ନୂଆଦିଲ୍ଲୀ : ଡିସ୍କଭରି ଚ୍ୟାନେଲ୍ର ଲୋକପ୍ରିୟ ସୋ ”ମ୍ୟାନ ଭର୍ସେସ୍ ଓ୍ୱାଇଲ୍ଡ’ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଜର ଆସିଛନ୍ତି। ଏହା ସୋମବାର ରାତି ୯ଟାରେ ପ୍ରସାରିତ ହୋଇଥିଲା। ଏହି କାର୍ୟ୍ୟକ୍ରମକୁ ପ୍ରସିଦ୍ଧ ଦୁଃସାହସିକ ଉପସ୍ଥାପକ(ଆଙ୍କର) ବିୟର ଗ୍ରୀଲ୍ସ ପରିଚାଳନା କରିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ଜୀବନୀ ସମ୍ପର୍କିତ ଅନେକ ମହତ୍ଵପୂର୍ଣ୍ଣ ଅଂଶ ବିଷୟରେ ବର୍ଣ୍ଣନା କରିବା ସହିତ ପ୍ରଧାନମନ୍ତ୍ରୀ ପ୍ରକୃତି ଓ ହିମାଳୟ ସହିତ ତାଙ୍କର ସମ୍ପର୍କକୁ ନେଇ ମଧ୍ୟ କହିଛନ୍ତି। ଜିମ୍ କର୍ବେଟ୍ ଜାତୀୟ ଅଭୟାରଣ୍ୟରେ ଏହାକୁ ନିର୍ମାଣ କରାଯାଇଥିଲା। ମୋଦି ଆହୁରି ମଧ୍ୟ ପ୍ରକୃତି ସହିତ ତାଙ୍କ ସମ୍ପର୍କର କାହାଣୀ କହିଛନ୍ତି । ଯେତେବେଳେ ଲୁଗା ସଫା କରିବା ଏବଂ ଗାଧେଇବା ପାଇଁ ପାଖରେ ସାବୁନ ନଥିଲା, ସେତେବେଳେ କାକର ବୁନ୍ଦାକୁ ସାବୁନ ଭାବେ ବ୍ୟବହାର କରୁଥିଲେ ବୋଲି ମୋଦି କହିଛନ୍ତି । ସେହିପରି ତମ୍ବା ବାସନରେ ଗରମ କୋଇଲାକୁ ବ୍ୟବହାର କରି କିପରି ପୋଷାକ ଆଇରନ୍ କରୁଥିଲେ ସେ କଥା ମଧ୍ୟ କହିଛନ୍ତି । ହିମାଳୟର ପାଦଦେଶରେ ବୁଲୁଥିବା ବେଳେ ମୋଦି ଛାତ୍ରଜୀବନ କଥା ମନେପକାଇଛନ୍ତି । ମାତ୍ର ୧୮ବର୍ଷ ବୟସରେ ଘର ଛାଡି ହିମାଳୟ ଚାଲିଆସିଥିଲେ । ଏବଂ ସର୍ବନିମ୍ନ ସାମଗ୍ରୀରେ ଜୀବନ ଅତିବାହିତ କରିବାର କଳା ସେ ହିମାଳୟରେ ରହିବା ସମୟରୁ ହିଁ ଶିଖିଥିଲେ ବୋଲି କହିଛନ୍ତି । ତେବେ କାର୍ଯ୍ୟକ୍ରମର ଉପସ୍ଥାପକ ବିୟର ଗ୍ରିଲ୍ସଙ୍କୁ କୌତୁହଳ ଢ଼ଙ୍ଗରେ ମୋଦି କହିଛନ୍ତି- ତାଙ୍କ ଦୀର୍ଘ ବର୍ଷର ରାଜନୈତିକ କ୍ୟାରିୟରରେ ସେ କେବେ ଛୁଟି ନେଇ ନାହାଁନ୍ତି । ତେବେ ଏହି ଜଙ୍ଗଲ ଯାତ୍ରାକୁ ଆପଣ ପ୍ରଥମ ଛୁଟି ବୋଲି ଧରି ପାରିବେ । ଆଉ କାର୍ଯ୍ୟକ୍ରମର ଶେଷରେ ବସୁଧୈବ କୁଟୁମ୍ବକମ୍ କଥା ଦୋହରାଇଛନ୍ତି ମୋଦି ।
