ନୂଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯାତାୟାତ କରୁଥିବା ସମଝୌତା ଏକ୍ସପ୍ରେସ ୭୬ ଭାରତୀୟ ଏବଂ ୪୧ ପାକିସ୍ତାନୀ ନାଗରିକଙ୍କୁ ନେଇ ଦିଲ୍ଲୀରେ ପହଞ୍ଚିଛି। ଗତ ଗୁରୁବାର ପାକିସ୍ତାନ ପକ୍ଷରୁ ସମଝୌତା ଏକ୍ସପ୍ରେସକୁ ବାତିଲ କରିଦିଆଯାଇଥିଲା। ଫଳରେ ଲାହୋରରୁ ନୂଆଦିଲ୍ଲୀ ଆସୁଥିବା ସମଝୌତା ଏକ୍ସପ୍ରେସକୁ ଅଟାରୀ ରେଳ ଷ୍ଟେଶନରେ ଛାଡ଼ି ପାକିସ୍ତାନୀ ଡ୍ରାଇଭର ଏବଂ ଗାଇଡ୍ ନିଜ ଦେଶକୁ ପଳାଇଥିଲେ। ଏହା ପରେ ବିଳମ୍ବିତ ରାତି ପ୍ରାୟ ସାଢ଼େ ୧ଟାରେ ଭାରତୀୟ ଡ୍ରାଇଭର ଏବଂ ଗାଇଡ୍ ଇଞ୍ଜିନ ସହିତ ଅଟାରୀ ଷ୍ଟେଶନରେ ପହଞ୍ଚିଥିଲେ। ସେଠାରୁ ସେମାନେ ଟ୍ରେନକୁ ଆଣି ଭାରତ ଆସିଥିଲେ। ଶୁକ୍ରବାର ସକାଳେ ସମଝୌତା ଏକ୍ସପ୍ରେସ ପୁରୁଣା ଦିଲ୍ଲୀ ରେଳ ଷ୍ଟେଶନରେ ପହଞ୍ଚିଛି।
