ଭୁବନେଶ୍ଵର :ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ କ୍ରାଇମବ୍ରାଞ୍ଚ ଟିମ୍ ସହ ସାଇଣ୍ଟିଫିକ୍ ଟିମ୍ର ଯାଞ୍ଚ ଆରମ୍ଭ ହୋଇଛି। ଗୁଳିକାଣ୍ଡର ବିଭିନ୍ନ ଦିଗ ସମ୍ପର୍କରେ ଅନୁଧ୍ୟାନ କରାଯାଉଛି। କିପରି ଭାବେ ଏଏସଆଇ ଗୋପାଳ ଦାସ ଗୁଳି କଲା ସେନେଇ ଛାନ୍ଭିନ୍ କରାଯାଉଛି। ଘଟଣା ସ୍ଥଳରେ କ୍ରାଇମବ୍ରାଞ୍ଚ ଏଡିଜି ଅରୁଣ ବ୍ରୋଥା ମଧ୍ୟ ଉପସ୍ଥିତ ରହି ଛାନ୍ଭିନ୍ କରୁଛନ୍ତି। ସେପଟେ ନବ ଦାସଙ୍କ ହତ୍ୟା ଘଟଣା ନେଇ ରାଜ୍ୟ ସରକାରଙ୍କୁ କଂଗ୍ରେସର ଟାର୍ଗେଟ । ପ୍ରେସମିଟରେ ବର୍ଷିଲେ କଂଗ୍ରେସ ମୁଖପାତ୍ର ସୁଦର୍ଶନ ପଟ୍ଟନାୟକ । କହିଲେ, ଏହି ହତ୍ୟା ଘଟଣାରେ ବରିଷ୍ଠ ଅଧିକାରୀଙ୍କ ସମ୍ପୃକ୍ତି ଥିବା ସନ୍ଦେହ ହେଉଛି । ମୁଖ୍ୟମନ୍ତ୍ରୀ ଦାୟୀ, ତୁରନ୍ତ ଗୃହ ବିଭାଗରୁ ଇସ୍ତଫା ଦିଅନ୍ତୁ ବୋଲି ଦାବି କଲା କଂଗ୍ରେସ । ୪୮ ଘଣ୍ଟା ପରେ ବି ହତ୍ୟାକାଣ୍ଡର ଖିଅ ପାଉନି ପୋଲିସ । କ୍ରାଇମବ୍ରାଞ୍ଚକୁ ତଦନ୍ତ ଦେଇ ମାମଲା ଚାପିଦେବାକୁ ଉଦ୍ୟମ କରୁଛନ୍ତି ସରକାର । କାରଣ ହତ୍ୟାକାଣ୍ଡ ପଛରେ ସାଂଘାତିକ ଷଡ଼ଯନ୍ତ୍ର ହୋଇଛି ବୋଲି ସଂଗୀନ ଅଭିଯୋଗ ଆଣିଲା ରାଜ୍ୟ କଂଗ୍ରେସ ।
ସେପଟେ ମନ୍ତ୍ରୀ ନବ ଦାସ ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବି କଲା ବିଜେପି। ମୁଖ୍ୟମନ୍ତ୍ରୀ ସିବିଆଇକୁ ତୁରନ୍ତ ତଦନ୍ତ ଭାର ଦେବାକୁ କହିଲେ ବିଜେପି ସଭାପତି ସମୀର ମହାନ୍ତି। ସେ କହିଛନ୍ତି ଯେ, ହତ୍ୟା ଅଭିଯୁକ୍ତ ହେଉଛି ପୋଲିସ, ପୁଣି ତଦନ୍ତ କରୁଛି ସେହି ପୋଲିସ। ପୂର୍ବରୁ କ୍ରାଇମବ୍ରାଞ୍ଚ ଯାହା ତଦନ୍ତ କରିଛି ତାହାର ଫଳ ଶୂନ ରହିଛି। ତଦନ୍ତ ବିଳମ୍ଵ ହେଲେ ପ୍ରମାଣ ନଷ୍ଟ ହେବାର ରାସ୍ତା ପ୍ରସ୍ତୁତ ହୋଇଯିବ। ଘଟଣାକୁ ନେଇ ଏଯାଏଁ ଡିଜିପି, ଗୃହ ସଚିବ ଚୁପ୍ ବସିଛନ୍ତି। ସରକାରକୁ ପ୍ରକୃତରେ କିଏ ଚଳାଉଛି ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
Powered by Froala Editor
