ରାନୁଙ୍କ ରୂପଚର୍ଯ୍ୟା

ରାନୁଙ୍କ ରୂପଚର୍ଯ୍ୟା

ଜାଣିବା କଥା

ଗୀତ ଗାଇ ଷ୍ଟେସନରୁ ବଲିଉଡ଼ ପହଞ୍ଚିଯିବା ପରେ ରାନୁ ମଣ୍ଡଳ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ କାରଣ ପାଇଁ ଚର୍ଚ୍ଚାରେ ରହିଆସିଛନ୍ତି । ହିମେଶ ରେଶମିୟାଙ୍କ ସହ ଗୀତ ଗାଇବା ସହ କେତେକ ରିଅଲିଟି ଶୋକୁ ଅତିଥି ଭାବେ ଯିବା ବିଭିନ୍ନ କାର୍ଯ୍ୟକ୍ରମ ନିମନ୍ତ୍ରିତ ହେବା ପରି ସଫଳତା ପାଇଛନ୍ତି ସେ । ତେବେ ତାଙ୍କ ଭିଡିଓ ଭାଇରାଲ କରି ଏପରି ସଫଳତାର କାରଣ ହୋଇଥିବା ଯୁବକଙ୍କୁ ସେ ଚାକର ବୋଲି କହିବା, ତାଙ୍କ ସହିତ ସେଲଫି ଉଠାଇବା ଲାଗି ଆସିଥିବା ପ୍ରଶଂସକଙ୍କୁ ଦୁର୍ବ୍ୟବହାର କରିବା ଆଦି ଘଟଣାରେ ସୋସିଆଲ ମିଡିଆରେ ରାନୁଙ୍କୁ ଖୁବ ନିନ୍ଦା କରାଯାଇଥିବା ଶୁଣିବାକୁ ମିଳୁଛି । ଯେଉଁ ସୋସିଆଲ ମିଡିଆ ତାଙ୍କୁ ଷ୍ଟାର କରିଥିଲା, ସେଥିରେ ସେ ଏବେ ନିନ୍ଦା ଏବଂ ବ୍ୟଙ୍ଗର ଶିକାର ହୋଇଛନ୍ତି । ଏବେ ତାଙ୍କ ମେକଅପକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାରେ ଅଛି । ଏକ ଇଭେଣ୍ଟରେ ରାନୁ ପ୍ରବଳ ମେକଅପ କରି ର୍ୟାମ୍ପ ୱାକ କରିଥିଲେ । ଏହି ଫଟୋ ଭାଇରାଲ ହେବା ପରେ ଲୋକେ ରାନୁଙ୍କୁ ଖୁବ ପରିହାସ କରୁଥିବା ଦେଖାଯାଇଛି । ତାଙ୍କ ଉପରେ ଏକାଧିକ ମିମସ ସୋସିଆଲ ମିଡିଆରେ ଭରିଗଲାଣି । ରାନୁଙ୍କ ଏପରି ବେଶଭୂଷାରେ ସଜାଉଥିବା ମେକଅପ ଆର୍ଟିଷ୍ଟଙ୍କ ବାବଦରେ ଜାଣିବା ଲାଗି ସମସ୍ତଙ୍କ ମନରେ ପ୍ରଶ୍ନ । ଏକ ରିପୋର୍ଟ ଅନୁସାରେ ରାନୁ ମଣ୍ଡଳଙ୍କୁ ଉତ୍ତରପ୍ରଦେଶର କାନପୁରକୁ ଏକ ବିଉଟି ପାର୍ଲର କାର୍ଯ୍ୟକ୍ରମରେ ନିମନ୍ତ୍ରଣ କରାଯାଇଥିଲା । ସେଠାକାର ଜଣେ ସ୍ଥାନୀୟ ମେକଅପ ଆର୍ଟିଷ୍ଟ ତାଙ୍କୁ ସଜାଇଥିଲେ । ତାଙ୍କ ନାଁ ସନ୍ଧ୍ୟା ବୋଲି କୁହାଯାଉଛି । ସେ ରାନୁଙ୍କ ମୁହଁରେ ଏତେ ବହଳ ମେକଅପ ଦେଇଥିଲେ ଯେ ତାଙ୍କୁ ଚିହ୍ନି ହେଉନଥିଲା । ରାନୁଙ୍କ ସହ ସେହି ମେକଅପ ଆର୍ଟିଷ୍ଟ ମଧ୍ୟ ର୍ୟାମ୍ପ ୱାକ କରିଥିଲେ । ଦୁହିଁଙ୍କ ମୁହଁରେ ଗଭୀର ଆତ୍ମ ବିଶ୍ୱାସ ଦେଖାଯାଉଥିଲା । ହେଲେ ଏହି ଫଟୋ ସୋସିଆଲ ମିଡିଆରେ ପହଞ୍ଚିବା ପରେ ଦୁହିଁଙ୍କୁ ଖୁବ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା । କେହି ରାନୁ ମଣ୍ଡଳଙ୍କ ମେକଅପ ଆର୍ଟିଷ୍ଟ ୨୦୨୦ ୱସ୍କାର ଆୱାର୍ଡ ପାଇବେ ବୋଲି କହିଥିବା ବେଳେ ଆଉ କେହି ରାନୁ ମଣ୍ଡଳଙ୍କ ରୂପ ଭାରି ବିପଜ୍ଜନକ ଦିଶୁଥିବାର ଲେଖିଛନ୍ତି । କିଏ ପୁଣି ରାନୁ ମଣ୍ଡଳଙ୍କ ରୂପକୁ ହାଲୋୱିନ ସହ ତୁଳନା କରି ‘ହାପି ବିଲେଟେଡ୍ ହାଲୋୱିନ’ ବୋଲି ମନ୍ତବ୍ୟ ଦେଇଛନ୍ତି ।