ଭୁବନେଶ୍ୱର: ବିରୋଧୀ ଦଳ ନେତା ପଦରୁ ଜୟନାରାୟଣ ମିଶ୍ରଙ୍କୁ ତୁରନ୍ତ ବିଜେପି ବହିଷ୍କାର କରୁ ବୋଲି ବିଜେଡି ଦାବି କରିଥିବାବେଳେ ବିଧାନସଭା ଅଧିବେଶନରେ ବିରୋଧୀ ଦଳ ନେତା ଶ୍ରୀ ମିଶ୍ରଙ୍କୁ ସାମ୍ନା କରିବାର ସାହାସ ବିଜେଡିର ନାହିଁ ବୋଲି ବିଜେପି ପାଲଟା ଜବାବ ଦେଇଛି ।ରାଜ୍ୟ ବିଜେପି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ରାଜ୍ୟରେ ଆଇନଶୃଙ୍ଖଳା ସଂପୂର୍ଣ୍ଣ ଧ୍ୱଂସ ପାଇଛି । ଓଡ଼ିଶା ପୁଲିସର ଦମନ, ଅତ୍ୟାଚାର ଏବଂ ଦୌରାତ୍ମ୍ୟ ସମସ୍ତ ସୀମା ଉଲ୍ଲଂଘନ କରିସାରିଛି । ସମସ୍ତ ନୀତିନିୟମ ଓ ଆଇନକାନନୁ କୁ ଜଳାଞ୍ଜଳି ଦେଇ ରାଜନୈତିକ ହିଂସାକରଣକୁ ବିଜେଡି ସରକାର ପ୍ରୋତ୍ସାହିତ କରୁଛି । ନବ ଦାସଙ୍କ ହତ୍ୟାକାଣ୍ଡର ସଠିକ୍ ତଦନ୍ତ ଦାବି ଏବଂ ରାଜ୍ୟବାସୀଙ୍କୁ ସୁରକ୍ଷା ଦେବାରେ ବିଫଳ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ବିଜେପି ତରଫରୁ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯାଉଛି । ସମ୍ବଲପୁରରେ ହୋଇଥିବା ଆନ୍ଦୋଳନ ସମୟରେ ବିରୋଧୀ ଦଳ ନେତାଙ୍କୁ ଯେଭଳି ଭାବେ ପୁଲିସ ଧକ୍କା ମାରିଲା, ସେଥିରୁ ନବ ଦାସ ହତ୍ୟାକାଣ୍ଡର ସତ୍ୟାସତ୍ୟ ଓ ଷଡ଼ଯନ୍ତ୍ରକାରୀଙ୍କ ମୁଖା ଖୋଲୁ ବୋଲି ରାଜ୍ୟ ସରକାର ଚାହୁଁ ନଥିବା ସ୍ପଷ୍ଟ ହୋଇଛି । ମନ୍ତ୍ରୀ ନବ ଦାସଙ୍କୁ ପୁଲିସ ଲଗାଇ ଗୁଳି ମାରି ହତ୍ୟା କରାଗଲା । ଏବେ ବିରୋଧୀ ଦଳ ନେତାଙ୍କୁ ପୁଲିସ ଲଗାଇ ଧକ୍କା ମରାଗଲା । ଏହା କ’ଣ ମୁଖ୍ୟମନ୍ତ୍ରୀଙ୍କ ‘ମୋ ପୋଲିସ’ର ଅସଲ ଚେହେରା କି ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି । ବିଧାନସଭା ଅଧିବେସନରେ ବିରୋଧୀ ଦଳ ନେତା ଭାବେ ଶ୍ରୀ ମିଶ୍ରଙ୍କୁ ସାମ୍ନା କରିବାର ସାହାସ ବିଜେଡି ସରକାରର ନଥିବାରୁ ତାଙ୍କ ବିରୋଧରେ ଏଭଳି ହୀନ ଚକ୍ରାନ୍ତ କରାଯାଇଛି ବୋଲି ଶ୍ରୀ ମହାପାତ୍ର ଅଭିଯୋଗ କରିଛନ୍ତି ।
Powered by Froala Editor
