ନୂଆ ବର୍ଷରେ ମହଙ୍ଗା ମାଡ, ଏଲପିଜି ଗ୍ୟାସରେ ୧୯ ଟଙ୍କା ବୃଦ୍ଧି

ନୂଆ ବର୍ଷରେ ମହଙ୍ଗା ମାଡ, ଏଲପିଜି ଗ୍ୟାସରେ ୧୯ ଟଙ୍କା ବୃଦ୍ଧି

ଜାତୀୟ ଖବର

ନୂଆଦିଲ୍ଲୀ - ବର୍ଷ ଆରମ୍ଭ ହେବା ମାତ୍ରକେ ହିଁ ଜନସାଧାରଣଙ୍କୁ ମହଙ୍ଗା ମାଡ଼ ହୋଇଛି। ଅନ୍ତର୍ଜାତୀୟ ବଜାରରେ ମୂଲ୍ୟବୃଦ୍ଧି କାରଣରୁ ଅଣସବସିଡିଯୁକ୍ତ ରନ୍ଧନ ଗ୍ୟାସ୍ ସିଲିଣ୍ଡର ପିଛା ୧୯ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ସେହିପରି ବିମାନ ଇନ୍ଧନ ବା ଏଟିଏଫ୍ ମୂଲରେ ମଧ୍ୟ ୨.୬% ବୃଦ୍ଧି ଉଲ୍ଲେଖ କରାଯାଇଛି। ଯାହାଫଳରେ ଅଣସବ୍ସିଡିଯୁକ୍ତି ୧୪.୨ କିଲୋ ଏଲପିଜି ସିଲିଣ୍ଡରର ଦାମ୍ ୬୯୫ ଟଙ୍କାରୁ ବୃଦ୍ଧି ପାଇ ୭୧୪ ଟଙ୍କାରେ ପହଞ୍ଚିଛି ବୋଲି ତୈଳ ବିପଣନ କମ୍ପାନୀ ସୂତ୍ରରୁ ଜଣାପଡ଼ିଛି। କ୍ରମାଗତ ପଞ୍ଚମ ମାସ ପାଇଁ ରନ୍ଧନ ଗ୍ୟାସ୍ ମୂଲ୍ୟରେ ବୃଦ୍ଧି କରାଯାଇଛି। ବିଗତ ପାଞ୍ଚମାସ ମଧ୍ୟରେ ସିଲିଣ୍ଡର ପିଛା ଅଣସବସିଡିଯୁକ୍ତ ରନ୍ଧନ ଗ୍ୟାସ୍ ମୂଲ୍ୟ ୧୩୯.୫୦ ଟଙ୍କା ଲେଖାଏଁ ବୃଦ୍ଧି ପାଇଛି। ଅନ୍ୟ ମେଟ୍ରୋ ସହର ଯଥା କୋଲକାତାରେ ୨୧.୫୦ ଟଙ୍କା, ମୁମ୍ବାଇରେ ୧୯.୫୦ ଟଙ୍କା ଏବଂ ଚେନ୍ନାଇରେ ୨୦ ଟଙ୍କା ବୃଦ୍ଧି ପାଇଛି। ସାର୍ବଜନୀନ କ୍ଷେତ୍ରର କମ୍ପାନୀଗୁଡ଼ିକର ମୂଲ୍ୟସୂଚୀ ମୁତାବକ, ଦିଲ୍ଲୀରେ ବିମାନ ଇନ୍ଧନ ମୂଲ୍ୟ କିଲୋଲିଟର ପିଛା ୧,୬୩୭.୨୫ ଟଙ୍କା ବା ୨.୬% ବୃଦ୍ଧି ପାଇ ୬୪,୩୨୩.୭୬ ଟଙ୍କାରେ ପହଞ୍ଚିଛି। ଅନ୍ତର୍ଜାତୀୟ ବଜାରରେ ମୂଲ୍ୟବୃଦ୍ଧି କାରଣରୁ ଘରୋଇ ବଜାରରେ ମଧ୍ୟ ଏହାର ପ୍ରଭାବ ପଡ଼ିଛି। ଯାହାଫଳରେ କ୍ରମାଗତ ଦ୍ୱିତୀୟ ମାସରେ ଏଟିଏଫ୍ ମୂଲ୍ୟରେ ବୃଦ୍ଧି କରାଯାଇଛି।