ଆମେରିକା ଏୟାରଷ୍ଟ୍ରାଇକ ପରେ ତେଲ ୪% ମହଙ୍ଗା, ବଢ଼ିବ ପେଟ୍ରୋଲ, ଡିଜେଲ

ଆମେରିକା ଏୟାରଷ୍ଟ୍ରାଇକ ପରେ ତେଲ ୪% ମହଙ୍ଗା, ବଢ଼ିବ ପେଟ୍ରୋଲ, ଡିଜେଲ

ଜାତୀୟ ଖବର

ନୂଆଦିଲ୍ଲୀ : ଆମେରିକା ଏୟାର ଷ୍ଟ୍ରାଇକ କରି ଇରାନର ପ୍ରମୁଖ ସେନା କମାଣ୍ଡର ସୁନେଲମାନୀଙ୍କୁ ହତ୍ୟା କରିବା ପରେ ପଶ୍ଚିମ ଏସିଆରେ ଭୁ ରାଜନୈତିକ ସମସ୍ୟା ତେଜିଛି । ପ୍ରଭାବସ୍ୱରୂପ ଶୁକ୍ରବାର ଅଶୋଧିତ ତୈଳ ଦରରେ ବଡ଼ ଧରଣର ବୃଦ୍ଧି ଘଟିଛି । ବ୍ୟାରେଲ ପିଛା ଏଥିରେ ୪.୩୯ % ବୃଦ୍ଧି ପାଇଛି । ଫଳରେ ଏହା ୬୯.୧୬ ଡଲାରରେ ପହଞ୍ଚିଛି । ସେପ୍ଟେମ୍ବରରୁ ଏହା ସର୍ବୋଚ୍ଚ ସ୍ତର । ଅଶୋଧିତ ତୈଳ ଦରରେ ବୃଦ୍ଧି ଭାରତ ସରକାରଙ୍କ ବିତ୍ତୀୟ ଗଣିତକୁ ପ୍ରଭାବିତ କରିବା ନେଇ ଆଶଙ୍କା ରହିଛି । ଭାରତ ଏହାର ତୈଳ ଆବଶ୍ୟକତା ୮୦% ଆମଦାନି କରିଥାଏ । ତେଣୁ ଏହାର ଆମଦାନି ବଢ଼ିବ । ଅଶୋଧିତ ତୈଳ ଦର ବୃଦ୍ଧିର ସିଧାସଳଖ ପ୍ରଭାବ ଭାରତୀୟଙ୍କ ପକେଟରୁ ପଡ଼ିବ । ଆଗକୁ ଇରାନ ଏହାର ପାଲଟା ଜବାବ ଦେବା ଥୟ । ଯୁଦ୍ଧ ପରିସ୍ଥିତି ସୃଷ୍ଟି ହେବା ନେଇ ଅନୁମାନ କରାଯାଉଛି । ଏହା ହେଲେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧି ପାଇବ । ଫଳରେ ଘରୋଇ ବଜାରରେ ପେଟ୍ରୋଲ ଡିଜେଲ ମହଙ୍ଗା ହେବ । ଶୁକ୍ରବାର ତୈଳ ମାର୍କେଟିଂ କମ୍ପାନୀ ଗୁଡ଼ିକ ଲିଟର ପିଛା ପେଟ୍ରୋଲ ଦରରେ ୧୦ ପଇସା ଏବଂ ଡିଜେଲରେ ୧୫ ପଇସା ବୃଦ୍ଧି କରିଛନ୍ତି । ଅନ୍ତର୍ଜାତୀୟ ବଜାର ସହ ଘରୋଇ ବଜାର ଦର ସିଧାସଳଖ ଜଡ଼ିତ ଥିବାରୁ ଆଗକୁ ପେଟ୍ରୋଲ ଏବଂ ଡିଜେଲ ଦରରେ ଆହୁରି ବୃଦ୍ଧି ହେବା ନେଇ ଆଶଙ୍କା କରାଯାଉଛି ।