ସର୍ଭିକାଲ କ୍ୟାନସର ଟିକା ଦାମ୍ ୨ ହଜାର ଟଙ୍କା

ସର୍ଭିକାଲ କ୍ୟାନସର ଟିକା ଦାମ୍ ୨ ହଜାର ଟଙ୍କା

ରାଜ୍ୟ ଖବର

ସେରମ ଇନଷ୍ଟିଚ୍ୟୁଟ ଦ୍ୱାରା ସର୍ଭିକାଲ କ୍ୟାନସର ପାଇଁ ପ୍ରସ୍ତୁତ ଭାସିନର ଦୁଇ ଡୋଜ ଭାଏଲ ୨ ହଜାର ଟଙ୍କାରେ ଉପଲବ୍ଧ ହେବ  । ଏହି ମେଡ଼ ଇନ ଇଣ୍ଡିଆ ଭାସିନ ସର୍ଭାଭାକ୍ ଚଳିତ ମାସରେ ବଜାରକୁ ଆସିବ ବୋଲି ସୂଚନା ମିଳିଛି  ।

ଜାନୁଆରୀ ୨୪ରେ ପ୍ରଥମ ଏଚପିଭି ଭାସିନର ଶୁଭାରମ୍ଭ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଦ୍ୱାରା କରାଯାଇଥିଲା  । ଏହି ଅବସରରେ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ସିଇଓ ଆଦାର ପୁନାୱାଲା ଓ ଏହାର ଗଭର୍ଣ୍ଣମେଂଟ ଆଣ୍ଡ ରେଗୁଲେଟୋରୀ ବ୍ୟାପାର ନିର୍ଦ୍ଦେଶକ ପ୍ରକାଶ କୁମାର ସିଂହ ମଧ୍ୟ ଉପସ୍ଥିତ ଥିଲେ  ।

କମ୍ପାନୀର ଜଣେ ଅଧିକାରୀଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପ୍ରକାଶ ସିଂ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ଏକ ପତ୍ର ଲେଖିଛନ୍ତି  । ଦୁଇ ଡୋଜର ଏଚପିଭି ଭାସିନ ଭାଏଲ ୨ ହଜାର ଟଙ୍କାରେ ବଜାରରେ ଉପଲବ୍ଧ ହେବ  । ଅନ୍ୟ ଏଚପିଭି ଭାସିନ ଠାରୁ ଏହାର ମୂଲ୍ୟ କମ୍ ବୋଲି ପତ୍ରରେ ଉଲ୍ଲେଖ କରାଯାଇଛି  । ଚଳିତ ମାସ ଠାରୁ କମ୍ପାନୀ ସର୍ଭାଭାକ ଭାସିନ ବଜାରକୁ ଛାଡ଼ିବ  । ସେହିପରି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଭାସିନ କିଣିଲେ, ଏଚପିଭି ଭାସିନ କମ ଦାମରେ ଦିଆଯିବ ବୋଲି ଶ୍ରୀ ସିଂହ ପତ୍ର ମାଧ୍ୟମରେ ଅବଗତ କରାଇଛନ୍ତି  ।


ସମ୍ପ୍ରତି ଏଚପିଭି ଭାସିନ ପାଇଁ ବିଦେଶୀ କମ୍ପାନୀ ଉପରେ ନିର୍ଭର କରାଯାଉଛି  । ଏବେ ବଜାରରେ ଉପଲବ୍ଧ ଏକ ଆମେରିକୀୟ କମ୍ପାନୀର ଗୋଟିଏ ଡୋଜ ଭାସିନର ଦାମ ୧୦ ହଜାର ୮୫୦ ଟଙ୍କା ରହିଛି  । ଜାତୀୟ ଟୀକାକରଣ କାର୍ଯ୍ୟକ୍ରମ ଜରିଆରେ ୯ରୁ ୧୪ ବର୍ଷର କିଶୋରୀଙ୍କ ପାଇଁ ସର୍ଭିକାଲ କ୍ୟାନସରର ନିରାକରଣ ନିମନ୍ତେ ଏଚପିଭି ଭାସିନ ଦେବାର ବ୍ୟବସ୍ଥା  କରାଯିବ  । ଜୁନରୁ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ହେବାର ଥିବାବେଳେ ଅପ୍ରେଲରେ ଏନେଇ ଗ୍ଲୋବାଲ ଟେଣ୍ଡର କରାଯିବ  ।

ବିଶ୍ୱର ୧୬% ମହିଳା ଭାରତରେ ରହୁଥିବାବେଳେ, ସର୍ଭିକାଲ କ୍ୟାନସର ଆକ୍ରାନ୍ତଙ୍କ ସଂଖ୍ୟା କିନ୍ତୁ ବିଶ୍ୱର ୨୫% ରହିଛି  । ସର୍ଭିକାଲ କ୍ୟାନସରରେ ବିଶ୍ୱର ଯେତିକି ମହିଳା ମୃତ୍ୟୁବରଣ କରୁଛନ୍ତି ସେମାନଙ୍କ ମଧ୍ୟରୁ ଏକ ତୃତୀୟାଂଶ ହେଉଛନ୍ତି ଭାରତର  । ସଦ୍ୟତମ ଆକଳନ ଅନୁଯାୟୀ, ପ୍ରତିବର୍ଷ ଭାରତର ୮୦ ହଜାର ମହିଳା ସର୍ଭିକାଲ କ୍ୟାନସରରେ ଆକ୍ରାନ୍ତ ହେଉଥିବାବେଳେ ୩୫ ହଜାର ଜଣ ମୃତ୍ୟୁ ବରଣ କରୁଛନ୍ତି  ।

 



Powered by Froala Editor