ମୁମ୍ବାଇ: ଚଳିତ ବର୍ଷ ଶେଷ ସୁଦ୍ଧା ସୁନା ଦର ୧୦ ଗ୍ରାମ ପିଛା ୪୨,୦୦୦ ଟଙ୍କା ସ୍ତର ଛୁଇଁବ । ବାଣିଜ୍ୟ ଯୁଦ୍ଧ, କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ ନିରନ୍ତର କ୍ରୟ ତଥା ଆମେରିକୀୟ ଡଲାର ତୁଳନାରେ ଟଙ୍କା ଅବମୂଲ୍ୟାୟନ କାରଣରୁ ସୁନା ଏମିତି ଉଚ୍ଚା ରହିବ ବୋଲି ବଜାର ବିଶେଷଜ୍ଞମାନେ ଆକଳନ କରିଛନ୍ତି । କମୋଟ୍ରେଣ୍ଡଜ ରିସର୍ଚ୍ଚର ସହ ପ୍ରତିଷ୍ଠାତା ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଜ୍ଞାନ ଶେଖର ଥିଆଗରାଜନ କହିଛନ୍ତି, ମଧ୍ୟ ପ୍ରାଚ୍ୟ ରାଷ୍ଟ୍ରଗୁଡ଼ିକରେ ଭୌଗୋଳିକ ରାଜନୈତିକ ଅସ୍ଥିରତା କାରଣରୁ ଆନ୍ତର୍ଜାତିକ କମୋଡିଟି ବଜାରରେ ସୁନା ମୂଲ୍ୟ ଆଉନ୍ସ ପିଛା ୧,୬୫୦ ଡଲାର ହୋଇଛି । ସେହିପରି ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଲଗାତାର ସୁନା କିଣା ଚାଲୁ ରହିଛି । ଏସବୁ କାରଣରୁ ୨୦୧୯ ଶେଷ ଯାଏଁ ସୁନା ଦର ଉପର ମୁହାଁ ହେବ । ଡିସେମ୍ବର ବେଳକୁ ଭାରତୀୟ ବଜାରରେ ଏହା ୧୦ ଗ୍ରାମ ପିଛା ୪୨,୦୦୦ ଟଙ୍କା ଉପରେ ଥିବ ।ଯେତେବେଳେ ଆନ୍ତର୍ଜାତିକ ବଜାରରେ ସୁନା ମୂଲ୍ୟ ଆଉନ୍ସ ପିଛା ୧,୫୦୬ ଡଲାର ଥିଲା, ସେତେବେଳେ ଭାରତୀୟ ବଜାରରେ ସୁନା ଦର ୧୦ ଗ୍ରାମ ପିଛା ୩୮,୩୦୨ ଟଙ୍କା ରହିଥିଲା । ଅପର ପକ୍ଷେ କୋଟାକ ସିକୁ୍ୟରିଟିଜର କମୋଡିଟି ମୁଖ୍ୟ ରବିନ୍ଦର ରାଓ କହିଛନ୍ତି, ବର୍ଷ ଶେଷ ବେଳକୁ ବିଦେଶ ବଜାରରେ ସୁନା ମୂଲ୍ୟ ଆଉନ୍ସ ପିଛା ୧,୪୬୦ ରୁ ୧,୫୩୦ ଡଲାର ମଧ୍ୟରେ ରହିବ । ଫଳରେ ଭାରତୀୟ ବଜାରରେ ଏହି ହଳଦିଆ ଧାତୁ ଦର ୩୬,୮୮୦୦ ରୁ ୩୯,୪୦୦ ମଧ୍ୟରେ ସୀମିତ ହେବ ।
