ପୁରୀ: ପୁରୀ ନବକଳେବର ରୋଡ୍ର ଆଶ୍ରମ ଛକରେ ଶନିବାର ବିଳମ୍ବିତ ରାତିରେ ପୁଲିସ ଏବଂ ଅପରାଧୀଙ୍କ ମଧ୍ୟରେ ଏନକାଉଣ୍ଟର ଘଟିଛି। ଏଥିରେ ଜଣେ ଦୁର୍ଦ୍ଦାନ୍ତ ଅପରାଧୀ ଦିବାନା ବେହେରା ଆହତ ହୋଇଛି। ତା’ର ଡାହାଣ ଗୋଡ଼ ଆଣ୍ଠୁ ତଳେ ଗୁଳି ବାଜିଛି। ଚିକିତ୍ସା ପାଇଁ ତାକୁ କଡ଼କ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଦିବାନା ସୁପାରି ନେଇ ହତ୍ୟା କରିବାକୁ ଯୋଜନା ପ୍ରସ୍ତୁତ କରୁଥିଲା। ଏ ସମ୍ପର୍କରେ ପୁଲିସ ଖବର ପାଇ ଆଶ୍ରମ ଛକରେ ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ପୁଲିସ ସହିତ ଦିବାନାର ଗୁଳିବିନିମୟ ହୋଇଥିଲା। ଏଥିରେ ବାସେଳୀସାହି ଥାନା ଆଇଆଇସି ମଧ୍ୟ ଆହତ ହୋଇଥିବା ସୂଚନା ମିଳିଛି। ପୁଲିସ ଦିବାନାଠାରୁ ଗୋଟିଏ ବନ୍ଧୁକ, ଗୁଳି ଓ ବାଇକ୍ ଜବତ କରିଛି। ଦିବାନା ନାମରେ ବିଭିନ୍ନ ସ୍ଥାନରେ ୨୬ଟି ମାମଲା ରହିଛି।
