ଭୁବନେଶ୍ଵର : ବାତ୍ୟା ବୁଲବୁଲ୍ ପ୍ରଭାବରେ ଉପକୂଳ ଓଡ଼ିଶାରେ ଶନିବାର ବର୍ଷା ପରିମାଣ ବଢ଼ିବା ସହିତ ପବନର ବେଗ ମଧ୍ୟ ବୃଦ୍ଧି ପାଇଛି। ସକାଳେ ବୁଲବୁଲ୍ ପାରାଦୀଠାରୁ ୧୧୦ କିଲୋମିଟର ଦୂରରେ ଥିବାବେଳେ ଘଣ୍ଟା ପ୍ରତି ୭ କିଲୋମିଟର ବେଗରେ ପଶ୍ଚିମବଙ୍ଗ-ବାଂଲାଦେଶ ଆଡକୁ ମୁହାଁଇଛି। ତେବେ ବାତ୍ୟା ପୂର୍ବାହ୍ନ ୧୦ଟା ସୁଦ୍ଧା ଓଡ଼ିଶା ଉପକୂଳ ଅତିକ୍ରମ କରିବା ଆରମ୍ଭ କରିବ। ଏହା ପୂର୍ବରୁ ବାତ୍ୟା ପ୍ରଭାବରେ ଉପକୂଳ ଓଡ଼ିଶାର କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, ଭଦ୍ରକ, ବାଲେଶ୍ଵର ଜିଲାରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିବା ଜାରି ରହିଛି। ଧାମରାରେ ୧୧୦ କିଲୋମିଟର ବେଗରେ ପବନ ବହୁଥିବା ସୂଚନା ମିଳିଛି। ଜଗତ୍ସିଂହପୁର ଜିଲାର ପାରାଦୀପ ସମେତ ବିଭିନ୍ନ ସ୍ଥାନ, ଭଦ୍ରକ ଜିଲାର ଚାନ୍ଦବାଲି, ଧାମରା, ବାଲେଶ୍ଵର ଜିଲାର ବାଲେଶ୍ଵର ଏବଂ କେନ୍ଦ୍ରାପଡ଼ା ଜିଲାରେ ବର୍ଷା ସାଙ୍ଗକୁ ପବନ ବହିବାରୁ ବହୁ ସଂଖ୍ୟାରେ ଗଛ ଉପୁଡ଼ିପଡ଼ିଛି। ଅନେକ ସ୍ଥାନରେ ରାସ୍ତା ଉପରେ ଗଛ ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି। ପାରାଦୀପରେ ୨୪ ଘଣ୍ଟାରେ ସର୍ବାଧିକ ୧୫୯ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଚାନ୍ଦବାଲିରେ ୧୪୩ ମିଲିମିଟର, ବାଲେଶ୍ଵରରେ ୩୨ ମିମି ବର୍ଷା ହୋଇଛି। ଅପରାହ୍ନ ବେଳକୁ ବାଲେଶ୍ଵର ଏବଂ ଭଦ୍ରକରେ ବର୍ଷା ପରିମାଣ ବଢ଼ିବ ବୋଲି ସୂଚନା ଦିଆଯାଇଛି।ପାରାଦୀପରେ କଳିଙ୍ଗ ବାଲିଯାତ୍ରା ପାଇଁ ଶୁକ୍ରବାର ରାତିରେ ଆସିଥିବା କେତେଜଣ ବ୍ୟବସାୟୀଙ୍କୁ ପ୍ରଶାସନ ଉଦ୍ଧାର କରି ନିକଟ ବାତ୍ୟା ଆଶ୍ରୟସ୍ଥଳରେ ରଖିଛି। ପ୍ରବଳ ଯୋଗୁ ଷଣ୍ଢକୁଦ, ବାଲିଝରା, ତାରେଣୀଗଡ଼ା, ନ୍ୟୁଜଗନ୍ନାଥ କଲୋନୀ ପ୍ରଭୃତି ସ୍ଥାନରେ ପାଣି ଜମି ରହିଛି। ପ୍ରଶାସନ ପକ୍ଷରୁ ସମ୍ପୃକ୍ତ ଅଞ୍ଚଳରୁ ସକାଳୁ ଲୋକମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି।ସେହିପରି ଭଦ୍ରକ ଜିଲାର ଧାମରା, ଆରଡି ସମେତ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ବହିବା ଜାରି ରହିଛି। ଅନେକ ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିବା ସହିତ ଚାଳ ଛପର ଉଡ଼ିଯାଇଛି। ରାସ୍ତାଘାଟରେ ଗଛ ପଡ଼ିଥିବାରୁ ଆରଡିରୁ ଭଦ୍ରକକୁ ଯାତାୟାତ ବନ୍ଦ ରହିଛି।
