ବଲାଙ୍ଗିର: ବଲାଙ୍ଗିର-ଦେଓଗାଁ ରାସ୍ତା ସିଂହଖମନ ଛକରେ ଘଟିଥିବା ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାର ପୂରା ଛାରଖାର ହୋଇଯାଇଛନ୍ତି। ଦୁର୍ଘଟଣାସ୍ଥଳରେ ସ୍ୱାମୀ ସରୋଜ ପଶାୟତଙ୍କ ମୃତ୍ୟୁ ହୋଇଥିବା ବେଳେ ବୁର୍ଲା ହସ୍ପିଟାଲରେ ସ୍ତ୍ରୀ କରିଶ୍ମା ଓ ତିନି ବର୍ଷର ଝିଅ ରମ୍ୟାଙ୍କ ଜୀବନ ଯାଇଛି। ଏବେ ଜୀବନ ସହ ସଂଗ୍ରାମ କରୁଛି ୧୫ ମାସର ପୁଅ ରେୟାଂଶ।
ଟିଟିଲାଗଡ ବ୍ଲକ୍ ଉଡାର ଗାଁର ସରୋଜ ପଶାୟତ ନିଜ ପରିବାର ସହିତ ବାଇକରେ ଏକ ବାହାଘର ଭୋଜିରେ ଯୋଗଦେବା ପାଇଁ ସକାଳୁ ବାହାରିଥିଲେ। କିନ୍ତୁ ରାସ୍ତାରେ ଛକି ବସିଥିଲା ମୃତ୍ୟୁ। ସିଂହଖମନ ଛକରେ ବଲାଙ୍ଗିରରୁ ଟିଟିଲାଗଡକୁ ଆସୁଥିବା ‘ଗଣପତି ବସ’ ସହିତ ପିଟି ହୋଇଥିଲା ବାଇକ୍। ଘଟଣାସ୍ଥଳରେ ସରୋଜଙ୍କ ଜୀବନ ଚାଲି ଯାଇଥିଲା। ଗୁରୁତର ଆହତ ହୋଇଥିଲେ ସରୋଜଙ୍କ ପତ୍ନୀ କରିଶ୍ମା, ୩ ବର୍ଷର ଝିଅ ରମ୍ୟା ଓ ୧୫ ମାସର ପୁଅ ରେୟାଂଶ।
ସମସ୍ତଙ୍କୁ ଉଦ୍ଧାର କରାଯାଇ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁର୍ଲା ସ୍ଥାନାନ୍ତରିତ କରାଯାଇଥିଲା। ମୃତ୍ୟୁ ସହ ସଂଗ୍ରାମ କରୁ କରୁ ହସ୍ପିଟାଲ୍ରେ କରିଶ୍ମା ଓ ରମ୍ୟାଙ୍କ ମୃତ୍ୟୁ ଘଟିଛି। ଏବେ ହସ୍ପିଟାଲରେ ଜୀବନ ସହ ସଂଗ୍ରାମ କରୁଛି ସରୋଜ ପଶାୟତଙ୍କ କୁଳନନ୍ଦନ ୧୫ ମାସର ପୁଅ ରେୟାଂଶ।
Powered by Froala Editor
