ବିଜେଡିର ଚକ୍ରବୁ୍ୟହରେ ଫସୁଛି ବିଜେପି ?

ବିଜେଡିର ଚକ୍ରବୁ୍ୟହରେ ଫସୁଛି ବିଜେପି ?

ରାଜନୀତି

ଭୁବନେଶ୍ୱର : ବିଜେଡି ଯେଉଁ ଚକ୍ରବୁ୍ୟହ ରଚିଛି ସେଥିରେ ବିଜେପି ଫସିଯିବା ଭଳି ପ୍ରତୀୟମାନ ହେଉଛି । ମିଶନ ୧୨୦ର ବାହାସ୍ଫୋଟ ମାରୁଥିବା ବିଜେପିର ଅସଲ ସ୍ଥିତି ପଦାରେ ପଡିଛି । ବିଜେଡ଼ିର ପୂର୍ବ ପରିକଳ୍ପିତ ଯୋଜନା ଅନୁଯାୟୀ ଏବେ ବିଜେପିକୁ ବିଜେଡ଼ି ନେତାମାନଙ୍କ ସୁଅ ଛୁଟିବାରେ ଲାଗିଛି । ଯେଉଁଯେଉଁ ବିଧାୟକମାନେ ନିଜ ନିର୍ବାଚନମଣ୍ଡଳୀରେ ଜିତିପାରିବେ ନାହିଁ ବୋଲି ବିଜେଡ଼ି ଅନୁମାନ କରୁଥିଲା ସେମାନଙ୍କୁ ପରୋକ୍ଷରେ ବିଜେପିକୁ ରାସ୍ତା ଦେଖାଇ ଦିଆଯାଇଛି । ଫଳରେ ଅଧିକାଂଶ ନିର୍ବାଚନମଣ୍ଡଳୀରେ ବିଜେଡ଼ି ଓ ବ୍ରାଣ୍ଡେଡ଼ ବିଜେପି ନୁହେଁ ବରଂ ବିଜେଡ଼ି ଓ କୋଣଠେସା ବିଜେଡ଼ି ମଧ୍ୟରେ ଲଢେ଼ଇ ହେବାର ସମ୍ଭାବନା ରହିଛି । ଅର୍ଥାତ କର୍ଣ୍ଣ ମଲେ ପାଂଚ, ଅର୍ଜୁନ ମଲେ ପାଂଚ ନ୍ୟାୟରେ ବିଜେଡ଼ି ହିଁ ଏଥିରୁ ଫାଇଦା ନେବାକୁ ଅନାଇ ବସିଛି । ଯେଉଁ ଯେଉଁ ନେତାମାନେ ଦଳ ଛାଡ଼ି ବିଜେପିକୁ ଯାଇଛନ୍ତି, ସେମାନେ ଯଦି ବିଜେପି ଟିକେଟରେ ଲଢ଼ି ବିଜୟୀ ହୁଅନ୍ତି ତେବେ ନିର୍ବାଚନ ପରେ ସେମାନେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ରହିଲେ ଆଶ୍ଚର୍ଯ୍ୟ ହେବାର ନାହିଁ ବୋଲି କୁହାଯାଉଛି । ଏବେ ରାଜ୍ୟ ରାଜନୀତିକ ଅଳିନ୍ଦରେ ଏଭଳି ଚର୍ଚ୍ଚା ଜୋର ଧରିଥିବାବେଳେ ସାମାଜିକ ଗଣମାଧ୍ୟମରେ ମଧ୍ୟ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳୁଛି । କାହାକୁ ବିଜେଡ଼ି ଟିକେଟ ମିଳିବ ସେନେଇ ବିଜୁ ଜନତା ଦଳ ୬ ଦଫାରେ ସର୍ଭେ କରିଥିଲା । ପୁଲିସ, ପ୍ରଶାସନ, ଦଳୀୟ ଓ ସ୍ୱାଧୀନ ଏଜେନ୍ସି ଜରିଆରେ ବିଜେଡ଼ି ସର୍ଭେ କରିଥିଲା । ୬ଟି ଯାକ ସର୍ଭେ ରିପୋର୍ଟକୁ ହିସାବକୁ ନେଇ ବିଜେଡ଼ି ଟିକେଟ ଅଙ୍କ କଷିଛି । ଫଳରେ ଯଥେଷ୍ଟ ବିଜୟ ସମ୍ଭାବନା ନେତାଙ୍କୁ ଦଳ ଟିକେଟ ଦେଉଥିବା ଲକ୍ଷ୍ୟ କରାଯାଉଛି । ବିଜେଡ଼ି ଭଲ ଭାବେ ଜାଣିଛି, ଦଳର ଗଦାଗଦା ଆଶାୟୀଙ୍କୁ ସନ୍ତୁଷ୍ଟ କରିବା ସହଜ କଥା ନୁହେଁ । ଦଳ ଜାଣିଛି ସେହି ନେତାମାନେ ବିଜେପିକୁ ଯିବା ପାଇଁ ବାଧ୍ୟ ହେବେ । ତେବେ ସେହିସବୁ ନେତାମାନଙ୍କର ଦେହ ବିଜେପି, ମନ କିନ୍ତୁ ବିଜେଡ଼ି ରହିବା ନିଶ୍ଚିତ ହେବ । ଅପରପକ୍ଷରେ ଯେଉଁ ନିର୍ବାଚନମଣ୍ଡଳୀରେ ବିଜେଡ଼ିରୁ ଯାଇଥିବା ନେତାଙ୍କୁ ବିଜେପି ପ୍ରାର୍ଥୀ କରେ, ସେଠାରେ କିଏ ଜିତିବ, କିଏ ହାରିବ ତାହା ତ ଅଲଗା କଥା, ନବୀନଙ୍କ ସମର୍ଥକ ହିଁ ଜିତିବେ ବୋଲି କୁହାଯାଇପାରେ । କାହିଁକିନା ଯେଉଁ ବିଜେପି ପ୍ରାର୍ଥୀ ଜିତିବେ ସେମାନଙ୍କୁ ମ୍ୟାନେଜ କରିବାରେ ଦଳ ସମର୍ଥ ହେବ । ସଦ୍ୟ ସୂଚନା ମୁତାବକ ଏଥିପାଇଁ ବିଜେଡ଼ି ଏକ ସ୍ୱତନ୍ତ୍ର ଟିମ ମଧ୍ୟ ଗଠନ କରିସାରିଛି । ସେହିପରି ବିଜେଡ଼ି ଦୁଇଟି ଫାଇଦା ନେବାପାଇଁ ଟାକି ବସିଛି । ଯଦି ବିଜେପିକୁ ବିଜେଡ଼ି ନେତା ଯାଆନ୍ତି ଓ ଟିକେଟ ପାଆନ୍ତି ତେବେ ବିଜେପିର ବ୍ରାଣ୍ଡେଡ଼ କର୍ମୀମାନେ କରିବେ କ’ଣ ? ଯେଉଁମାନେ ପାଂଚ ବର୍ଷ ଧରି ସଂଗଠନ କରି ଦଳକୁ ମଜବୁତ କରିଛନ୍ତି ସେମାନେ କ’ଣ ବିଜେଡ଼ିରୁ ଆସିଥିବା ନେତାଙ୍କୁ ସହଜରେ ଗ୍ରହଣ କରିନେବେକି ? ହଁ ହୁଏତ କିଛି କର୍ମୀ ଗ୍ରହଣ କରିପାରନ୍ତି, ହେଲେ କେତେକ ଆଗଧାଡ଼ିର ବିଜେପି ନେତା ସେମାନଙ୍କୁ ନିଶ୍ଚିତ ହରାଇବାକୁ ଚାହିଁବେ । କାରଣ ଯଦି ସେହି ନେତା ବିଜେପିରୁ ଜିତିଯାଆନ୍ତି ତେବେ ପୁରୁଣା ନେତାମାନଙ୍କର ପରିଚୟ ହଜିଯିବା ନିଶ୍ଚିତ । ସେଥିପାଇଁ ଅସନ୍ତୁଷ୍ଟ ବିଜେପି ନେତାଙ୍କ ଉପରେ ଦଳ ନଜର ରଖିବା ସ୍ୱାଭାବିକ । ଏହି ପରିପ୍ରେକ୍ଷୀରେ ବିଜୁ ଜନତା ଦଳ କାହିଁକି ପ୍ରଥମେ ପ୍ରାର୍ଥୀ ତାଲିକା ଘୋଷଣା କଲା ତାହା ଉପରେ ବି ଅନୁଶୀଳନ କରିବାର ଆବଶ୍ୟକତା ରହିଛି । ବିଜେଡ଼ି ଶାସକ ଦଳ, ସବୁଠି ଅଧିକ ଆଶାୟୀ ଏହି ଦଳରେ । ସାଧାରଣତଃ ଏଭଳି କ୍ଷେତ୍ରରେ ଦଳ ଶେଷ ମୁହୂର୍ତରେ ପ୍ରାର୍ଥୀ ଘୋଷଣା କରିବା କଥା । କିନ୍ତୁ ଦଳ ପ୍ରଥମେ ପ୍ରାର୍ଥୀ ତାଲିକା ଘୋଷଣା କରି ଅସନ୍ତୁଷ୍ଟମାନଙ୍କ ବିଜେପି ଯିବା ରାସ୍ତାକୁ ପ୍ରଶସ୍ତ କରିଛି । କାରଣ ଅସନ୍ତୁଷ୍ଟ ନେତାମାନେ ଯଦି ବିଜେପି ଯାଇନଥା’ନ୍ତେ ତେବେ ବିଜେଡ଼ିରେ ରହିବାର ନାଟକ କରି ଦଳର ଭୋଟ ବିଭାଜନ କରିଥା’ନ୍ତେ । ଯାହାକି ବିଜେଡ଼ି ପାଇଁ ବେଶୀ କ୍ଷତିକାରକ ହୋଇଥା’ନ୍ତା । କେଉଁ ନେତାଙ୍କର ଅସଲ ଉଦେ୍ଧଶ୍ୟ କ’ଣ ତାହା ଠଉରାଇ ହୋଇନଥା’ନ୍ତା । ବିଜେପିକୁ ଟିକେଟ ପାଇନଥିବା ବିଜେଡ଼ି ନେତାମାନେ ଯିବା ଦ୍ୱାରା ଦଳର ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ଲଟକି ରହିଛି । ବିଜେଡ଼ିରୁ ଯାଇଥିବା ବୈଜୟନ୍ତ ପଣ୍ଡା ଓ ଦାମ ରାଉତଙ୍କ ଭଳି ନେତାମାନେ ସେମାନଙ୍କୁ ଟିକେଟ ଦେବାକୁ ଜୋର ଦେଉଥିବାବେଳେ ଧର୍ମେନ୍ଦ୍ର କିନ୍ତୁ ପୂର୍ବରୁ ଯେଉଁ ନେତାମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ ସେମାନଙ୍କୁ ଟିକେଟ ଦେବା ପାଇଁ ଚାହୁଁଛନ୍ତି । ଯଦିଓ କେନ୍ଦ୍ରୀୟ ନିର୍ବାଚନ କମିଟି ଚୂଡ଼ାନ୍ତ ନିଷ୍ପତି ନେବ ବୋଲି କୁହାଯାଉଛି ତାହା କେବଳ ଭୂତାଇବା ପାଇଁ ଉଦ୍ଧିଷ୍ଟ ବୋଲି କହିଲେ ଭୁଲ ହେବନାହିଁ । ବର୍ତମାନ ବିଜେପିରେ ଅସନ୍ତୋଷ କୁହୁଳିବାରେ ଲାଗିଛି । ରାତିରେ ଆସିବ, ସକାଳେ ଟିକେଟ ନେବ, ସେହି ଫର୍ମୂଲାକୁ ସେମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି । ଫଳରେ ବିଜେଡ଼ିର ଚାଲ ସଫଳ ହେଉଥିବା କୁହାଯାଉଥିବାବେଳେ ବିଜେପି ଏହା ହେଜିବା ଦରକାର ବୋଲି କେତେକ ମତବ୍ୟକ୍ତ କରୁଛନ୍ତି ।