ସୁଖୀ ଦାମ୍ପତ୍ୟ ଜୀବନରେ ବିଫଳତା ଏକ ସାଧାରଣ ସମସ୍ୟା, ଯାହା ୪୦%ରୁ ୪୫% ମହିଳା ଏବଂ ୩୦%ରୁ ୩୫% ପୁରୁଷଙ୍କ ପାଖରେ କିଛି ମାତ୍ରାରେ ଥାଏ ବୋଲି ଗବେଷଣାରୁ ଜଣାପଡ଼ିଛି । ତଥାପି ଏହା ଏଭଳି ଏକ ସମସ୍ୟା ବା ବିଷୟ ଯାହା ବିଷୟରେ ଆଲୋଚନା କରିବାକୁ ଅଧିକାଂଶ ଲୋକ ଅନିଚ୍ଛା ପ୍ରକାଶ କରନ୍ତି । ସୌଭାଗ୍ୟବଶତଃ ଅଧିକାଂଶ ଶାରୀରିକ ସମ୍ପର୍କଜନିତ ସମସ୍ୟା ଉପଚାର ବା ଚିକିତ୍ସା ଦ୍ୱାରା ନିରାକରଣ ସମ୍ଭବ । ତେଣୁ ଏହି ସମସ୍ୟା ବିଷୟରେ ଆପଣଙ୍କ ପତି ବା ପତ୍ନୀ ଡାକ୍ତରଙ୍କ ସହ ଆଲୋଚନା କରିବା ଗୁରୁତ୍ୱପୂର୍ଣ୍ଣ । ଉଭୟ ପୁରୁଷ ଓ ମହିଳା ଏହି ସମସ୍ୟାରେ ପ୍ରଭାବିତ ହୋଇଥାଆନ୍ତି । ଏହି ସମସ୍ୟା ସମସ୍ତ ପ୍ରାପ୍ତବୟସ୍କଙ୍କ ଜୀବନରେ ଘଟିପାରେ । କିନ୍ତୁ ସାଧାରଣତଃ ବୟସାନୁକ୍ରମେ ସ୍ୱାସ୍ଥ୍ୟଗତ ସମସ୍ୟା ଏବଂ ସ୍ୱାସ୍ଥ୍ୟରେ ହାନି ଯୋଗୁଁ ବୟସ୍କ ବ୍ୟକ୍ତିମାନେ ହିଁ ଏଥିରେ ପ୍ରଭାବିତ ହୋଇଥାଆନ୍ତି । ଶାରୀରିକ ଓ ମାନସିକ ସମସ୍ୟା କାରଣରୁ ଏଭଳି ସମସ୍ୟା ଉପୁଜିଥାଏ । ଅନେକ ଶାରୀରିକ କାରଣ ଦାମ୍ପତ୍ୟ ଜୀବନରେ ସମସ୍ୟା ସୃଷ୍ଟି କରିପାରେ । ସାଧାରଣତଃ ଉକ୍ତ କାରଣଗୁଡ଼ିକ ହେଉଛି ମଧୁମେହ, ହୃଦ୍ରୋଗ, ରକ୍ତଶିରାଜନିତ ରୋଗ, ହରମୋନ ଇମ୍ବାଲାନ୍ସ, କିଡ଼୍ନି କିମ୍ବା ଲିଭର ଫେଲିଓର, ସ୍ନାୟୁରୋଗ ଏବଂ ମଦ୍ୟପାନ ଅଥବା ଡ୍ରଗ୍ସ ସେବନ । କର୍ମସ୍ଥଳୀରେ ଅତ୍ୟଧିକ ଚାପ ମଧ୍ୟ ଏହାର ଅନ୍ୟତମ ପ୍ରମୁଖ କାରଣ ହୋଇପାରେ । ଏହାର ଚିକିତ୍ସା ସମ୍ଭବ । ସାମାନ୍ୟ ବିଫଳତାଗୁଡ଼ିକ ମାନସିକ ସମସ୍ୟା କାରଣରୁ ସୃଷ୍ଟି ହୋଇଥାଏ । ତାହାକୁ ମନସ୍ତାତ୍ତ୍ୱିକ ଚିକିତ୍ସା ଦ୍ୱାରା ଦୂର କରାଯାଇପାରିବ । ଶାରୀରିକ ସମ୍ପର୍କଜନିତ ସମସ୍ୟାଗୁଡ଼ିକୁ ପତି ବା ପତ୍ନୀଙ୍କ ସହ ଆଲୋଚନା କରି ନିରାକରଣ କରାଯାଇପାରିଥାଏ । ଯଦିଓ ଏହି ସମସ୍ୟାକୁ ପ୍ରତିରୋଧ କରାଯାଇପାରିବନି, ତଥାପି ଉଚିତ୍ ପଦକ୍ଷେପ ଦ୍ୱାରା ସମସ୍ୟାକୁ ନିୟନ୍ତ୍ରଣକୁ ଅଣାଯାଇପାରିବ । ନିମ୍ନୋକ୍ତ କିଛି ପଦକ୍ଷେପ ନେଇପାରିବେ ଯାହା ଯୌନ ସଫଳତାରେ ସହାୟକ ହେବ:- ୠ ଡାକ୍ତରଙ୍କ ପରାମର୍ଶ ଏବଂ ଚିକିତ୍ସା ପ୍ରକ୍ରିୟା ମାନି ଚଳନ୍ତୁ । ୠ ଧୂମପାନ ଓ ମଦ୍ୟପାନ ବନ୍ଦ କରନ୍ତୁ । ୠ ମାନସିକ ଏବଂ ଆବେଗଜନିତ ସମସ୍ୟାକୁ ଠିକ୍ ଭାବେ ବୁଝନ୍ତୁ । ଆବଶ୍ୟକସ୍ଥଳେ ଚିକିତ୍ସା କରନ୍ତୁ । ୠ ପତି ବା ପତ୍ନୀଙ୍କ ସହ ଖୋଲାଖୋଲି ଆଲୋଚନା କରନ୍ତୁ ।
