ପୁରୀ:ପୁରୀ ଲୋକସଭା ଆସନ ପାଇଁ ବିଭିନ୍ନ ଦଳୀୟ ପ୍ରାର୍ଥୀ ଘୋଷଣା ହେବାରେ ଲାଗିଛି । ପ୍ରଥମେ ବିଜେପି ପକ୍ଷରୁ ରାଷ୍ଟ୍ରୀୟ ପ୍ରବକ୍ତା ଡାକ୍ତର ସମ୍ବିତ ପାତ୍ରଙ୍କୁ ପୁରୀ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି । ବିଜେଡି ଓ କଂଗ୍ରେସ ପକ୍ଷରୁ ବର୍ତମାନ ସୁଦ୍ଧା ପ୍ରାର୍ଥୀ ତାଲିକା ଘୋଷଣା କରାଯାଇନଥିବାରୁ ସମ୍ବିତଙ୍କ ସହ କିଏ ସାମ୍ନା ସାମ୍ନି ହେବ ତାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ଡା. ପାତ୍ର ଜଣେ ଭଲ ପ୍ରବକ୍ତା ହୋଇଥିବା ବେଳେ ଜଗନ୍ନାଥଙ୍କ ପ୍ରତି ସମର୍ପିତ ବୋଲି କହିଛନ୍ତି । ଜଗନ୍ନାଥଙ୍କ ଆର୍ଶିବାଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶରେ ସେ ପୁରୀ ଲୋକସଭା ନିର୍ବାଚନ ମୈଦାନରେ ଅବତୀର୍ଣ୍ଣ ହୋଇଛନ୍ତି । ଗରିବ ଲୋକମାନଙ୍କର ସେବା କରିବା ପାଇଁ ତାଙ୍କୁ ସୁଯୋଗ ଦେବା ପାଇଁ ସେ ନିବେଦନ କରିଛନ୍ତି । ଅନ୍ୟପକ୍ଷରେ ପ୍ରାକ୍ତନ ବିଜେଡି ସାଂସଦ ପିନାକୀ ମିଶ୍ର ବର୍ତମାନ ସୁଦ୍ଧା ପ୍ରାର୍ଥୀ ଘୋଷିତ ହୋଇନଥିବାରୁ ତାଙ୍କ କାର୍ଯ୍ୟକ୍ରମ ପୁରୀରେ ଦେଖିବାକୁ ମିଳୁନାହିଁ । ଦୀର୍ଘ ୧୦ବର୍ଷ ଧରି ସାଂସଦ କେବଳ ବିଧାୟକମାନଙ୍କ ସହ ସଂପର୍କ ରଖି ତାଙ୍କ ଜରିଆରେ ଜନତାଙ୍କ ଭୋଟ ଲୁଟି ନେବାକୁ ସମର୍ଥ ହୋଇଛନ୍ତି । ଯାହାର ହିସାବ ନିକାଶ ଏହି ନିର୍ବାଚନରେ ଜନସାଧାରଣ ଦେବେ ବୋଲି ଚର୍ଚ୍ଚା ହେଉଛି । କଂଗ୍ରେସ ପକ୍ଷରୁ ଗତ ଥରର ପ୍ରାର୍ଥୀ ସୁଚରିତା ମହାନ୍ତିଙ୍କ ନାମ ଅଣାଯାଉଥିଲେ ମଧ୍ୟ ତାଙ୍କର ଏ ପର୍ଯ୍ୟନ୍ତ ଦର୍ଶନ ମିଳିନାହିଁ । ଗତ ଥର ଶ୍ରୀମତୀ ମହାନ୍ତି ପୁରୀ ଜିଲ୍ଲା ବାସୀଙ୍କ ପାଇଁ କାମ କରିବେ ବୋଲି ପ୍ରତିଶୃତି ଦେଇଥିଲେ ମଧ୍ୟ ହାରିଯିବା ପରେ ଆଉ ଗୋଟିଏ ଦିନ ପୁରୀରେ ଦେଖାଯାଇନାହାଁନ୍ତି । ସମ୍ବିତ ପାତ୍ରଙ୍କୁ ଟକ୍କର ଦେବାପାଇଁ ଜଣେ ବାକଚାତୁରୀ ସଂପନ୍ନ ପ୍ରାର୍ଥୀ ହେବା ଉଚିତ୍ ବୋଲି ସହରରେ ଆଲୋଚନା ହେଉଛି । ପୁରୀ ସାଂସଦ ପ୍ରାର୍ଥକୁ ନେଇ ଚର୍ଚ୍ଚା ଜୋର୍ ଧରିଥିବାବେଳେ ବିଧାୟକ ପ୍ରାର୍ଥୀ ବର୍ତମାନ ସୁଦ୍ଧା ଘୋଷଣା ହୋଇପାରିନାହିଁ । ବିଧାୟକ ପ୍ରାର୍ଥୀ ଘୋଷଣା ହେବା ପରେ ଲୋକସଭା ପାଇଁ ସ୍ଥିତି ଆକଳନ କରିହେବ । ସାଂସଦ ପ୍ରାର୍ଥୀ ପୁରୀ ଲୋକସଭା ଅଂଚଳର କିମ୍ବା ପୁରୀ ସହରର ବାସିନ୍ଦା ହେବା ଯେତେ ଜରୁରୀ ନୁହେଁ ପୁରୀ ସହରର ଉନ୍ନତି ପାଇଁ ଲୋକସଭାରେ ଦାବି କରିବା ପାଇଁ ଯୋଗ୍ୟ ବ୍ୟକ୍ତିଟିଏ ଦରକାର । ଏଠାରେ ମୁଖ୍ୟତଃ ବିଜେଡି, ବିଜେଡି ମଧ୍ୟରେ ସିଧାସଳଖ ଦ୍ୱିମୁଖୀ ପ୍ରତିଦ୍ୱନ୍ଦିତା ହେବାର ସମ୍ଭାବନା ରହିଛି । କଂଗ୍ରେସ ଦଳ ତା’ର ମୂଳଦୁଆକୁ ସୁଦୃଢ କରିପାରିନାହିଁ । ଗତ ୨୦୧୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ପିନାକୀ ମିଶ୍ର ୫,୨୩,୨୬୧ ଖଣ୍ଡ ଭୋଟ ପାଇଥିବାବେଳେ କଂଗ୍ରେସର ସୁଚରିତା ମହାନ୍ତି ୨,୫୯, ୮୦୦ ଏବଂ ବିଜେପିର ଅଶୋକ ସାହୁ ୨,୧୫, ୭୬୩ଖଣ୍ଡ ଭୋଟ ପାଇଥିଲେ । ଏଥର କେନ୍ଦ୍ରରେ ମୋଦି ସରକାରଙ୍କ ଦୃଢ଼ ନେତୃତ୍ୱ ଯୋଗୁଁ ବିଜେପି ତା’ର ସ୍ଥିତିରେ ଉନ୍ନତି ଆଣିଛି । ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀ ଅଧିନରେ ପୁରୀ, ସତ୍ୟବାଦୀ, ବ୍ରହ୍ମଗିରି, ପିପିଲି, ନୟାଗଡ ଜିଲ୍ଲାର ରଣପୁର ଓ ନୟାଗଡ ଅନ୍ତର୍ଗତ । ଏହି ୬ଟି ବିଧାନସଭା ନିର୍ବାଚନ ମଣ୍ଡଳୀରୁ କେବଳ ଚିଲିକା ନିର୍ବାଚନ ମଣ୍ଡଳୀରେ ବିଜେପି ପ୍ରାର୍ଥୀ ବିଧାୟକ ହୋଇଥିଲେ । ସାଂସଦ ପାଇଁ ସବୁ ଦଳର ପ୍ରାର୍ଥୀ ଘୋଷଣା ହେବା ପରେ କେଉଁ ପ୍ରାର୍ଥୀକୁ ଅଧିକ ଭୋଟ ମିଳିବ ତାହା ଆଗକୁ ସ୍ପଷ୍ଟ ହୋଇଯିବ ।
