ଭୁବନେଶ୍ୱର : ଆଜି ପୂର୍ବତନ ମୁଖ୍ୟ ସଚିବ ବିଜୟ ପଟ୍ଟନାୟକ କଂଗ୍ରେସରେ ଯୋଗ ଦେଇଛନ୍ତି । ନୂଆଦିଲ୍ଲୀ ଏଆଇସିସି କାର୍ଯ୍ୟାଳୟରେ ଶ୍ରୀ ପଟ୍ଟନାୟକ କଂଗ୍ରେସରେ ସାମିଲ ହୋଇଛନ୍ତି । ଏହି ଅବସରରେ ମଲ୍ଲିକାର୍ଜୁନ ଖଡଗେ , ଓଡ଼ିଶା ପ୍ରଭାରୀ ଡାକ୍ତର ଚେଲ୍ଲାକୁମାର, ପିସିସି ସଭାପତି ଶରତ ପଟ୍ଟନାୟକ ଓ କଟକ ଜିଲ୍ଲ କଂଗ୍ରେସ ସଭାପତି ମାନସ ଚୌଧୁରୀ ମଧ୍ୟ ଉପସ୍ଥିତ ରହିଥିଲେ । ସୂଚନାଯୋଗ୍ୟଯେ, ବିଜୟ ପଟ୍ଟନାୟକ କଂଗ୍ରେସରେ ଯୋଗଦେବେବୋଲି କିଛି ବର୍ଷ ଧରି ଚର୍ଚ୍ଚା ହୋଇଆସୁଥିଲା । ଜଣେ ଦକ୍ଷ ପ୍ରଶାସନିକ ଅଧିକାରୀଭାବେ ତାଙ୍କର ସୁନାମ ରହିଛି । ସମ୍ପ୍ରତି ରାଜ୍ୟ କଂଗ୍ରେସ ଦୁର୍ଦ୍ଦିନ ଦେଇ ଗତି କରୁଥିବାବେଳେ ବିଜୟଙ୍କ ଯୋଗଦାନ ଦଳ ପାଇଁ ଶୁଭଙ୍କର ବୋଲି ରାଜନୀତିକ ମହଲରେ ଚର୍ଚ୍ଚା ହେଉଛି । ବିଜୟ କଂଗ୍ରେସରେ ମିଶିବା ପରେ ତାଙ୍କ ସ୍ୱର ଶାଣିତ ହୋଇଛି । ସେ ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କରି କହିଛନ୍ତି ଓଡିଶାରେ କୁଶାସନ ଚାଲିଛି । ଓଡିଶାରେ ଗଣତନ୍ତ୍ରର ପୁନଃ ପ୍ରତିଷ୍ଠା ହେବା ଦରକାର । ଏହା ସହିତ ଆହୁରି ମଧ୍ୟ କହିଛନ୍ତି ଯେ, ଏବେ ପ୍ରଶାସନ ଲୋକଙ୍କ ପାଖରେ ପହଞ୍ଚି ପାରୁନି । ଏବେ ସାଧାରଣ ଲୋକ କାହା ପାଖକୁ ଯିବେ ଜାଣି ପାରୁନାହାନ୍ତି । ସେ ପ୍ରତ୍ୟକ୍ଷ ରାଜନୀତିକୁ ଆସିବେ ବୋଲି ମଧ୍ୟ କହିଛନ୍ତି ।
