ଜିଲ୍ଲାପରିଷଦ ଅପହରଣ ଘଟଣାରେ କିଏ କହୁଛି ମିଛ ? ଖୋଲିଲା ଗୁମର

ଜିଲ୍ଲାପରିଷଦ ଅପହରଣ ଘଟଣାରେ କିଏ କହୁଛି ମିଛ ? ଖୋଲିଲା ଗୁମର

ରାଜ୍ୟ ଖବର

ଭୁବନେଶ୍ୱର - ବିଜେପି ମିଛ କହୁଛି । ଏକଥା ଆମେ କହୁନାହୁଁ ଖୋଦ ବିଜେପିର ଜିଲ୍ଲା ପରିଷଦ ସଭ୍ୟ କହିଛନ୍ତି । ଜଣେ କି ଦୁଇ ଜଣ ନୁହେଁ ଏକାବେଳେ ୯ ଜଣ ଜିଲ୍ଲା ପରିଷଦ ସଭ୍ୟ ଏହା କହିଛନ୍ତି । ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବରଗଡ଼ର ୯ଜିଲ୍ଲା ପରିଷଦ ସଭ୍ୟ ଯୋଗଦେଇ ବିଜେପି ବିରୋଧରେ ବିଷୋଦଗାର କରିବା ସହ ବିଜେଡି ସପକ୍ଷରେ ଯୁକ୍ତି ବାଢିଛନ୍ତି । ସେମାନେ କହିଛନ୍ତି ଯେ, ଆମେ ମାର୍ଚ୍ଚ ୨୮ ତାରିଖରୁ ବିଜେପି ଛାଡ଼ି ବିଜେଡିରେ ମିଶି ସାରିଛୁ । ବିଜେପି ମିଛ କହୁଛି । ଆମକୁ କେହି ଅପହରଣ କରିନାହାନ୍ତି । ବିଜେପି ଦ୍ୱାରା ଆମ ଅଞ୍ଚଳର କିଛି ବିକାଶ ହୋଇପାରିଲା ନାହିଁ । ବିକାଶ ଧାରାରେ ସାମିଲ ହେବାକୁ ଆମେ ବିଜେଡିରେ ମିଶିଛୁ ବୋଲି ସମ୍ପୃକ୍ତ ୯ଜିଲ୍ଲା ପରିଷଦ ସଭ୍ୟ କହିନ୍ତି । ପ୍ରକାଶ ଯେ, ଗତକାଲି ଅର୍ଥାତ ଶନିବାର ମନ୍ତ୍ରୀ ସୁଶାନ୍ତଙ୍କ ବିରୋଧରେ ରାଜ୍ୟ ବିଜେପି ପକ୍ଷରୁ ଏକ ଗୁରୁତର ଅଭିଯୋଗ ଅଣାଯାଇଥିଲା । ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ଅଭିଯୋଗ କରିଥିଲେ ଯେ, ମନ୍ତ୍ରୀ ଶ୍ରୀ ସିଂହ ବରଗଡ଼ର ୯ଜଣ ଜିଲ୍ଲା ପରିଷଦ ସଭ୍ୟଙ୍କୁ ବିଜେଡିକୁ ନେବା ପାଇଁ ଚେଷ୍ଟା କରୁଛନ୍ତି । ବରଗଡ଼ ପିଡି ଡିଆରଡିଏ ଜିଲ୍ଲା ପରିଷଦ ଅଧ୍ୟକ୍ଷଙ୍କୁ ସହଯୋଗ କରୁନାହାନ୍ତି । ପୂର୍ବରୁ ମୟୂରଭଞ୍ଜରେ ବି ଚେଷ୍ଟା କରିଥିଲେ, କିନ୍ତୁ ସେମାନେ ଫେରି ଆସିଲେ । ବାହୁବଳ ଓ ପ୍ରଶାସନିକ କଳକୁ ବ୍ୟବହାର କଲେ ମଧ୍ୟ ସଫଳ ହେବେନି ବୋଲି ପୃଥ୍ୱୀରାଜ ହରିଚନ୍ଦନ କହିଥିଲେ । ଅନ୍ୟପକ୍ଷରେ ଗତକାଲି ବରଗଡ଼ ଜିଲ୍ଲାର ଦୁଇ ଜଣ ଜିଲ୍ଲାପରିଷଦ ସଭ୍ୟାଙ୍କୁ ଲୁଚାଇ ରଖାଯାଇଥିବା ଅଭିଯୋଗ ହୋଇଥିଲା। ବିଜେପି ଜିଲ୍ଲାପରିଷଦ ସଦସ୍ୟା ପାର୍ବତୀ ଭୋଇ ଏବଂ ସୁଷମା ଭୁଏଙ୍କୁ ସୋହେଲା ଠାରେ ଲୁଚାଇ ରଖାଯାଇଥିବା ଅଭିଯୋଗ ଆଣିଥିଲା ବିଜେପି । ଏନେଇ ବିଜେପିର ଏକ ପ୍ରତିନିଧି ଦଳ ବରଗଡ଼ ଏସ.ପି ପଦ୍ମିନୀ ସାହୁଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ଭେଡ଼େନ ଜୋନ୍-ଟୁ ଜିଲ୍ଲାପରିଷଦ ସଦସ୍ୟା ସୁଷମା ଭୁଏ ଏବଂ ଅତାବିରା ଜୋନ-୧ର ଜିଲ୍ଲାପରିଷଦ ସଦସ୍ୟ ପାର୍ବତୀ ଭୋଇଙ୍କ ସ୍ୱାମୀ ଏସପିଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ଏହି ଜିଲ୍ଲାପରିଷଦ ସଦସ୍ୟାଙ୍କୁ ସୋହେଲା ବୁଲାଇନେବାକୁ କହି ଡ଼ାକି ନେଇ ସେମାନଙ୍କୁ ଲୁଚାଇ ରଖିଥିବା ଅଭିଯୋଗ ହୋଇଥିଲା । ଏପରିକି ସେମାନଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗ କରିବାକୁ ଦିଆଯାଉନଥିବା ଅଭିଯୋଗ ହୋଇଥିଲା । ମନ୍ତ୍ରୀ ସୁଶାନ୍ତ ସିଂଙ୍କ ନିର୍ଦ୍ଦେଶକ୍ରମେ ଉଭୟଙ୍କୁ ବିଜେଡ଼ି ଦଳରେ ଯୋଗଦେବାପାଇଁ ସୋହେଲା ଠାରେ ଲୁଚାଇ ରଖାଯାଇଥିବା ଅଭିଯୋଗ ହୋଇଥିଲା ।