କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାରେ ସ୍ୱାସ୍ଥ୍ୟ ଭିତ୍ତିଭୂମିରେ ଉନ୍ନତି ପାଇଁ ନୂତନ ପଦକ୍ଷେପ ଶହୀଦ ଲକ୍ଷ୍ମ ନାୟକ ମେଡିକାଲ କଲେଜର ଶଯ୍ୟା ସଂଖ୍ୟା ୭୦୦ କୁ ବୃଦ୍ଧି କରାଯିବ ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ମୋ ସରକାର କାର୍ଯ୍ୟକ୍ରମକୁ ଅଧିକ ଦକ୍ଷ ଓ ଉତ୍ତରଦାୟୀ କରିବା ପାଇଁ କେତେକ ଘୋଷଣା କରିଛନ୍ତି ।ଆଜି ଲୋକସେବା ଭବନଠାରେ ଗଣମାଧ୍ୟମକୁ ତାଙ୍କର ନୂତନ ପଦକ୍ଷେପ ସମ୍ପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଲେ ପ୍ରାୟ ୧୦ ଦିନ ତଳେ ମହାତ୍ମା ଗାନ୍ଧୀଙ୍କ ଜନ୍ମ ବାର୍ଷିକୀ ଅବସରରେ ମୋ ସରକାର କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ଆମେ ପୋଲିସ ଓ ସ୍ୱାସ୍ଥ୍ୟ କ୍ଷେତ୍ର ଉପରେ ଦୃଷ୍ଟି ନିବିଦ୍ଧ କରିଥିଲୁ । ମୁଁ ୧୨୦ଟି ଫୋନକଲ କରିଛି ଏବଂ ଲୋକଙ୍କ ପ୍ରତିକି୍ରୟା ବହୁତ ଉତ୍ସାହଜନକ ଥିଲା । ଆମର ଯୋଜନା ଅନୁଯାୟୀ ମୁଁ ପ୍ରଥମେ ରାଜ୍ୟର ବରିଷ୍ଠ ଅଧିକାରୀମାନଙ୍କୁ ଅତି କମରେ ୧୫ଟି ଜିଲ୍ଲା ଗସ୍ତ କରିବା ପାଇଁ ନିଦେ୍ର୍ଧଶ ଦେଇଥିଲି । ସବୁ ଜାଗାରେ ଲୋକଙ୍କ ଫିଡବ୍ୟାକ ଉତ୍ସାହଜନକ ଥିଲା ଏବଂ ପୋଲିସ ଓ ସ୍ୱାସ୍ଥ୍ୟ କର୍ମଚାରୀ ମାନଙ୍କ ପ୍ରତିକି୍ରୟା ମଧ୍ୟ ବହୁତ ଭଲ ଥିଲା । ମୋ ସରକାର ଟିମ୍ର ପ୍ରଥମ ଦିନର ଗସ୍ତ ପରେ ରୋଗୀ ମାନଙ୍କ ଫିଡବ୍ୟାକ ଓ ଡାକ୍ତରମାନଙ୍କ ସହ ଆଲୋଚନାକୁ ଭିତ୍ତି କରି ରାଜ୍ୟ ସରକାର ନିମ୍ନୋକ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହି ନିଷ୍ପତ୍ତି ଅନୁଯାୟୀ ମାଲକାନଗିରି, କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାର ସଦର ମହକୁମା ଚିକିତ୍ସାଳୟ ଓ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜର ୪ଟି ରୋଗୀ କଲ୍ୟାଣ ସମିତିକୁ ପ୍ରତ୍ୟେକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୫ ଲକ୍ଷ ଟଙ୍କାର ସହାୟତା ଦିଆଯିବ । ଏହି ୩ଟି ଜିଲ୍ଲାର ପୋଲିସ ଏସପି ମାନଙ୍କୁ ରକ୍ତଦାନ କାର୍ଯ୍ୟକ୍ରମର ପ୍ରଚାର ପ୍ରସାର ପାଇଁ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଦିଆଯିବ । କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ୫୦୦ ଶଯ୍ୟା ବିଶିଷ୍ଟ ଏକ କମ୍ପୋଜିଟ ହସ୍ପିଟାଲ ନିର୍ମାଣ କରାଯିବ । ଦୁଇ ବର୍ଷ ମଧ୍ୟରେ ଏହାର ଶଯ୍ୟା ସଂଖ୍ୟା ୭୦୦ କୁ ବୃଦ୍ଧି କରାଯିବ । ରୋଗୀମାନଙ୍କ ଆଟେଣ୍ଡାଣ୍ଟ ମାନଙ୍କ ନିମନ୍ତେ ମେଡିକାଲ କ୍ୟାମ୍ପସରେ ଏକ ରେଷ୍ଟ ସେଡ ନିର୍ମାଣ କରାଯିବ । ନୂତନ କମ୍ପୋଜିଟ କ୍ୟାମ୍ପସରେ କର୍ମଚାରୀମାନଙ୍କ ପାଇଁ ବାସଗୃହ ବ୍ୟବସ୍ଥା ଓ ଟ୍ରାନଜିଟ ହୋମ କରାଯିବ । ମେଡିକାଲ କଲେଜ ପାଇଁ ୫ଟି ଆମ୍ବୁଲାନ୍ସ ଓ ୩ଟି ମହାପ୍ରୟାଣ ଗାଡ଼ି ଯୋଗାଇ ଦିଆଯିବ । କୋରାପୁଟ ଜିଲ୍ଲା ସଦର ମହକୁମା ହସ୍ପିଟାଲର ଶଯ୍ୟା ସଂଖ୍ୟା ୨୫୦ କୁ ବୃଦ୍ଧି କରାଯିବା ସହିତ ବର୍ତ୍ତମାନର ବିଲଡିଂ ଉପରେ ଏକ ନୂଆ ୱାର୍ଡ ନିର୍ମାଣ କରାଯିବ । ଷ୍ଟାଫ ମାନଙ୍କ ପାଇଁ ସରକାରୀ ବାସଗୃହ ଓ ଆଟେଣ୍ଡାଣ୍ଟ ମାନଙ୍କ ପାଇଁ ରେଷ୍ଟ ସେଡ କରାଯିବ । ଦୁଇଟି ଆମ୍ବୁଲାନ୍ସ ମଧ୍ୟ ଯୋଗାଇ ଦିଆଯିବ । ମାଲକାନଗିରି ସଦର ମହକୁମା ହସ୍ପିଟାଲରେ ଡାକ୍ତରମାନଙ୍କ ପାଇଁ ବାସଗୃହ ଓ ଶଯ୍ୟା ସଂଖ୍ୟା ୨୦୦ କୁ ବୃଦ୍ଧି କରାଯିବ । ମୋଟୁ ଠାରୁ ମାଲକାନଗିରି ପର୍ଯ୍ୟନ୍ତ ସବୁ ଦିନିଆ ବସ ଚଳାଚଳ ପାଇଁ ପଦକ୍ଷେପ ନିଆଯିବ । ଆଟେଣ୍ଡାଣ୍ଟ ମାନଙ୍କ ପାଇଁ ରେଷ୍ଟ ସେଡ କରାଯିବ । ନବରଙ୍ଗପୁର ସଦର ମହକୁମା ହସ୍ପିଟାଲର ଶଯ୍ୟା ସଂଖ୍ୟା ମଧ୍ୟ ୨୦୦ କୁ ବୃଦ୍ଧି କରାଯିବା ସହିତ ଆଟେଣ୍ଡାଣ୍ଟ ମାନଙ୍କ ପାଇଁ ରେଷ୍ଟ ସେଡ, ୩ଟି ଆମ୍ବୁଲାନ୍ସ ଓ ୩ଟି ମହାପ୍ରୟାଣ ଯାନ ଯୋଗାଇ ଦିଆଯିବ । ୨୦୦ ଶଯ୍ୟା ବିଶିଷ୍ଟ ଏକ ନୂତନ ହସ୍ପିଟାଲ ବିଲଡିଂ ନିର୍ମାଣ କରାଯିବ ।
