ସମ୍ୱଲପୁର: ଧନୁପାଲି ଥାନାଧିକାରିଣୀଙ୍କୁ ଆକ୍ରମଣ ଘଟଣାରେ ମୁଖ୍ୟ ଶାସନ ସଚିବଙ୍କୁ ଆରଡ଼ିସିଙ୍କ ଜରିଆରେ ଦାବି ପତ୍ର ଦେଲେ ଅଫିସର ଏବଂ ହାବିଲଦାର ସଙ୍ଘ। ଦୋଷୀଙ୍କୁ ତୁରନ୍ତ ଗିରଫ ଦାବି କଲେ ଅଫିସର ସଂଘ। ଆରଡିସିଙ୍କୁ ଭେଟି ଦାବିପତ୍ର ଦେବା ସହ କାର୍ୟ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ଦୁଇ ସଂଘ। ସେପଟେ ଥାନାଧିକାରିଣୀ ଅନିତା ପ୍ରଧାନ ଟାଉନ ଥାନାରେ ଜୟ ନାରାୟଣଙ୍କ ବିରୁଦ୍ଧରେ ଏତଲା ଦେଇଛନ୍ତି। ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଥାନାଧିକାରିଣୀଙ୍କ ବିରୁଦ୍ଧରେ ମଧ୍ୟ ଏତଲା ଦିଆଯାଇଛି।
ସୂଚନାଥାଉକି, ବିଜେଡିର ଚାଉଳ ବିକ୍ଷୋଭ ସାଙ୍ଗକୁ ବିଜେପିର ଆଇନଶୃଙ୍ଖଳା ହରତାଳକୁ ନେଇ ସରଗରମ ହୋଇଛି ରାଜ୍ୟ ରାଜନୀତି। ହେଲେ ଏହା ମଧ୍ୟରେ ସମ୍ବଲପୁରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ଆନ୍ଦୋଳନ ବେଳେ ମୁହାଁମୁହିଁ ହୋଇଥିଲେ ବିଜେପି ନେତା ଓ ପୋଲିସ। ଜଣେ ମହିଳା ଥାନାଧିକାରିଣୀଙ୍କୁ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଧକ୍କା ମାରିଥିବା ଅଭିଯୋଗ ହୋଇଛି। ସେପଟେ ସମ୍ପୃକ୍ତ ଥାନାଧିକାରିଣୀଙ୍କ ବିରୋଧରେ ପାଲଟା ଅଭିଯୋଗ ଆଣିଛନ୍ତି ଜୟ ନାରାୟଣ। ଏହି ଘଟଣାକୁ ନେଇ ଉଭୟ ବିଜେଡି ଓ ବିଜେପି ମୁହାଁମୁହିଁ ହୋଇଛନ୍ତି।
ଏହା ମଧ୍ୟରେ ବିରୋଧି ଦଳ ନେତା ଜୟନାରାୟଣଙ୍କ ବିରୋଧରେ ମହିଳା ଥାନା ଅଧିକାରୀଙ୍କ ଅଭିଯୋଗ କ୍ରମେ ମାମାଲା ରୁଜୁ ହୋଇଛି। ଏନେଇ ଘଟଣାର ତଦନ୍ତ କରାଯିବ ବୋଲି ଏସପି କହିଛନ୍ତି।
Powered by Froala Editor
