ସିଏଏ ଓ ଏନଆରସିକୁ ନେଇ କଣ କହିଲା ବାଂଲାଦେଶ ବୈଦେଶିକ ମନ୍ତ୍ରୀ ଆସନ୍ତୁ ଜାଣିବା

ସିଏଏ ଓ ଏନଆରସିକୁ ନେଇ କଣ କହିଲା ବାଂଲାଦେଶ ବୈଦେଶିକ ମନ୍ତ୍ରୀ ଆସନ୍ତୁ ଜାଣିବା

ଜାତୀୟ ଖବର

ଢାକା - ବିବାଦୀୟ ନାଗରିକତା ସଂଶୋଧନ ଆଇନ୍ (ସିଏଏ) ଏବଂ ଜାତୀୟ ନାଗରିକ ପଞ୍ଜି (ଏନଆରସି) ଭାରତର ଆଭ୍ୟନ୍ତରୀଣ ପ୍ରସଙ୍ଗ ବୋଲି କହିଛନ୍ତି ବାଂଲାଦେଶର ବୈଦେଶିକ ମନ୍ତ୍ରୀ ଏକେ ଅବଦୁଲ ମୋମେନ। ସେ କହିଛନ୍ତି, ଏହି ଆଇନକୁ ନେଇ ଭାରତରେ ଯେଭଳି ଅନିଶ୍ଚିତତା ଲାଗିରହିଛି ତଦ୍ଦ୍ୱାରା ପଡ଼ୋଶୀ ଦେଶର ନାଗରିକମାନେ ପ୍ରଭାବିତ ହେବାର ସମ୍ଭାବନା ରହିଛି। ଉଲ୍ଲେଖଯୋଗ୍ୟ ଯେ ଏହି ବିବାଦୀୟ ଆଇନ୍ କେନ୍ଦ୍ରକରି ଭାରତର ବିଭିନ୍ନ ଭାଗରେ ହିଂସାତ୍ମକ ଆନ୍ଦୋଳନ ଯୋଗୁଁ ୨୩ ଜଣ ପ୍ରାଣ ହରାଇଲେଣି। ପାର୍ଲାମେଣ୍ଟରେ ଏ ସମ୍ପର୍କିତ ବିଲ୍ ଆଗତ ହେବା ଦିନଠାରୁ ଏପର୍ଯ୍ୟନ୍ତ ବିରୋଧ ଜାରି ରହିଛି। ନ୍ଦୋଳନକାରୀମାନେ ଏହି ଆଇନ୍କୁ ଅସାମ୍ବିଧାନିକ ଓ ବିଭାଜନ ସୃଷ୍ଟିକାରୀ ବୋଲି କହୁଥିଲାବେଳେ ମୋଦୀ ସରକାର ଏହି ଆଇନ୍ ଦ୍ୱାରା ଭାରତୀୟ ନାଗରିକମାନେ ଆଦୌ କ୍ଷତିଗ୍ରସ୍ତ ହେବେନାହିଁ ବୋଲି କହୁଛନ୍ତି। ବାଂଲାଦେଶ ବୈଦେଶିକ ମନ୍ତ୍ରୀ ମୋମେନ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀ ବାଂଲାଦେଶର ପ୍ରଧାନମନ୍ତ୍ରୀ ଶେଖ୍ ହାସିନାଙ୍କ ସହ ଏହି ପ୍ରସଙ୍ଗରେ ଆଲୋଚନା କରିଥିଲେ। ଏହି ଆଇନ୍ ଦ୍ୱାରା ବାଂଲାଦେଶ କୌଣସି ପ୍ରକାରେ କ୍ଷତିଗ୍ରସ୍ତ ହେବନାହିଁ ବୋଲି ମୋଦୀ ହାସିନାଙ୍କୁ ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି। ସେ ଆହୁରି କହିଛନ୍ତି, ଆମେ ଭାରତର ଏକ ନମ୍ବର ବନ୍ଧୁ। ଯଦି ଭାରତରେ ଅନିଶ୍ଚିତତା ଲାଗି ରହିବ ତଦ୍ଦ୍ୱାରା ପଡ଼ୋଶୀ ରାଷ୍ଟ୍ର କ୍ଷତିଗ୍ରସ୍ତ ହେବ। ବାଂଲାଦେଶର ବୈଦେଶିକ ମନ୍ତ୍ରୀ ଆହୁରି କହିଛନ୍ତି, ପରିସ୍ଥିତି ଶାନ୍ତ ପଡ଼ିଯିବ ଏବଂ ଭାରତର ଏଭଳି ସମସ୍ୟା ଦୂର ହୋଇଯିବ ବୋଲି ଆମେ ଆଶା କରୁଛୁ।