୍ରିୟ ନେତାଙ୍କ ଅନ୍ତିମ ଦର୍ଶନ କରିବେ। ତା’ପରେ ମୃତଦେହକୁ ବିଶାଳ ଶୋଭାଯାତ୍ରାରେ ଝାରସୁଗୁଡ଼ା ସହର ପରିକ୍ରମା କରାଯାଇଥିଲା। ଏହାପରେ ମରଶରୀରକୁ ଖେରୁଆଲି ଶ୍ମଶାନକୁ ନିଆଯାଇଥିଲା। ସେଠାରେ ତାଙ୍କ ଗାର୍ଡ଼ ଅଫ୍ ଅନର ଦିଆଯାଇଥିଲା। ତା’ପରେ ମୁଖାଗ୍ନି ଦେଇଥିଲେ ତାଙ୍କ ପୁଅ।
Powered by Froala Editor
