ମଦ ପିଇ ଗାଡ଼ି ଚାଳନା, ଦ୍ରୁତବେଗରେ ଗାଡ଼ି ଚାଳନା, ବାଇକରେ ୩ ଜଣ ବସି ଯା’ଆସ କରିବା, ଓଭର ଲୋଡ଼ିଂ, ନାଲୀ ବତୀକୁ ଅବମାନନା, ହେଲମେଟ ଓ ସିଟ ବେଲଟ ଆଦି ଯାଂଚ କରାଯିବ ଡିଏଲ ଓ ଅନ୍ୟ କେତେକ କାଗଜପତ୍ର ଯାଂଚ କୋହଳ ଭୁବନେଶ୍ୱର:ନୂଆ ଆଇନରେ ଟ୍ରାଫିକ୍ ଯାଂଚ ଆଉ ୩ ମାସ କୋହଳ କରାଯାଇଛି । ବିଧାନସଭାରେ ଘୋଷଣା କଲେ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ଗାଡି କାଗଜପତ୍ର ଯାଂଚକୁ କୋହଳ କଲେ ରାଜ୍ୟ ସରକାର । ଆରଟିଓ ଅଫିସରେ ପ୍ରବଳ ଭିଡ ଦୃଷ୍ଟିରୁ ଯାଂଚ କୋହଳ କରାଯାଇଛି । ପୂର୍ବରୁ ୩ ମାସ ପାଇଁ ନିୟକ କୋହଳ କରିଥିଲେ ରାଜ୍ୟ ସରକାର । ଡିସେମ୍ବର ୧ରୁ ନୂଆ ନିୟମ କଡାକଡି ଭାବେ ଲାଗୁ ହେବାର ଥିଲା । ଏନେଇ ବିଧାନସଭାରେ ବିବୃତି ରଖି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତିଯେ, ନୂଆ ମୋଟରଯାନ ଲାଗୁ ସଂକ୍ରାନ୍ତରେ ରାଜ୍ୟର ବିଭିନ୍ନ ଅଂଚଳରୁ ଆସିଥିବା ମତାମତକୁ ଅନୁଶୀଳନ କରିବା ପରେ ମୁଖ୍ୟମନ୍ତ୍ରୀ ଯାଂଚ ପ୍ରକ୍ରି୍ରୟାକୁ ୩ ମାସ କୋହଳ କରିବା ପାଇଁ ନିଦେ୍ର୍ଧଶ ଦେଇଛନ୍ତି । ଏହି ତିନି ମାସ ମଧ୍ୟରେ ପରିବହନ ବିଭାଗ ପକ୍ଷରୁ ଅଧିକ ସଂଖ୍ୟକ ସୁବିଧା କେନ୍ଦ୍ର ଖୋଲିବା ସହ କ୍ୟାମ୍ପମାନ ଆୟୋଜନ କରିବାକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନିଦେ୍ର୍ଧଶ ଦେଇଛନ୍ତି । ଅପରପକ୍ଷରେ ପରିବହନ ବିଭାଗ ପକ୍ଷରୁ ଅଧିକ ସଂଖ୍ୟକ କେନ୍ଦ୍ର ଓ କାଉଂଟର ଖୋଲାଯାଇଛି । ନିୟମିତ କାର୍ଯ୍ୟ ସମୟ ଠାରୁ ଅଧିକ ସମୟ ଅଫିସ ମଧ୍ୟ ଖୋଲା ରହୁଛି । ଛୁଟିଦିନରେ ବି ଲୋକଙ୍କୁ ସେବା ଯୋଗାଇ ଦିଆଯାଉଛି । ବିଭାଗ ପକ୍ଷରୁ ଏଭଳି ପଦକ୍ଷେପ ଗ୍ରହଣ କରାଯିବା ଦ୍ୱାରା ଗତ ତିନି ମାସ ମଧ୍ୟରେ ଲର୍ଣ୍ଣର ଲାଇସେନ୍ସ ନିମନ୍ତେ ୯.୫ ଲକ୍ଷ ଲୋକ ଆବେଦନ କରିଥିବାବେଳେ ଇତିମଧ୍ୟରେ ୫.୪୫ ଲକ୍ଷ ଲୋକଙ୍କୁ ଲର୍ଣ୍ଣର ଲାଇସେନ୍ସ ପ୍ରଦାନ କରାଯାଇଛି । ଯେତେବେଳେକି ୨୦୧୮ରେ ମାତ୍ର ୩.୪୮ ଲକ୍ଷ ଲୋକଙ୍କୁ ଲର୍ଣ୍ଣର ଲାଇସେନ୍ସ ଦିଆଯାଇଥିଲା । ଏହାଛଡ଼ା ଗତ ତିନି ମାସ ମଧ୍ୟରେ ୧ ଲକ୍ଷ ଡିଏଲ ମଧ୍ୟ ପ୍ରଦାନ କରାଯାଇଛି । ତଥାପିବି ଆରଟିଓ ଅଫିସରେ ବହୁ ଭିଡ଼ ଲାଗିରହିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏଭଳି ସ୍ଥିତିର ସମୀକ୍ଷା କରିବା ପରେ ଆଉ ତିନି ମାସ କୋହଳ କରିବାକୁ ନିଦେ୍ର୍ଧଶ ଦେଇଛନ୍ତି । ଯାହାଫଳରେ ଲୋକମାନେ ନୂତନ ମୋଟର ଆଇନ ଅନୁଯାୟୀ ଆବଶ୍ୟକୀୟ କାଗଜପତ୍ର ପ୍ରସ୍ତୁତ କରିବାରେ ସମର୍ଥ ହୋଇପାରିବେ । ତେବେ ଏହା ପରେ ଆଉ କୋହଳ କରାଯିବ ନାହିଁ ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି । କିନ୍ତୁ ସଡ଼କ ନିରାପତାକୁ ଆଖିଆଗରେ ରଖି କେତେକ କ୍ଷେତ୍ରରେ ଯାଂଚ କଡ଼ାକଡ଼ି କରିବାକୁ ସରକାର ନିଷ୍ପତି ନେଇଛନ୍ତି । ମଦ ପିଇ ଗାଡ଼ି ଚାଳନା, ଦ୍ରୁତବେଗରେ ଗାଡ଼ି ଚାଳନା, ବାଇକରେ ୩ ଜଣ ବସି ଯା’ଆସ କରିବା, ଓଭର ଲୋଡ଼ିଂ, ନାଲୀ ବତୀକୁ ଅବମାନନା, ହେଲମେଟ ଓ ସିଟ ବେଲଟ ଆଦି ଯାଂଚ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା ସୂଚନା ଦେଇଛନ୍ତି । ଯଦି କେହି ଏଭଳି ସଡ଼କ ନିରାପତା ବ୍ୟବସ୍ଥାକୁ ଉଲ୍ଲଂଘନ କରନ୍ତି ତେବେ କାଗଜପତ୍ର ଯାଂଚ କରାଯିବ ବୋଲି ସେ କହିଛନ୍ତି । ଏହାଛଡ଼ା ଆଗାମୀ ତିନି ମାସ ମଧ୍ୟରେ ବିଭାଗ ପକ୍ଷରୁ ଜନତାଙ୍କୁ ସଚେତନ କରିବା ପାଇଁ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବ ।
