ଏଡିଆର ରିପୋର୍ଟ : ହରିୟାଣାରେ ୯୩% ବିଧାୟକ କୋଟିପତି

ଏଡିଆର ରିପୋର୍ଟ : ହରିୟାଣାରେ ୯୩% ବିଧାୟକ କୋଟିପତି

ବିଶେଷ ଖବର

ଚଣ୍ଡିଗଡ଼: ହରିୟାଣାରେ ନବ ନିର୍ବାଚିତ ୯୦ ବିଧାୟକଙ୍କ ମଧ୍ୟରୁ ୮୪ ଜଣ କୋଟିପତି । ଏଡିଆର ରିପୋର୍ଟରୁ ଜଣାପଡ଼ିଛି ଯେ ହରିୟାଣାରେ ବିଜେପିର ନବନିର୍ବାଚିତ ୪୦ ବିଧାୟକଙ୍କ ମଧ୍ୟରୁ ୩୭ ଜଣ କୋଟିପତି ଏବଂ କଂଗ୍ରେସର ୩୧ ବିଧାୟକଙ୍କ ମଧ୍ୟରୁ ୨୯ ଜଣ କୋଟିପତି । ଅନ୍ୟପକ୍ଷେ ଜେଜେପିର ସମସ୍ତ ୧୦ ଜଣ ବିଧାୟକ କୋଟିପତି । ୨୦୧୪ରେ କୋଟିପତି ବିଧାୟକଙ୍କ ସଂଖ୍ୟା ୮୩ ପ୍ରତିଶତ ଥିବା ବେଳେ ୨୦୧୯ ନିର୍ବାଚନରେ ଏହା ବଢ଼ି ୯୩ ପ୍ରତିଶତ ରହିଛି । ଆକଳନରୁ ଜଣାପଡ଼ୁଛି ଯେ ବିଜେପିର ପ୍ରତି ବିଧାୟକଙ୍କର ହାରାହାରି ସମ୍ପତ୍ତିର ମୂଲ୍ୟ ୧୨.୦୪ କୋଟି ଥିବାବେଳେ କଂଗ୍ରେସର ପ୍ରତି ବିଧାୟକଙ୍କ ହାରାହାରି ସମ୍ପତ୍ତିର ମୂଲ୍ୟ ୧୬.୩୨ କୋଟି । ଅନ୍ୟପକ୍ଷେ ଜେଜେପିର ପ୍ରତି ବିଧାୟକଙ୍କ ହାରାହାରି ସମ୍ପତ୍ତିର ମୂଲ୍ୟ ୨୫.୨୬ କୋଟି । ମେହେମର ସ୍ୱାଧୀନ ବିଧାୟକ ବାଲରାଜ କୁଣ୍ଡୁଙ୍କର ବାର୍ଷିକ ଆୟ ୮.୧୮ କୋଟି ବୋଲି ଜଣାପଡ଼ିଛି । ଶିକ୍ଷାଗତ ଯୋଗ୍ୟତା କ୍ଷେତ୍ରରେ ପଞ୍ଚମରୁ ଦ୍ୱାଦଶ ଶ୍ରେଣୀ ମଧ୍ୟରେ ବିଧାୟକଙ୍କ ସଂଖ୍ୟା ୩୦ ପ୍ରତିଶତ । ୬୯ ପ୍ରତିଶତ ବିଧାୟକ ଗ୍ରାଜୁଏଟ୍ । ଅନ୍ୟପକ୍ଷେ ୩୧ରୁ ୪୦ ବର୍ଷ ବୟସ ମଧ୍ୟରେ ବିଧାୟକଙ୍କ ସଂଖ୍ୟା ୧୧ ପ୍ରତିଶତ ଥିବାବେଳେ ୪୧ରୁ ୫୦ ବର୍ଷ ମଧ୍ୟରେ ବିଧାୟକଙ୍କ ସଂଖ୍ୟା ୧୯ ପ୍ରତିଶତ । ୫୧ରୁ ୭୦ ବର୍ଷ ବୟସ ମଧ୍ୟରେ ବିଧାୟକଙ୍କ ସଂଖ୍ୟା ୬୩ ପ୍ରତିଶତ । ସେହିପରି ୭୧ରୁ ୮୦ ବର୍ଷ ମଧ୍ୟରେ ବିଧାୟକଙ୍କ ସଂଖ୍ୟା ୭ ପ୍ରତିଶତ । ୧୩ ପ୍ରତିଶତ ବିଧାୟକ ସେମାନଙ୍କ ବିରୋଧରେ ଅପରାଧିକ ମାମଲା ଥିବା ଘୋଷଣା କରିଛନ୍ତି । ୮ ପ୍ରତିଶତ ବିଧାୟକ ସେମାନଙ୍କ ବିରୋଧରେ ଅତି ଗୁରୁତର ଅପରାଧିକ ମାମଲା ଥିବା ଘୋଷଣା କରିଛନ୍ତି ।