ନୂଆଦିଲ୍ଲୀ - ସଂଶୋଧନ ଆଇନ (ସିଏଏ) କୁ ନେଇ ଦେଶବ୍ୟାପୀ ଯେଉଁ ହିଂସାକାଣ୍ଡ ଘଟିବାରେ ଲାଗିଛି ତାହା ପଛରେ ବେଆଇନ ଘୋଷିତ ମୌଳବାଦୀ ସଂଗଠନ ସିମି (ଷ୍ଟୁଡେଣ୍ଟସ ଇସଲାମିକ ମୁଭମେଣ୍ଟ ଅଫ ଇଣ୍ଡିଆ) ଓ ପିଏଫଆଇ (ପପୁଲାର ଫ୍ରଣ୍ଟ ଅପ ଇଣ୍ଡିଆ) ର ହାତ ରହିଛି । ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରିଆସୁଥିବା ଏହି ଦୁଇ ସଂଗଠନ ସହ କିଛି ରାଜନୈତିକ ଦଳ ଏଭଳି ହିଂସାକାଣ୍ଡକୁ ଉସୁକାଉଥିବା ଗୁଇନ୍ଦା ବିଭାଗ କହିଛି । ଏ ସଂକ୍ରାନ୍ତ ରିପୋର୍ଟ ଗତ ସପ୍ତାହରେ ଗୁଇନ୍ଦା ବିଭାଗ ପକ୍ଷରୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟକୁ ପ୍ରଦାନ କରାଯାଇଛି । ରିପୋର୍ଟରେ କୁହାଯାଇଛି କି ଏହି ଆଇନ ସେମାନଙ୍କ ସ୍ୱାର୍ଥ ବିରୋଧରେ ଯାଉଛି । ତେଣୁ ସେମାନେ ହିଂସାକାଣ୍ଡ ଭିଆଉଛନ୍ତି । ସେମାନଙ୍କର ମୁଖ୍ୟ ଉଦେ୍ଧଶ୍ୟ ହେଉଛି ଦେଶରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ବିଗାଡ଼ିବା । କେବଳ ଏତିକି ନୁହେଁ ଅନ୍ୟ ରାଜ୍ୟମାନଙ୍କୁ ମଧ୍ୟ ହିଂସାକାଣ୍ଡ ବ୍ୟାପିପାରେ ଆଶଙ୍କା ରହିଛି ବୋଲି ସେଥିରେ କୁହାଯାଇଛି । ନିଜକୁ ନବ୍ୟ ସାମାଜିକ ଆନେ୍ଦାଳନ ବୋଲି ଦର୍ଶାଉଥିବା ପିଏଫଆଇ ଲୋକଙ୍କୁ ସାମାଜିକ ନ୍ୟାୟ, ସ୍ୱାଧୀନତା ଓ ନିରାପତ୍ତା ପ୍ରଦାନ ଦିଗରେ କାର୍ଯ୍ୟ କରୁଥିବା ଦାବି କରୁଛି । ତେବେ ଏହି ସଂଗଠନ ବର୍ତ୍ତମାନ ହିଂସା ପରିସ୍ଥିତିରୁ ଫାଇଦା ଉଠାଇବାକୁ ଉଦ୍ୟମ କରୁଛି । ସେହିଭଳି ଦେଶର ବିଭିନ୍ନ ଭାଗରେ ଆତଙ୍କବାଦୀ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗରେ ସିମିକୁ ସରକାର ବେଆଇନ ଘୋଷଣା କରିଥିଲେ । ବର୍ତ୍ତମାନ ଯେଉଁ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଛି ତାହାରି ମାଧ୍ୟମରେ ଏହି ସ୍ଲିପର ସେଲ ସକି୍ରୟ ହୋଇ ଉଠିଛି । ଉଭୟ ସଂଗଠନକୁ କିଛି ରାଜନୈତିକ ଦଳ ସମର୍ଥନ କରୁଛନ୍ତି । ଉଭୟ ସଂଗଠନ ଦେଶ ବିରୋଧୀ କାର୍ଯ୍ୟ କଳାପ ଜାରି ରଖିଛନ୍ତି । ତାଙ୍କୁ ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରଣ କିମ୍ବା ଦମନ କରିବା ସମ୍ଭବ ହୋଇପାରି ନଥିବା ରିପୋର୍ଟରେ କୁହାଯାଇଛି । ଗୁଇନ୍ଦା ବିଭାଗର ଏହି ରିପୋର୍ଟ ପାଇବା ପରେ କେନ୍ଦ୍ର ସରକାର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ଆଡଭାଇଜରୀ ଜାରି କରିଛନ୍ତି ।
