ନୂଆଦିଲ୍ଲୀ : ନୂଆଦିଲ୍ଲୀରେ ଥିବା କୋଟ୍ଲା ଷ୍ଟାଡ଼ିୟମର ନାମ ପରିବର୍ତ୍ତନ କରାଯାଇ ଅରୁଣ ଜେଟ୍ଲି ଷ୍ଟାଡ଼ିୟମ କରାଯାଇଛି। ପରଲୋକଗତ କେନ୍ଦ୍ର ମନ୍ତ୍ରୀ ଅରୁଣ ଜେଟ୍ଲିଙ୍କ ସ୍ମୃତିରକ୍ଷା ଉଦ୍ଦେଶ୍ୟରେ କୋଟ୍ଲାର ନାମ ପରିବର୍ତ୍ତନ କରିବାକୁ ଦିଲ୍ଲୀ ଆଣ୍ଡ ଡିଷ୍ଟ୍ରିକ୍ଟ୍ କ୍ରିକେଟ୍ ଆସୋସିଏସନ୍ (ଡିଡିସିଏ) ନିଷ୍ପତ୍ତି ନେଇଥିଲା। ସୂଚନାଥାଉକି ଅରୁଣ ଜେଟ୍ଲି ୧୯୯୯ରୁ ୨୦୧୩ ପର୍ଯ୍ୟନ୍ତ ଡିଡିସିଏର ସଭାପତି ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ସେହିପରି ଷ୍ଟାଡ଼ିୟମର ପ୍ୟାଭିଲିୟନ୍ର ଏକ ଷ୍ଟାଣ୍ଡ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲିଙ୍କ ନାମରେ ନାମିତ କରାଯାଇଥିବା ଜଣାପଡ଼ିଛି। ଗୁରୁବାର ଆୟୋଜିତ ଏକ କାର୍ଯ୍ୟକ୍ରମରେ କୋଟ୍ଲା ଷ୍ଟାଡ଼ିୟମର ନାମ ପରିବର୍ତ୍ତନ କରାଯାଇ ଅରୁଣ ଜେଟ୍ଲି ଷ୍ଟାଡ଼ିୟମ ରଖାଯାଇଥିବା ବେଳେ କୋହଲିଙ୍କ ନାମରେ ପ୍ୟାଭିଲିୟନ୍ର ଏକ ଷ୍ଟାଣ୍ଡ ନାମିତ କରାଯାଇଥିଲା। ଏହି ଉତ୍ସବରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, କ୍ରୀଡ଼ା ମନ୍ତ୍ରୀ କିରେନ୍ ରିଜିଜୁ, ପୂର୍ବତନ କ୍ରୀଡ଼ା ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର, ଦିଲ୍ଲୀ ବିଜେପି ସଭାପତି ମନୋଜ ତିୱାରୀ, ପୂର୍ବତନ କ୍ରିକେଟର୍ କପିଳ ଦେବ, ବୀରେନ୍ଦ୍ର ସେହ୍ବାଗ, ଚେତନ ଚୌହ୍ବାନ, ଅଜୟ ଜାଡେଜା ପ୍ରମୁଖ ଉପସ୍ଥିତ ଥିଲେ।
