ଭୁବନେଶ୍ୱର : ୨୦୧୯ରେ ବିଜୁ ଜନତା ଦଳ ନିର୍ବାଚନ ମଇଦାନକୁ ଓହ୍ଲାଇବ । ଏଥିପାଇଁ ଦଳ ପାଣ୍ଠି ସଂଗ୍ରହରେ ଲାଗିପଡ଼ିଛି । ଦଳୀୟ ବିଧାୟକ, ସାଂସଦଙ୍କ ଠାରୁ ମାସକର ଦରମା ମାଗିଛନ୍ତି ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ । ସଭ୍ୟ ସଂଗ୍ରହ ଜରିଆରେ ବି ପାଣ୍ଠି ସଂଗ୍ରହର ଲକ୍ଷ୍ୟ ରଖାଯାଇଛି । କିନ୍ତୁ ଏବେ ବିଜେଡି ପାଖରେ କେତେ ପାଣ୍ଠି ଅଛି ? ଏହି ପାଣ୍ଠି କେଉଁ ସୂତ୍ରରୁ ଆସିଛି ? କେଉଁ ବାଟରେ ଦଳ ଅର୍ଥ ଖର୍ଚ୍ଚ କରୁଛି ସେନେଇ ବିଜେଡ଼ି ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି । ତଥ୍ୟ ଅନୁଯାୟୀ, ୨୦୧୮ ମାର୍ଚ୍ଚ ସୁଦ୍ଧା ବିଜେଡ଼ି ପାଖରେ ୨୫ କୋଟି ୧୭ ଲକ୍ଷ ୬୮ ହଜାର ୩୧୧ ଟଙ୍କା ରହିଛି । ଯେତେବେଳେକି ୨୦୧୭ ମାର୍ଚ୍ଚ ସୁଦ୍ଧା ଦଳ ନିକଟରେ ୧୬ କୋଟି ୪୨ ଲକ୍ଷ ୩୪ ହଜାର ୪୨୮ ଟଙ୍କା ରହିଥିଲା । ୨୦୧୭ ମାର୍ଚ୍ଚ ବେଳକୁ ବିଜେଡ଼ି ସଭ୍ୟ ଚାନ୍ଦା ବାବଦରେ ମାତ୍ର ୩୫ ଲକ୍ଷ ୮୨ ହଜାର ୫୮୨ ଟଙ୍କା ପାଇଥିବାବେଳେ ୨୦୧୮ ମାର୍ଚ୍ଚ ବେଳକୁ ସଭ୍ୟ ଚାନ୍ଦା ବାବଦରେ ୧୩ କୋଟି ୪ ଲକ୍ଷ ଟଙ୍କା ପାଇଥିଲା । ସେହିପରି ବିଭିନ୍ନ ଅନୁଦାନ, ସହଯୋଗ ବାବଦରେ ଦଳ ମାତ୍ର ୨୭ ଲକ୍ଷ ୯୬ ହଜାର ୩୯୩ ଟଙ୍କା ପାଇପାରିଛି । ଅନ୍ୟ ସୂତ୍ରରୁ ଦଳ ୭୯ ଲକ୍ଷ ୬୯୭୭୧ ଟଙ୍କା ପାଇଛି ବୋଲି ଦର୍ଶାଇଛି । ଗାଏମୋଟ ଦେଖିଲେ ୨୦୧୭-୧୮ରେ ଦଳ ୧୪ କୋଟି ୧୧ ଲକ୍ଷ ଟଙ୍କା ଆୟ କରିଥିବାବେଳେ ୨୦୧୬-୧୭ରେ ତାହା ୧ କୋଟି ୫୨ ଲକ୍ଷ ମଧ୍ୟରେ ସୀମିତ ରହିଥିଲା । ଅପରପକ୍ଷରେ ବିଜେଡ଼ି ୭ କୋଟି ଟଙ୍କା ବର୍ଷକରୁ ଉଦ୍ଧ୍ୱର୍ ଟର୍ମ ଡିପୋଜିଟ କରିଥିବାବେଳେ ୧୨ କୋଟି ୫୦ ଲକ୍ଷ ଟଙ୍କା ୧୨ ମାସରୁ କମ୍ ଟର୍ମ ଡିପୋଜିଟ କରିଛି । ବ୍ୟାଙ୍କରେ ୧ କୋଟି ୪୪ ଲକ୍ଷ ଟଙ୍କା ମଧ୍ୟ ରହିଛି । ବିଜେପୁର ଉପନିର୍ବାଚନରେ ଦଳ ପ୍ରାୟ ୧ କୋଟି ୫୧ ଲକ୍ଷ ୬୮ ହଜାର ଟଙ୍କା ଖର୍ଚ୍ଚ କରିଥିଲା । ଅପରପକ୍ଷରେ ବିଜୁଙ୍କ ଉପରେ ଲିଖିତ ଦ ଟଲ ମ୍ୟାନ ପାଇଁ ଦଳ ୨ କୋଟି ୧୯ ଲକ୍ଷ ୮୩ ହଜାର ଟଙ୍କା ଖର୍ଚ୍ଚ କରିଛି ବୋଲି ବିଜେଡ଼ି ତଥ୍ୟ ପ୍ରଦାନ କରିଛି ।
