ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଜାଗର ଯାତ୍ରାର ସୁପରିଚାଳନା ପାଇଁ ସର୍କିଟ ହାଉସଠାରେ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ଅଧ୍ୟକ୍ଷତାରେ ଶେଷ ହୋଇଛି ସମନ୍ୱୟ କମିଟି ପ୍ରସ୍ତୁତି ବୈଠକ । ପୂର୍ବବର୍ଷ ପରି ଏଥର ମଧ୍ୟ ଭୋର ୩ଟାରେ ମନ୍ଦିର ଖୋଲାଯାଇ ନୀତିକାନ୍ତି ଆରମ୍ଭ ହେବ । ସେବାୟତଙ୍କ ପରିବାର ଭୋର ୪ଟାରୁ ୫ଟା ମଧ୍ୟରେ ଦର୍ଶନ ପାଇଁ ଉତ୍ତର ଦ୍ୱାର ଦେଇ ଆସି ପାରିବେ । ସେହିପରି ପାସଧାରୀ ଶ୍ରଦ୍ଧାଳୁମାନେ ମଧ୍ୟ ଏହି ଦ୍ୱାର ଦେଇ ଦର୍ଶନ କରିବା ଲାଗି ମନ୍ଦିରକୁ ଆସିବେ । ଶ୍ରୀଜିଉଙ୍କ ନୀତି ପାଇଁ ବିନ୍ଦୁସାଗରରୁ ତୀର୍ଥ ଜଳ ଅଣାଯିବ । ଏଥିପାଇଁ ମୌନୀ ଘାଟକୁ ପରିଷ୍କାର ସହ ଆଲୋକୀକରଣ କରାଯିବ ।
ସେବାୟତଙ୍କ ଦ୍ୱାରା ନିର୍ଦ୍ଧାରିତ ସମୟରେ ନୀତି ସମାପନ କରାଯାଇ ଠିକ ରାତି ୧୦ଟାରେ ମହାଦୀପ ଉଠିବ । ମନ୍ଦିର ଭିତରକୁ ଶ୍ରଦ୍ଧାଳୁମାନେ ମୋବାଇଲ ଫୋନ ନେବାକୁ ବାରଣ କରାଯାଇଛି । ଭକ୍ତ ସମାଗମ ଓ ଶୃଙ୍ଖଳିତ ଧାଡି ଦର୍ଶନ ପାଇଁ ମନ୍ଦିର ଭିତର ଓ ବାହାରେ ଏଏସଆଇ ଦ୍ୱାରା ଅସ୍ଥାୟୀ ବ୍ୟାରିକେଡ୍ ଲଗାଯିବ । ସେହିପରି ଉକ୍ତ ଦିନ ଗ୍ୟାରେଜ ଛକ ଓ ଗୋସାଗରେଶ୍ୱର ଛକ ଯାଏ ଅଧିକ ସଂଖ୍ୟକ ଟାଉନ ବସ ଚଳାଚଳ କରିବ । ମନ୍ଦିର ବେଢା ପରିଷ୍କାର ରଖିବା ଲାଗି ବିଏମସି ତରଫରୁ ଯଥେଷ୍ଟ ସଂଖ୍ୟାରେ ସଫେଇ କର୍ମଚାରୀ ନିୟୋଜିତ ହେବେ । ମନ୍ଦିର ସମ୍ମୁଖ ଓ ଉତ୍ତର ଦ୍ୱାରରେ ପ୍ରାଥମିକ ଚିକିତ୍ସା କେନ୍ଦ୍ରର ବ୍ୟବସ୍ଥା ସହ ଆମ୍ବୁଲାନ୍ସ ମହଜୁଦ ରହିବ ।
Powered by Froala Editor
