୧୬ରେ ପଦ୍ମପୁର ଯିବେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କାହିଁକି

୧୬ରେ ପଦ୍ମପୁର ଯିବେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କାହିଁକି

ରାଜ୍ୟ ଖବର

ଭୁବନେଶ୍ୱର:  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୧୬ତାରିଖରେ ପଦ୍ମପୁର ଗସ୍ତରେ ଯିବେ । ଏଥିପାଇଁ ଉଭୟ ପ୍ରଶାସନ ଓ ବିଜେଡିସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଛି । ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଓ ପଦ୍ମପୁରର ଚାଷୀଙ୍କୁ ବୀମା ରାଶି ପ୍ରଦାନର ଦୁଇଟି ଯାକ ଦାବିକୁ ଉପନିର୍ବାଚନବେଳେ ଶାସକ ବିଜେଡି ଗ୍ରହଣ କରିବା ସହ ନିଜର ଉନ୍ନତ ରଣନୀତି ଯୋଗୁ ଦଳୀୟ ପ୍ରାର୍ଥୀଙ୍କୁ ୪୨ହଜାର ଭୋଟ ବ୍ୟବଧାନରେ ବିଜୟୀ କରାଇ ପାରିଥିଲା । ପଦ୍ମପୁରବାସୀ ରେକର୍ଡ ପରିମାଣର ଭୋଟ ବ୍ୟବଧାନରେ ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କୁ ବିଜୟୀ କରିଥିବାରୁ ଆସନ୍ତା ୧୬ତାରିଖରେ ପଦ୍ମପୁରବାସୀଙ୍କୁ ଧନ୍ୟବାଦ ଜଣାଇବାକୁ ମୁଖ୍ୟମନ୍ତ୍ରୀ ପଦ୍ମପୁର ଯିବେ ବୋଲି ଜଣାପଡ଼ିଛି । ପଦ୍ମପୁରକୁ ଜିଲ୍ଲା ମାନ୍ୟତା ଦାବି ଘୋଷଣା ନିଜେ ମୁଖ୍ୟମନ୍ତ୍ରୀ କରିସାରିଥିବାରୁ ତା’ ପୂର୍ବରୁ ଏ ସଂକ୍ରାନ୍ତ ପ୍ରସ୍ତାବ କ୍ୟାବିନେଟରେ ପାରିତ କରିବାର ସମ୍ଭାବନା ଥିବା ସୂଚନା ମିଳିଛି । ନବୀନଙ୍କ ଗସ୍ତ କାର୍ୟ୍ୟକ୍ରମ ସରକାରୀ ହୋଇଥିଲେ ମଧ୍ୟ ବିଜେଡି ସେଠାରେ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛି ।

ସୂଚନାଯୋଗ୍ୟ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଆସନ୍ତା ୧୩ତାରିଖରେ କେନ୍ଦୁଝର ଜିଲ୍ଲା ଗସ୍ତରେ ଯିବାର କାର୍ୟ୍ୟକ୍ରମ ମଧ୍ୟ ରହିଛି । ସାଧାରଣ ନିର୍ବାଚନ ପୂର୍ବରୁ ନବୀନ ପ୍ରତ୍ୟେକ ଜିଲ୍ଲାକୁ ୨ଥର ସରକାରୀ ଭାବେ ଗସ୍ତ କରିବାର କାର୍ୟ୍ୟକ୍ରମ ରହିଛି । 

Powered by Froala Editor