ସୁରକ୍ଷା ବଳୟରେ ଅଯୋଧ୍ୟା ସହର

ସୁରକ୍ଷା ବଳୟରେ ଅଯୋଧ୍ୟା ସହର

ଜାତୀୟ ଖବର

ଲକ୍ଷ୍ନୌ: ଶନିବାର ପୂର୍ବାହ୍ନ ସାଢ଼େ ୧୦ଟାରେ ସୁପ୍ରିମକୋର୍ଟରେ ବହୁ ପ୍ରତୀକ୍ଷିତ ଅଯୋଧ୍ୟା ବିବାଦ ମାମଲାର ରାୟ ପ୍ରକାଶ ପାଇବ। ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ଖଣ୍ଡପୀଠ ରାୟ ଶୁଣାଇବେ। ରାୟ ପ୍ରକାଶ ପରେ କୌଣସି ଅପ୍ରୀତିକର ଘଟଣା ଘଟିବା ଆଶଙ୍କାରେ ଦେଶବ୍ୟାପୀ ଆଲର୍ଟ ଜାରି କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଉତ୍ତର ପ୍ରଦେଶରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ବିଶେଷ କରି ଅଯୋଧ୍ୟା ସହରକୁ ସୁରକ୍ଷା ବଳୟରେ ରଖାଯାଇଛି। ଏଠାରେ ଆଇନଶୃଙ୍ଖଳା ନିୟନ୍ତ୍ରଣ କରିବା ଲାଗି ୧୮ ହଜାର ପୁଲିସ ଅଧିକାରୀଙ୍କ ସହିତ ୩ ହଜାର ରାପିଡ୍‌ ଆକ୍ସନ ଫୋର୍ସ ଏବଂ ୪ ହଜାର ଯବାନ ମୁତୟନ ହୋଇଛନ୍ତି। ରାଜ୍ୟର ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଜାରି କରାଯାଇଛି। ଏସବୁ ସ୍ଥାନରେ ଡ୍ରୋନ ଦ୍ବାରା ପରିସ୍ଥିତିକୁ ତଦାରଖ କରାଯାଉଛି। ଏହା ସହିତ ୯ଟି ହେଲିକପ୍ଟର ପ୍ରସ୍ତୁତ ରଖାଯାଇଛି। ଆକାଶ ମାର୍ଗରୁ ସର୍ଭେ ପାଇଁ ୩ଟି ହେଲିକପ୍ଟର ରଖାଯାଇଛି। ଅନ୍ୟପଟେ ରାୟ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ବିଟ୍‌ ଯୋଗେ ଦେଶବାସୀଙ୍କୁ ଶାନ୍ତି ଏବଂ ଏକତା ବଜାୟ ରଖିବାକୁ ନିବେଦନ କରିଛନ୍ତି।