ଭୁବନେଶ୍ୱର : ରାଜ୍ୟରେ ଆଗାମୀ ଦିନରେ ହେବାକୁ ଥିବା ସମସ୍ତ ନିର୍ବାଚନକୁ ଅବାଧ, ମୁକ୍ତ ଏବଂ ନିରପେକ୍ଷ କରିବାପାଇଁ ରାଜ୍ୟ ବିଜେପିର ଏକ ପ୍ରତିନିଧୀ ଦଳ ନବନିଯୁକ୍ତ ରାଜ୍ୟ ନିର୍ବାଚନ କମିଶନରଙ୍କୁ ସାକ୍ଷାତ କରି ଆଲୋଚନା କରିଛି। ବିଗତ ଦିନରେ ରାଜ୍ୟରେ ଶାସକ ବିଜେଡି ଅର୍ଥବଳ ଏବଂ ବାହୁବଳ ଲଗାଇ ନିର୍ବାଚନ ଲଢିଆସୁଛି। ପୋଲିସ ପ୍ରଶାସନଠୁ ଆରମ୍ଭ କରି ସରକାରୀ କଳଗୁଡିକୁ ଦଳୀୟ ଭିତିରେ ବ୍ୟବହାର କରିଛି ଶାସକ ଦଳ। ଏପରିକି ନିର୍ବାଚନ କମିଶନରଙ୍କ ଗାଇଡ ଲାଇନଙ୍କୁ ଉଲଂଘନ କରି ଶାସକ ବିଜେଡି ରାଜ୍ୟର ବିଭିନ୍ନ ସ୍ଥାନରେ ବୁଥ ରିଗିଂ ଓ ବୁଥ କ୍ୟାପଚରିଙ୍ଗ କରି ନିର୍ବାଚନକୁ ନିଜ ସପକ୍ଷରେ କରିଛି । ଆଗାମୀ ଦିନରେ ପୌର ନିର୍ବାଚନ ହେବାକୁ ଥିବାବେଳେ ଏହାକୁ ଅବାଧ, ମୁକ୍ତ ଏବଂ ନିରପେକ୍ଷ କରିବା ପାଇଁ ପ୍ରତିନିଧୀ ଦଳ ଦାବି କରିଛି ବୋଲି ରାଜ୍ୟ ଉପସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି। ପୌର ନିର୍ବାଚନ ନକରି ରାଜ୍ୟସରକାର ଜାଣିଶୁଣି ଦିନ ଗଡାଇ ଚାଲିଛନ୍ତି। ସେହିପରି ରାଜ୍ୟରେ କେତେକ ସ୍ଥାନରେ ପଞ୍ଚାୟତ ନିର୍ବାଚନ ହୋଇନାହିଁ । ରାଜ୍ୟରେ ବାକିଥିବା ସ୍ଥାନଗୁଡିକରେ ନିର୍ବାଚନକୁ ସୂଚାରୁରୂପେ କରିବା ସହ ପୌର ଓ ପଞ୍ଚାୟତ ନିର୍ବାଚନକୁ ନିରପେକ୍ଷ କରିବା ପାଇଁ ପ୍ରତିନିଧୀ ଦଳ ରାଜ୍ୟ ନିର୍ବାଚନ କମିଶନରଙ୍କୁ ଜଣାଇଛି । ଏହି ପ୍ରତିନିଧୀ ଦଳରେ ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ରାଜ୍ୟ ଗଣମାଧ୍ୟମ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଠାକୁର ରଂଜିତ ଦାସ ଏବଂ ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ ପ୍ରମୁଖ ସାମିଲ ଥିଲେ ।
