ଭୁବନେଶ୍ୱର : ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ହେଉଛନ୍ତି ବିଜେପିର ଜଣେ ଟାଣୁଆ ନେତା । ସଂଘ ଆଦର୍ଶରେ ଅନୁପ୍ରାଣୀତ ପ୍ରତାପଙ୍କ ବ୍ୟକ୍ତିତ୍ୱ, ଭାବମୂର୍ତି ଓ ନେତୃତ୍ୱ ଖାଲି ରାଜ୍ୟରେ ନୁହେଁ କେନ୍ଦ୍ର ନେତୃତ୍ୱଙ୍କୁ ମଧ୍ୟ ବେଶ ପ୍ରଭାବିତ କରିଛି । ଏମିତିକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତାପଙ୍କୁ ଆମର ସବୁଠୁ ପୁରୁଣା ଓ ଲଢୁଆ ଘୋଡା ବୋଲି ମଧ୍ୟ କହିଥିଲେ । ଯାହାକି ସେତେବେଳେ ବେଶ ଚର୍ଚ୍ଚା ସୃଷ୍ଟି କରିଥିଲା । ନିଜର ନିରଳସ ଜୀବନଯାପନ ପାଇଁ ଦଳମତ ନିର୍ବିଶେଷରେ ସମସ୍ତଙ୍କ ହୃଦୟ ଛୁଇଁ ପାରିଥିବା ପ୍ରତାପଙ୍କ ପାଇଁ ଏବେ ବିଜେପିର କେତେକ ବରିଷ୍ଠ ନେତା ଗାତ ଖୋଳୁଥିବା ଜାଣିବାକୁ ମିଳିଛି । ଏମିତିକି ଆଗାମୀ ନିର୍ବାଚନରେ ପ୍ରତାପଙ୍କୁ ପରାସ୍ତ କରିବା ପାଇଁ ଦଳୀୟ ସ୍ତରରେ ଷଡ଼ଯନ୍ତ୍ର ହେଉଛି ବୋଲି ତାଙ୍କର ସମର୍ଥକମାନେ ସନ୍ଦେହ ପ୍ରକାଶ କରିଛନ୍ତି । ଏନେଇ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ପ୍ରତାପଙ୍କ ସମର୍ଥକଙ୍କ ମହଲରେ ହେଉଥିବା ଚର୍ଚ୍ଚା ଅନୁଯାୟୀ, ପ୍ରତାପଙ୍କ ବିରୋଧରେ କେତେକ ନିର୍ଦ୍ଦିଷ୍ଟ ନେତା ଷଡ଼ଯନ୍ତ୍ର ରଚୁଛନ୍ତି । ୨୦୧୪ରେ ମଧ୍ୟ ଷଡ଼ଯନ୍ତ୍ର ରଚାଯାଇଥିଲା । ପ୍ରତାପ ଚନ୍ଦ୍ର ଷଡଙ୍ଗୀ ନୀଳଗିରିରେ ପ୍ରାର୍ଥୀ ହୋଇଥିଲେ ନିଶ୍ଚିତ ବିଧାୟକ ଭାବେ ନିର୍ବାଚିତ ହୋଇପାରିଥା’ନ୍ତେ । ତେବେ ତାଙ୍କୁ କେତେକ ନେତା ଟେକାଟେକି କରି ସାଂସଦ ପ୍ରାର୍ଥୀ କରିଦେଇଥିଲେ । ବାଲେଶ୍ୱରରେ ବିଜେପିର ସ୍ଥିତି ମଜବୁତ ନଥିବାବେଳେ ସେତେବେଳେ ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନା କେନ୍ଦ୍ରମନ୍ତ୍ରୀ ମଧ୍ୟ ଥିଲେ । ତଥାପିବି ପ୍ରତାପ ରିସ୍କ ନେବାକୁ ବାଧ୍ୟ ହୋଇଥିଲେ । ଯାହାର ପରିଣାମ ତାଙ୍କୁ ଭୋଗିବାକୁ ପଡିଥିଲା । ସାଂସଦ ପ୍ରାର୍ଥୀ ଭାବେ ହାରିବା ପରେ ସ୍ୱାଭାବିକ ଭାବେ ତାଙ୍କର ପତିଆରା ହ୍ରାସ ପାଇଥିଲା । ପରେ ପ୍ରତାପ ଷଡଙ୍ଗୀ ବିଜେପିର ରାଜ୍ୟ ସଭାପତି ହେବାପାଇଁ ଆଶା ପ୍ରକାଶ କରିଥିଲେ । କନକବର୍ଦ୍ଧନ ସିଂହଦେଓଙ୍କ ପରେ ତାଙ୍କୁ ସଭାପତି କରିବା ପାଇଁ କେନ୍ଦ୍ରୀୟ ବିଜେପି ନେତା ମଧ୍ୟ ସଂକେତ ଦେଇଥିଲେ । ହେଲେ ହଠାତ ଅଙ୍କ ବଦଳି ଯାଇଥିଲା । କେନ୍ଦ୍ରମନ୍ତ୍ରୀ ହେବା ପରେ ଧର୍ମେନ୍ଦ୍ର ପ୍ରଧାନଙ୍କ କାଟତି ବଢିଯାଇଥିଲା । ତେଣୁ ପ୍ରତାପଙ୍କ ଭଳି ଦକ୍ଷ ନେତାଙ୍କ ବଦଳରେ ଅପେକ୍ଷାକୃତ ଦୁର୍ବଳ ନେତା ବସନ୍ତ ପଣ୍ଡାଙ୍କୁ ସଭାପତି କରାଯାଇଥିଲା । ଏଥିରେ ଧର୍ମେନ୍ଦ୍ର ହିଁ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । କାହିଁକିନା ପ୍ରତାପ ସଭାପତି ହୋଇଥିଲେ ସେ ତାଙ୍କ କଥାରେ ଆଦୌ ପରିଚାଳିତ ହୋଇନଥା’ନ୍ତେ ବୋଲି ସେ ଧରିନେଇଥିଲେ । ଅପରପକ୍ଷରେ ପ୍ରତାପ ସଂଘ ପୃଷ୍ଠଭୂମିର ହୋଇଥିବାରୁ ରାଜ୍ୟରେ ଧର୍ମେନ୍ଦ୍ରଙ୍କର ଆଧିପତ୍ୟ ନେଇ ମଧ୍ୟ ସନ୍ଦେହ ପ୍ରକାଶ ପାଇଥା’ନ୍ତା । ପରେ ପ୍ରତାପଙ୍କୁ ଉପସଭାପତି ଭାବେ ସନ୍ତୁଷ୍ଟ ହେବାକୁ ପଡିଥିଲା । ସେହିପରି ମୋଦି ମଧ୍ୟ ନିଜର ଗସ୍ତ କାଳରେ ପ୍ରତାପଙ୍କ ସହ ବ୍ୟକ୍ତିଗତ ଭାବେ ଭାବ ବିନିମୟ କରିବା ସହ ପ୍ରଶଂସା କରିବାକୁ ପଛାଉନଥିଲେ । ତେଣୁ ନାଁ ଥିବ ବାଉଁଶ, ନା ବାଜିବ ବଇଁଶୀ ନ୍ୟାୟରେ ପ୍ରତାପଙ୍କ ଗୋଛି କାଟିବାକୁ ଉଦ୍ୟମ ହୋଇଥିଲେ । ହେଲେ କ୍ଷମତା ପ୍ରତି ଆଦୌ ମୋହାଚ୍ଛନ୍ନ ନଥିବା ପ୍ରତାପ ଏଭଳି ଚକ୍ରାନ୍ତର ଟେର ପାଇନଥିଲେ । ଯାହା ଏବେ ପ୍ରତାପ ବୁଝିପାରୁଛନ୍ତି । କିନ୍ତୁ ନିର୍ବାଚନୀ ଘଡ଼ିରେ ନେଡ଼ିଗୁଡ଼ କହୁଣୀକୁ ବୋହି ସାରିଲାଣି । ପ୍ରତାପ ୨୦୧୯ରେ ବିଧାୟକ ପ୍ରାର୍ଥୀ ଭାବେ ଲଢ଼ିବାକୁ ଚାହୁଁଥିଲେ । ଯେଉଁଥିପାଇଁ ବାଲେଶ୍ୱରରେ ସାଂସଦ ପ୍ରାର୍ଥୀ ହେବା ପାଇଁ ଲେଖାଶ୍ରୀ ସାମନ୍ତସିଂହରାୟ ମଧ୍ୟ ଉଦ୍ୟମ ଆରମ୍ଭ କରିଦେଇଥିଲେ । କିନ୍ତୁ ସଦ୍ୟତମ ଚର୍ଚ୍ଚା ଅନୁଯାୟୀ ପ୍ରତାପ ନୀଳଗିରିରୁ ଲଢିବାକୁ ଚାହୁଁନାହାନ୍ତି । କାହିଁକିନା ତାଙ୍କ ବିରୋଧରେ ବିଜେପିର ଜଣେ ଟାଣୁଆ ନେତା ସ୍ୱାଧୀନ ପ୍ରାର୍ଥୀ ଠିଆ କରିବାକୁ ଯୋଜନା କରିଛନ୍ତି । ସ୍ୱାଧୀନ ପ୍ରାର୍ଥୀଙ୍କୁ ଆର୍ଥିକ ପ୍ରୋତ୍ସାହନ ଦେଇ ପ୍ରତାପଙ୍କ ଭୋଟ ବିଭାଜନ କରିବାକୁ ଷଡଯନ୍ତ୍ର ହୋଇଛି । ପ୍ରତାପ ମଧ୍ୟ ଏନେଇ ଅବଗତ ହୋଇସାରିଥିବା ଜାଣିବାକୁ ମିଳିଛି । ବିଧାୟକ ଭାବେ ହାରିଲେ କାଳେ ପତିଆରା ହ୍ରାସ ପାଇଯିବ ସେଥିପାଇଁ ପୁଣି ଥରେ ସାଂସଦ ପ୍ରାର୍ଥୀ ଭାବେ ରିସ୍କ ନେବାକୁ ସେ ଚାହୁଁଛନ୍ତି । କାହିଁକିନା ସାଂସଦ ପ୍ରାର୍ଥୀ ଭାବେ ହାରିଲେ ଯେତିକି କଷ୍ଟ ହେବନାହିଁ ବିଧାୟକ ପ୍ରାର୍ଥୀ ଭାବେ ହାରିଲେ ଅଧିକ କଷ୍ଟ ହେବ । ଖାଲି କଷ୍ଟ ତ ନୁହେଁ ରାଜ୍ୟ ବିଜେପିରେ ଏବେ ଯେତିକିବି ପତିଆରା ଅଛି ତାହା ବି କ୍ଷୂର୍ଣ୍ଣ ହୋଇଯିବ । ଖୁବଶୀଘ୍ର ପ୍ରାର୍ଥୀ ତାଲିକା ପ୍ରକାଶ ପାଇବାର ଥିବାବେଳେ ପ୍ରତାପ କିଭଳି ନିଜର ଷଡ଼ଯନ୍ତ୍ରକାରୀଙ୍କ ମୁକାବିଲା କରୁଛନ୍ତି ତାହା ଉପରେ ଏବେ ତାଙ୍କ ସମର୍ଥକମାନେ ଅଙ୍କ କଷା ଆରମ୍ଭ କରିଦେଇଛନ୍ତି ।
